ବିଜେଡି ଛାଡ଼ିଲେ ବସ୍ତା ନେତା ଶ୍ୟାମାପ୍ରସାଦ ବେହେରା
ବାଲେଶ୍ୱର, (ସରୋଜ ପଣ୍ଡା):୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ବିଜେପି ଛାଡ଼ି ବିଜେଡିରେ ସାମିଲ ହୋଇଥିବା ବସ୍ତା ନିର୍ବାଚନମଣ୍ଡଳୀର ଅନ୍ୟତମ ଛାମୁଆ ନେତା ଶ୍ୟାମ ପ୍ରାସାଦ ବେହେରା ୨୦୨୪ ନିର୍ବାଚନ ଆଗରୁ ପୁଣି ଦଳ ଡେଇଁବାକୁ ନିଷ୍ପତ୍ତି ଚୂଡ଼ାନ୍ତ କରିଛନ୍ତି । ବିଜେଡିରେ ସେ ସକ୍ରିୟତାର ସହ କାର୍ଯ୍ୟ କରି ଆସୁଥିବା ବେଳେ ସାମ୍ପ୍ରତିକ ସ୍ଥିତିରେ ୫-ଟି ସଚିବ ଭିକେ ପାଣ୍ଡିଆନ ଦଳକୁ କବଜା କରି ରଖିବାକୁ ବିରୋଧ ସହ ସେ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଉଛନ୍ତି ବୋଲି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ବେହେରା ପ୍ରକାଶ କରିଛନ୍ତି । ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ଦାୟାଦ ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜଣେ ସଚିବଙ୍କ ହାତରେ ୪କୋଟି ଓଡିଆଙ୍କ ଭାଗ୍ୟ ଟେକିଦେବା ଆଦୌ ଗ୍ରହଣଯୋଗ୍ୟ ନୁହେଁ ବୋଲି ସେ କହିଛନ୍ତି । ନିର୍ବାଚିତ ଲୋକ ପ୍ରତିନିଧିଙ୍କ ପରାମର୍ଶରେ ଶାସନ ବ୍ୟବସ୍ଥା ଚାଲିବା ପରିବର୍ତ୍ତେ ଶାସକ ଦଳର ବିଧାୟକ ଓ ମନ୍ତ୍ରୀମାନେ ସଚିବଙ୍କ ଆଗରେ ହାତଯୋଡ଼ିି ଅସହାୟ ଭାବେ ଛିଡା ହେବା, ଶ୍ରୀ ପାଣ୍ଡିଆନଙ୍କ ଗସ୍ତ କାର୍ଯ୍ୟକ୍ରମ ପାଇଁ ଦରି ଓ ଚେୟାର ପକାଇବା ଭଳି କାର୍ଯ୍ୟ ତାଙ୍କୁ କଷ୍ଟ ଦେଇଛି ବୋଲି ଶ୍ରୀ ବେହେରା କ୍ଷୋଭର ସହ ପ୍ରକାଶ କରିଛନ୍ତି । ଜଣେ ସ୍ୱାଭିମାନୀ ଓଡ଼ିଆ ଭାବେ ଜଣେ ଚସିବଙ୍କ ଏତାଦୃଶ କାର୍ଯ୍ୟକୁ ସେ ଗ୍ରହଣ କରିପାରୁ ନାହାନ୍ତି । ଅନ୍ୟପକ୍ଷରେ ଅବହେଳିତ ବସ୍ତା ନିର୍ବାଚନମଣ୍ଡଳୀର ବିକାଶ ନେଇ ସେ ବିଜେଡିରେ ଯୋଗ ଦେଇଥିବା ବେଳେ ବିଗତ ୫ବର୍ଷ ମଧ୍ୟରେ କୌଣସି ବିକାଶମୂଳକ କାର୍ଯ୍ୟ ହୋଇନଥିବା ଶ୍ରୀ ବେହେରା ଆରୋପ ଉଠାଇଥିଲେ । ଜନ ସାଧାରଣଙ୍କ ଦାବି ଅନୁସାରେ ବସ୍ତା ବ୍ଲକରେ ଗୋଟିଏ ବି କଲେଜ ପ୍ରତିଷ୍ଠା ନହେବା, କୋଣାର୍କ ପେପର ମିଲ ଓ ବାଲିଆପାଳ ସୂତାକଳ କାର୍ଯ୍ୟକ୍ଷମ ନହେବା, ଶୀତଳ ଭଣ୍ଡାରଟିଏ ସ୍ଥାପନ ନହେବା, ଚାଷୀଙ୍କ ଉତ୍ପାଦିତ ଝୋଟ ବିକ୍ରି ପାଇଁ ସରକାରୀ ବ୍ୟବସ୍ଥା ନାହିଁ, ନିଯୁକ୍ତି ଅଭାବରୁ ବସ୍ତା ନିର୍ବାଚନମଣ୍ଡଳୀରେ ଯୁବକ ସୁରଟ, ହାଇଦ୍ରାବାଦ ଓ ବାଙ୍ଗାଲୁରୁ ଭଳି ସହରକୁ ଯିବା ପାଇଁ ବାଧ୍ୟ ହେଉଛନ୍ତି । ଶାସକ ଦଳରେ ଥାଇ ଜନସାଧାରଣଙ୍କୁ ସେବା ଦେଇ ନପାରି ସେ ନିଜକୁ ଲଜ୍ଜିତ ମନେକରୁଛନ୍ତି । ଶେଷରେ ବାଧ୍ୟ ହୋଇ ସେ ଦଳରୁ ଇସ୍ତଫା ଦେଉଥିବା ଶ୍ରୀ ବେହେରା କହିଥିଲେ । ଆଗାମୀ ଦିନରେ ସେ କେଉଁ ଦଳରେ ଯୋଗଦେବେ କିମ୍ବା ତାଙ୍କର ରାଜନୈତିକ ଭବିଷ୍ୟତ କଣ ହେବ, ଏ ସମ୍ପର୍କରେ ନିଜର ସହଯୋଗୀ ଓ ସମର୍ଥକଙ୍କ ସହ ବିବାର ବିମର୍ଶ ପରେ ନିଷ୍ପତ୍ତି ନେବେ ବୋଲି ଶ୍ରୀ ବେହେରା ସୂଚନା ଦେଇଥିଲେ । ଧ୍ରୁବଚରଣ ନାୟକ, ପ୍ରିୟବ୍ରତ ନାରାୟଣ ପ୍ରହରାଜ, ଗୌରୀଶଙ୍କର ଦତ, ସୁଶାନ୍ତ ପ୍ରଧାନ, ଚିନ୍ମୟୀ ଦେବ, ଅଦୈତ୍ୟ ଜେନା, କେଶବଚନ୍ଦ୍ର ଦଣ୍ଡପାଟ, ସଂଘମିତ୍ରା ମଣ୍ଡଳ ପୁରୁଷୋତମ ଭୁୟାଁ ପ୍ରମୁଖଙ୍କ ସମେତ ଶ୍ରୀ ବେହେରାଙ୍କ ବହୁ ସମର୍ଥକ ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ ।


