ବିଜେଡି ଗୁଣ୍ଡାଙ୍କୁ ତୁରନ୍ତ ଗିରଫ କରାଯାଉ:ବିଜେପି
ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରିଙ୍କୁ ଭେଟିଲେ ବିଜେପି ବିଧାୟକ ଦଳ
ଭୁବନେଶ୍ୱର, (ୱାଇଏନ୍ଏସ୍): ପିପିଲି ଉପନିର୍ବାଚନରେ ଶାସକ ବିଜେଡିକୁ ନିର୍ବାଚନ ପରାଜୟର ଭୟ ଘାରିଛି । ପୂର୍ବରୁ ବିଭିନ୍ନ ଉପନିର୍ବାଚନକୁ ହାତେଇବା ପାଇଁ ବିଜେଡି ଗୁଣ୍ଡାମାନେ ଯେପରି ଲୋକଙ୍କ ଭିତରେ ଆତଙ୍କ ଖେଳାନ୍ତି ଠିକ୍ ସମାନ ଢଙ୍ଗରେ ପିପିଲି ନିର୍ବାଚନମଣ୍ଡଳୀରେ ଶାସକ ଦଳର କର୍ମୀମାନେ ବିରୋଧୀଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି । ବିଜେପି ମହିଳା ମୋର୍ଚ୍ଚା ରାଜ୍ୟ ସଂପାଦିକା ରଶ୍ମିରେଖା ଦାସ ଏବଂ ବୁଥ ସଭାପତି ସରୋଜ ସେଠୀଙ୍କୁ ବିଜେଡି କର୍ମୀ ଲିଙ୍ଗରାଜ ସ୍ୱାଇଁ ଏବଂ ତାଙ୍କ ସହଯୋଗୀମାନେ ଗାଳିଗୁଲଜ କରିବା ସହ ଆକ୍ରମଣ କରିବା ଏବଂ ଏହି ଅଂଚଳ ଛାଡି ଯିବା ପାଇଁ ଧମକ ଦେଇଥିଲେ । ଏ ସଂକ୍ରାନ୍ତରେ ପିପିଲି ଥାନାରେ ଗତକାଲି ଏତଲା ଦିଆଯାଇଥିଲେ ସୁଦ୍ଧା ପୋଲିସ ଦୋଷୀଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ । ଦୋଷୀଙ୍କୁ ତୁରନ୍ତ ଗିରଫ ଦାବିରେ ବିଜେପି ବିଧାୟକଙ୍କ ଏକ ପ୍ରତିନିଧୀ ଦଳ ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଏକ ସ୍ମାରକ ପତ୍ର ପ୍ରଦାନ କରିଛି । ଗତକାଲି ବିଜେଡି ବିଧାୟକ ବ୍ୟୋମକେଶ ରାୟ ଏବଂ ବିଜେଡି ନେତା ତନ୍ମୟ ସ୍ୱାଇଁଙ୍କ ଇଙ୍ଗିତରେ ବିଜେପି ନେତ୍ରୀ ଓ ବୁଥ ସଭାପତିଙ୍କୁ ଆକ୍ରମଣ କରାଯାଇଛି । ଏ ନେଇ ବିଜେପି ପକ୍ଷରୁ ପିପିଲି ଥାନାରେ ଅଭିଯୋଗ କରିବା ପରେ ବି ଶାସକ ଦଳ ଚାପରେ ପୋଲିସ ଚୁପ୍ ବସିଛି । ଏ ଘଟଣାରେ ପୋଲିସ ଶାସକ ଦଳ ଇଙ୍ଗିତରେ କାମ କରୁଥିବାରୁ ପୁଣି ଥରେ ବିଜେପି ବୁଥ ସଭାପତି ସରୋଜ ସେଠୀଙ୍କୁ ଆଜି କିଛି ବିଜେଡି ଗୁଣ୍ଡା ମାରିଦେବାର ଧମକ ଦେଇଛନ୍ତି । ସେହିପରି ପୂର୍ବରୁ ନିର୍ବାଚନ ଅଧିକାରୀଙ୍କ ପାଖରେ ହୋଇଥିବା ଅଭିଯୋଗକୁ ଶାସକ ଦଳ ସରକାରୀ କଳକୁ ଅପବ୍ୟବହାର କରି ନିର୍ବାଚନ ଆଚରଣ ବିଧି ଉଲ୍ଲଘଂନକାରୀଙ୍କୁ ସୁରକ୍ଷା ଦେଇଛି ବୋଲି ପ୍ରମାଣିତ ହୋଇଛି । ଜଣେ ସରକାରୀ ମେଡିକାଲ ଅଫିସର ବିଜେଡି ପ୍ରାର୍ଥୀଙ୍କ ପାଇଁ ସୋସିାଲ ମିଡିଆରେ ପ୍ରଚାର କରିବା ନେଇ ବିଜେପି ଅଭିଯୋଗ କରିଥିବାବେଳେ ଆଜି ନିର୍ବାଚନ ଅଧିକାରୀ ସଂପୃକ୍ତ ବ୍ୟକ୍ତିଙ୍କ ମୋବାଇଲ ହଜିଯାଇଥିବା କଥା ତାଙ୍କ ରିପୋର୍ଟରେ ଦର୍ଶାଇଛନ୍ତି ।ବୁଥ ସଭାପତି ସରୋଜ ସେଠୀ ଜଣେ ହରିଜନ ଲୋକ ହୋଇଥିବାରୁ ଶାସକ ବିଜେଡିର କର୍ମୀମାନେ ତାଙ୍କୁ ଜାତିଆଣ ଆକ୍ଷେପ କରିଥିବା ଯୋଗୁଁ ସେ ମାନସିକ ସ୍ତରରେ ବହୁତ ଆଘାତ ପାଇଛନ୍ତି । ଏ ଘଟଣାର ନିରପେକ୍ଷ ତଦନ୍ତ କରି ଦୋଷୀଙ୍କୁ ଗିରଫ କରିବା ସହ ଶାନ୍ତିପୂର୍ଣ୍ଣଭାବେ କିପରି ନିର୍ବାଚନ ହେବ ସେ ଦିଗରେ କାର୍ଯ୍ୟ କରିବା ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ପୋଲିସକୁ ନିର୍ଦ୍ଦେଶ ଦେବା ପାଇଁ ବିଜେପି ଦାବି କରିଛି । ବିଶେଷ କରି ସମ୍ବେଦନଶୀଳ ସ୍ଥାନରେ ପୋଲିସ ପେଟ୍ରୋଲିଂକୁ ବ୍ୟାପକ କରାଯାଉ । ବିଜେପି ବୁଥ ସଭାପତି ସରୋଜ ସେଠୀ ଓ ତାଙ୍କ ପରିବାରକୁ ୨୪ ଘଂଟିଆ ପୋଲିସ ସୁରକ୍ଷା ଯୋଗାଇ ଦେବା ସହ ଆଗାମୀ ପିପିଲି ଉପନିର୍ବାଚନକୁ ମୁକ୍ତ, ଅବାଧ ଓ ନିରପେକ୍ଷ କରିବା ପାଇଁ ବିଜେପି ବିଧାୟକମାନେ ଦାବି କରିଛନ୍ତି । ଏହି ପ୍ରତିନିଧୀ ଦଳରେ ବିଜେପି ବିଧାୟକ ନିତ୍ୟାନନ୍ଦ ଗଣ୍ଡ, ନାଉରୀ ନାୟକ, ମୁକେଶ ମହାଲିଙ୍ଗ, କୁସୁମ ଟେଟେ ଏବଂ ଲିଗାଲ କୋର୍ଡିନେଟର ଜୟନ୍ତ ଜେନା ପ୍ରମୁଖ ସାମିଲ ଥିଲେ ।