ବିଜେଡି ପ୍ରାର୍ଥୀଙ୍କ ଚେହେରା ବଦଳିଛି , ହିଂସାର ଆଭିମୁଖ୍ୟ ବଦଳିନି : ପୃଥ୍ୱୀରାଜ ହରିଚନ୍ଦନ
ଭୁବନେଶ୍ୱର,(ୱାଇଏନ୍ଏସ୍): ପିପିଲି-ଡେଲାଙ୍ଗ ଅଂଚଳବାସୀ ହିଂସା ଓ ଅରାଜକତାକୁ ପ୍ରତ୍ୟାଖାନ କରି ବିକାଶ ସହ ଯୋଡି ହେବା ପାଇଁ ମନ ସ୍ଥିର କରିସାରିଛନ୍ତି, ସେତେବେଳେ ଶାସକ ବିଜେଡି ପୁଣି ଥରେ ଚିରାଚରିତ ଭାବେ ‘ଭୟ ଓ ହିଂସା’କୁ ଅସ୍ତ୍ର ଭାବେ ଉପଯୋଗ କରି ନିର୍ବାଚନ ହାତେଇବା ପାଇଁ ପ୍ରୟାସ ଆରମ୍ଭ କରିଦେଇଛି । ଚଳିତ ଉପ ନିର୍ବାଚନରେ ଶାସକ ବିଜେଡି ପ୍ରାର୍ଥୀଙ୍କ ଚେହେରା ବଦଳିଛି ସତ, କିନ୍ତୁ ହିଂସାର ଆଭିମୁଖ୍ୟ ବଦଳି ନାହିଁ ବୋଲି ରାଜ୍ୟ ସ।।ରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ କ୍ଷୋଭ ପ୍ରକାଶ କରି କହିଛନ୍ତି । ଆଜି ପିପିଲି-ଡେଲାଙ୍ଗ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରାଇଗୁରୁପୁରଠାରେ ଅନୁଷ୍ଠିତ ଦଳୀୟ ପ୍ରଚାର ସମୟରେ ଯେଉଁ ଭଳି ଭାବରେ ବିଜେପି ସମର୍ଥକମାନଙ୍କୁ ଶାସକ ବିଜେଡି କର୍ମୀମାନେ ଅତର୍କିତ ଆକ୍ରମଣ କରି ଭୟଭୀତ କରିବାର ଅପଚେଷ୍ଟା କରିଥିଲେ, ତାହା ଅତ୍ୟନ୍ତ ଘୃଣ୍ୟ ଓ ନିନ୍ଦନୀୟ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି ।
ଶାସକ ବିଜେଡି ଦ୍ୱାରା ଏହି ହିଂସାର ପ୍ରତିବାଦରେ ଦଳୀୟ ପ୍ରାର୍ଥୀ ଆଶ୍ରୀତ ପଟ୍ଟନାୟକଙ୍କ ସମେତ ଶତାଧିକ କାଯ୍ୟକର୍ତା ରାଇଗୁରୁପୁରଠାରେ ଧାରଣାରେ ବସି ରହିଥିଲେ । ଏହା ପରେ ପିପିଲି ଥାନା ପରିସରର ଭିତରେ ଦୋଷୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବୀରେ ପ୍ରାର୍ଥୀ ଶ୍ରୀ ପଟ୍ଟନାୟକ ଦଳୀୟ ନେତୃବୃନ୍ଦ ଏବଂ ସମର୍ଥକଙ୍କ ସହ ଶାନ୍ତିପୂର୍ଣ୍ଣ ଭାବେ ଧାରଣା ଦେଇଥିଲେ । ଏହି ସମୟରେ ଶାସକ ବିଜେଡି କର୍ମୀମାନେ ପୁଣି ଥରେ ଥାନା ପରିସର ଭିତରକୁ ଆସି ଅଶାନ୍ତ ବାତାବରଣ ସୃଷ୍ଟି କରିଥିଲେ । ଜିଲ୍ଲା ଆରକ୍ଷୀ ଅଧିକ୍ଷକ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ, ଏସଡିପିଓ ପ୍ରମୁଖ ପିପିଲି ଥାନା ପରିସର ଭିତରେ ବିଜେପି ନେତୃବୃନ୍ଦ ଶ୍ରୀ ହରିଚନ୍ଦନ, ବିଧାୟକ ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର, ନିତ୍ୟାନନ୍ଦ ଗଣ୍ଡ, ରାଜ୍ୟ ଉପସଭାପତି ପ୍ରଭାତୀ ପରିଡା ପ୍ରମୁଖଙ୍କ ସହ ଆଲୋଚନା କରିଥିଲେ ।ଆସନ୍ତା ୨୪ ଘଂଟା ମଧ୍ୟରେ ଦୋଷୀକୁ ଗିରଫ କରାଯାଇ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ ପ୍ରଶାସନ ପ୍ରତିଶୃତି ଦେଇଛନ୍ତି । ଏପରିକି ହିଂସାକାଣ୍ଡ ହୋଇଥିବା ଗ୍ରାମରେ ନିର୍ବାଚନ ଶେଷ ହେବା ପର୍ଯ୍ୟନ୍ତ ପୋଲିସ ମୃତୟନ କରାଯିବ ବୋଲି ମଧ୍ୟ ପ୍ରତିଶୃତି ଦେଇଛନ୍ତି । ନଚେତ ପିପିଲି-ଡେଲାଙ୍ଗ ଅଂଚଳରେ ପୋଲିସ ପ୍ରଶାସନ ବିରୋଧରେ ବିଜେପି ତରଫରୁ ଆନ୍ଦୋଳନ କରାଯିବା ସହ ଘେରାଓ କରାଯିବ ବୋଲି ଶ୍ରୀ ହରିଚନ୍ଦନ ଚେତାବନୀ ଦେଇଛନ୍ତି ।