ଯୋଗ୍ୟ ହିତାଧିକାରୀଙ୍କୁ ଆବାସ ଦାବିରେ ଆନ୍ଦୋଳନ କରିବ ସଦର ବିଜେପି

ବାଲେଶ୍ୱର, (ସରୋଜ ପଣ୍ଡା):ପ୍ରଧାନମନ୍ତ୍ରୀ ଆବାସ ଯୋଜନା ତାଲିକା ପ୍ରସ୍ତୁତିରେ ବ୍ୟାପକ ତଞ୍ଚକତା ହୋଇଥିବା ନେଇ ଅଭିଯୋଗ ଉଠାଇଛନ୍ତି ସଦର ନିର୍ବାଚନ ମଣ୍ଡଳୀର ବିଜେପି ନେତା ତଥା ରାଜ୍ୟ ଯୁବମୋର୍ଚ୍ଚା ଉପ-ସଭାପତି ମାନସ କୁମାର ଦତ୍ତ । ବାଦ ପଡ଼ିଥିବା ଯୋଗ୍ୟ ହିତାଧିକାରୀଙ୍କୁ ତୁରନ୍ତ ଆବାସ କାର୍ଯ୍ୟାଦେଶ ପ୍ରଦାନ କରା ନଗଲେ ସଦର ବିଜେିପି ଆନ୍ଦୋଳନକୁ ଓହ୍ଲାଇବ ବୋଲି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସେ ଚେତାବନୀ ଦେଇଛନ୍ତି । ଗରିବ ଯୋଗ୍ୟ ଲୋକଙ୍କୁ ବାଦଦେଇ ଶାସକଦଳ ପ୍ରଭାବରେ ଧନୀ ତଥା ଅଯୋଗ୍ୟ ଲୋକଙ୍କ ନାମ ତାଲିକାଭୁକ୍ତ ସହ କେନ୍ଦ୍ର ସରକାରଙ୍କର ଅନୁଦାନକୁ ବାଟମାରଣା କରାଯାଉଥିବା ଶ୍ରୀ ଦତ୍ତ ଆରୋପ ଉଠାଇଛନ୍ତି । ପଲିଥିନ ତଥା ମାଟି ଘରେ ରହୁଥିବା ଅତ୍ୟନ୍ତ ଗରିବ ପରିବାର କେଉଁ କାରଣ ଯୋଗୁଁ ତାଲିକାରୁ ବାଦ ପଡ଼ିଛନ୍ତି, ନିୟମ ଥିବା ସତ୍ୱେ ବ୍ଲକ ପ୍ରଶାସନ ଏଯାବତ ତାହା ପ୍ରକାଶ କରିନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି । ‘ଫନି’ ବାତ୍ୟା ତାଲିକାରେ ୧୬୬୧ ଜଣଙ୍କ ମଧ୍ୟରୁ ୧୪୪୩ ଜଣ ଚୟନ ହୋଇଥିବା ବେଳେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ୪୮୨୧ ଜଣଙ୍କ ମଧ୍ୟରୁ ୩୯୭୩ ଜଣଙ୍କ ଚୟନ କରାଯାଇଛି । ଏବେବି ପଲିଥିନ ତଳେ ରହୁଥିବା ବହୁ ଯୋଗ୍ୟ ହିତାଧିକାରୀ ପକ୍କା ଘରଟିଏ ପାଇଁ ଚାତକ ଭଳି ଚାହିଁ ବସିଛନ୍ତି । ଅନ୍ୟପକ୍ଷରେ ଯୋଗ୍ୟ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବାଦ ଦେଇ ଘରଢିହ ପଟ୍ଟା ବନ୍ଧକ ରଖି ‘ମୋ ଘର’ ଯୋଜନାର ଋଣ ପ୍ରଦାନ ଭଳି ସରକାରଙ୍କ ନିଷ୍ପତ୍ତି ଅତ୍ୟନ୍ତ ନିନ୍ଦନୀୟ ବୋଲି ଶ୍ରୀ ଦତ୍ତ କହିଛନ୍ତି । ଚୟନ ତାଲିକାରୁ କଟିଥିବା ଏ ନେଇ ସଦର ବିଜେପିର କର୍ମୀମାନେ ଗାଁ ଗାଁ ବୁଲି ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ସହ ଆନ୍ଦୋଳନ ପାଇଁ ପ୍ରସ୍ତୁତ କରିବାକୁ ଦଳ ପକ୍ଷରୁ ଉପକ୍ରମ ଆରମ୍ଭ ହୋଇଛି ବୋଲି ସେ ଏହି ସାମ୍ବାଦିକ ସମ୍ମିଳନୀରେ ଚେତାବନୀ ଦେଇଛନ୍ତି । ବରିଷ୍ଠ ବିଜେପି ନେତା ରବିନାରାୟଣ ମହାପାତ୍ର, ମଣ୍ଡଳ ପ୍ରଭାରୀ ଗୌରାଙ୍ଗ ଦାସ, ଗଙ୍ଗାଧର ରାଉତ ଓ ଲୋକନାଥ ଭୂୟାଁ, ଜିଲା ପରିଷଦ ସଦସ୍ୟ ଗୟାଧର ବେହେରା, ମଣ୍ଡଳ ସାଧାରଣ ସମ୍ପାଦକ ଅନନ୍ତ ନାୟକ ପ୍ରମୁଖ ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ