ବିଜେଡି ଜିଲ୍ଲା ଯୁବ ସଭାପତି ରାଜେଶ ଦାସଙ୍କ ଏକ ବର୍ଷ ପୂର୍ତ୍ତିରେ ବିଭିନ୍ନ ସେବାମୂଳକ କାର୍ଯ୍ୟ
କେନ୍ଦ୍ରାପଡ଼ା, (ଚିତ୍ତରଂଜନ ଦାସ):କେନ୍ଦ୍ରାପଡ଼ା ଜିଲ୍ଲା ଯୁବ ବିଜେଡି ସଭାପତି ରାଜେଶ ଦାସ କାର୍ଯ୍ୟଭାର ଗ୍ରହଣ କରିବାର ଗୁରୁବାର ଏକ ବର୍ଷ ପୂର୍ତ୍ତି ଘଟିଛି । ରାଜେଶ ଦାସ ଗତ ୨୦୧୯ ନିର୍ବାଚନରେ ବିଜେଡିର ବିଧାୟକ ପ୍ରାର୍ଥୀ ମଧ୍ୟରୁ ପ୍ରଥମ ପସନ୍ଦ ଥିଲେ । କେନ୍ଦ୍ରାପଡ଼ା ଆସନ ତଫସିଲଭୁକ୍ତ ଜାତି ପ୍ରାର୍ଥୀଙ୍କ ପାଇଁ ଉଦ୍ଦିଷ୍ଟ ଥିବାରୁ ରାଜେଶ ଏହି ପଦବୀ ପାଇଁ ବିଜେଡିର ପ୍ରଥମ ପସନ୍ଦ ଥିଲେ । କିନ୍ତୁ ତାଙ୍କ ବୟସ କମ ହୋଇଥିବାରୁ ଶଶୀଭୂଷଣ ବେହେରାଙ୍କୁ ଟିକେଟ୍ ଦିଆଯାଇଥିଲା । ନିର୍ବାଚନ ପରେ ରାଜେଶଙ୍କୁ ଜିଲ୍ଲା ଯୁବ ସଭାପତି ଭାବେ ନିଯୁକ୍ତ କରାଯାଇଥିଲା । ଆସନ୍ତା ୨୦୨୪ରେ ବିଜେଡିରୁ ଟିକେଟ୍ ପାଇବା ଆଶା ତାଙ୍କର ବେଶ ଉଜ୍ଜ୍ୱଳ । ସେଥିପାଇଁ ବିଧାୟକଙ୍କୁ ପିପିଲି ଉପ ନିର୍ବାଚନରେ ଷ୍ଟାର ପ୍ରଚାରକ ଭାବେ ପଠା ନ ଯାଇ ରାଜେଶ ଦାସଙ୍କୁ ପଠାଯାଇଛି । ଗତ ୧୦ ଦିନ ଧରି ଶ୍ରୀ ଦାସ ପିପିଲିରେ ନିର୍ବାଚନ ପ୍ରଚାରରେ ଲାଗି ପଡିଛନ୍ତି । ବିଜେଡି ବିଧାୟକ ପ୍ରାର୍ଥୀ ରୁଦ୍ରପ୍ରତାପ ମହାରଥିଙ୍କୁ ଜିତାଇବା ପାଇଁ ସେ ପ୍ରଚାର କାର୍ଯ୍ୟ ଯୋରଦାର କରିଛନ୍ତି । ଏକ ବର୍ଷ ପୂର୍ତ୍ତି ହୋଇଥିବାରୁ ସେ କିଛି ସମୟ ପାଇଁ କେନ୍ଦ୍ରାପଡ଼ା ଜିଲ୍ଲାକୁ ଆସି ବିଭିନ୍ନ ପ୍ରକାରର ସେବାମୂଳକ କାର୍ଯ୍ୟ କରିଥିଲେ । ବିଭିନ୍ନ ବସ୍ତିକୁ ଯାଇ ଲୋକମାନଙ୍କୁ ଖାଦ୍ୟ ସାମଗ୍ରୀ ଓ ବସ୍ତ୍ର ବଣ୍ଟନ କରିଥିଲେ । ଏହାସହ କେତେକ ଚିକିତ୍ସାଧୀନ ରୋଗୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିଥିଲେ । ତାଙ୍କର ଏହି ସେବା ମୂଳକ କାର୍ଯ୍ୟ ପାଇଁ ତାଙ୍କୁ ମୁଖ୍ୟମନ୍ତ୍ରୀ ପ୍ରସଂଶା କରିଛନ୍ତି । ଏ ନେଇ ଜିଲ୍ଲା ଯୁବ ବିଜେଡି ସମ୍ପାଦକ ମହେଶ ପାଢୀ, ଲେଲିନ୍ ସ୍ୱାଇଁ, ମହେନ୍ଦ୍ର ମିଶ୍ର, ରଞ୍ଜନ କର ପ୍ରମୁଖ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।


