ବିଜେପିରେ ଯୋଗଦେବାକୁ କେନ୍ଦ୍ରକରି ଯୁବକଙ୍କୁ ମାଡ ଘଟଣା, ଜଣେ ଗିରଫ
ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ହିଞ୍ଜିଳି ଥାନା ପୋଡିଙ୍ଗି ଗ୍ରାମ ଛକ ନିକଟରେ ସେପ୍ଟେମ୍ବର ୭ ତାରିଖ ସନ୍ଧ୍ୟାରେ ବିଜେପିରେ ଯୋଗ ଦେବାକୁ କେନ୍ଦ୍ରକରି ୫ ଜଣ ଯୁବକ ମିଶି ହିଞ୍ଜିଳି ଥାନା ପୋଡିଙ୍ଗି ଗ୍ରାମର ଜଗତ ମୋହନ ସାହୁଙ୍କୁ ଆକ୍ରମଣ କରିଥିଲେ। ଆକ୍ରମଣରେ ଜଗତ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଚିକିତ୍ସିତ ପରେ ଘଟଣା ନେଇ ଆହତ ଜଣଙ୍କ ହିଞ୍ଜିଳି ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଭିତ୍ତିରେ ହିଞ୍ଜିଳି ଥାନାରେ କେସ ନଂ-୮୩୪/୨୪ ରେ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଚଳାଇଥିଲା। ଶୁକ୍ରବାର ଘଟଣାରେ ସଂପୃକ୍ତ ଥିବା ଜଣେ ଯୁବକଙ୍କୁ ପୁଲିସ ଗିରଫ କରିଛି। ଗିରଫ ଜଣଙ୍କ ହେଲେ ହିଞ୍ଜିଳି ଥାନା ପୋଡିଙ୍ଗି ଗ୍ରାମର ଭାଗିରଥି ପାଣିଗ୍ରାହି (୧୯) । ଗିରଫ ଯୁବକଙ୍କୁ ଶୁକ୍ରବାର କୋର୍ଟ ଚାଲାଣ କରାଯାଇଥିବା ନେଇ ତଦନ୍ତକାରୀ ଅଧିକାରୀ ତଥା ହିଞ୍ଜିଳି ଥାନା ଏସଆଇ ସୁନିଳ କଣ୍ଡାଗୋରି କହିଛନ୍ତି।