ବିଜେପିର ମିଶ୍ରଣ ପର୍ବ

ବାଲେଶ୍ୱର, (ସରୋଜ ପଣ୍ଡା) :ପୌର ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇ ଯାଇଥିଲେ ଦଳୀୟ ସଂଗଠନ ସୁଦୃଢ଼ ସହ ସଫଳତା ପାଇଁ ଜୋରଦାର ଉଦ୍ୟମ ଜାରି ରଖିଛି ବିଜେପି । ଏହି ପରିପ୍ରେକ୍ଷୀରେ ଶୁକ୍ରବାର ସନ୍ଧ୍ୟାରେ ଆୟୋଜିତ ଏକ ମିଶ୍ରଣ ପର୍ବରେ ଅନ୍ୟଦଳର ୩ଜଣ ପୂର୍ବତନ କାଉନସିଲରଙ୍କ ସମେତ ବହୁ କର୍ମୀ ବିଜେପିରେ ଯୋଗଦାନ କରିଥିଲେ । ସହରର ରାଣୀପାଟଣା ସ୍ଥିତ ଆମନ୍ତ୍ରଣ କଲ୍ୟାଣ ମଣ୍ଡପରେ ବିଜେପି ଜିଲା ସଭାପତି ଉମାକାନ୍ତ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ତଥା ବାଲେଶ୍ୱର-ଭଦ୍ରକ ଜିଲା ପୌର ନିର୍ବାଚନର ଦଳୀୟ ପ୍ରଭାରୀ ଜୀବନ ପ୍ରଦୀପ ଦାଶ ଓ ଭାଜପା ଯୁବମୋର୍ଚ୍ଚା ରାଜ୍ୟ ଉପ-ସଭାପତି ମାନସ କୁମାର ଦତ୍ତ ଯୋଗଦେଇ ନୂତନ ସଦସ୍ୟମାନଙ୍କୁ ସ୍ୱାଗତ କରିଥିଲେ । ନବାଗତଙ୍କ ଆଗମନ ଆଗାମୀ ଦିନରେ ଦଳୀୟ ସଂଗଠନକୁ ଆହୁରି ସୃଦୃଢ କରିବା ସହ ପୌର ନିର୍ବାଚନରେ ଭାଜପାକୁ ଅଧିକ ସଫଳତା ମିଳିବ ବୋଲି ସେମାନେ ଆଶା ପ୍ରକାଶ କରିଥିଲେ । ଏହି ଅବସରରେ ପୂର୍ବତନ କାଉନସିଲର ସତ୍ୟ ଶିବ ସୁନ୍ଦର ଦାଶ, ଜୟ ପ୍ରକାଶ ଦାଶ ଓ ଗୌରୀ ଦାସଙ୍କ ସହ ଅନ୍ୟାନ୍ୟ ଦଳର ବହୁ କାର୍ଯ୍ୟକର୍ତ୍ତାଙ୍କୁ ବିଜେପି ନେତୃବୃନ୍ଦମାନେ ଦଳୀୟ ଉତ୍ତରୀୟ ଦେଇ ଦଳକୁ ସ୍ୱାଗତ କରିଥିଲେ । ଦଳର ଅନୁଶାସନ ମାନି ସଂଗଠନକୁ ଆଗକୁ ନେବାରେ ସହାୟକ ହେବେ ବୋଲି ନବାଗତ କର୍ମୀମାନେ କହିଥିଲେ । ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶୁଭଙ୍କର ମହାପାତ୍ର, ନଗର ସଭାପତି ଚିତ୍ତରଞ୍ଜନ ପଣ୍ଡା, ବରିଷ୍ଠ ନେତା ସୁଜିତ ଦେବ, ଜୋନାଲ ମିଡିଆ ସଂଯୋଜକ ସତ୍ୟଜିତ ମିଶ୍ର, ଜିଲା ସମ୍ପାଦକ ବିଭୂପଦ ଦାସ, ସର୍ବେଶ୍ୱର ପାତ୍ର ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ନବାଗତ କର୍ମୀଙ୍କୁ ସ୍ୱାଗତ ଜଣାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିବେକାନନ୍ଦ ମହାନ୍ତି, ସୀତାକାନ୍ତ ସ୍ୱାଇଁ, ଗୌରାଙ୍ଗ ଦାସ, ଧୀରଜ ମହାନ୍ତି, ସୌଭାଗ୍ୟ ମାନସ ନାୟକ, ମଣ୍ଟୁ ପେରିୱାଲ, ପ୍ରବାଳ ସିହ୍ନା, ଶ୍ରୀନିବାସ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ