ବିଜେପି ଅନୁସୂଚିତ ଜାତି ମୋର୍ଚ୍ଚାର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ
ବାଲେଶ୍ଵର, (ସରୋଜ ପଣ୍ଡା):ଆଜି ବିଜେପି ଅନୁସୂଚିତ ଜାତି ମୋର୍ଚ୍ଚାର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ମୋର୍ଚ୍ଚାର ଜିଲ୍ଲା ସଭାପତି ମୃତ୍ୟୁଞ୍ଜୟ ଜେନାଙ୍କ ସଭାପତିତ୍ବରେ ରେମୁଣା ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ପ୍ରଦୀପ ପ୍ରଜ୍ବଳନ ଓ ଭାରତ ମାତାଙ୍କ ବନ୍ଦନା ପୂର୍ବକ ବାଲେଶ୍ଵର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଏହି ବୈଠକର ଶୁଭାରମ୍ଭ କରିଥିଲେ ଓ ଉପସ୍ଥିତ କର୍ମୀଙ୍କୁ ତାଙ୍କ ଉଦ୍ବୋଧନରେ ଅନେକ ଉପାଦେୟ ବିଷୟରେ ଆଲୋଚନା କରିଥିଲେ। ବୈଠକରେ ମୋଟ୍ ତିନୋଟି ପ୍ରସ୍ତାବ ଆଗତ ହୋଇଥିଲା, ୧- ବିଗତ ଦିନରେ ମୃତ୍ୟୁ ବରଣ କରିଥିବା ବିଶିଷ୍ଟ ବ୍ଯକ୍ତି ବିଶେଷଙ୍କ ପାଇଁ ଶୋକ ପ୍ରସ୍ତାବ, ୨- ରାଜନୈତିକ ଚିଠା ପ୍ରସ୍ତାବ ଓ ୩- କେନ୍ଦ୍ର ସରକାର ଓ ବାଲେଶ୍ଵର ସାଂସଦଙ୍କୁ ଧନ୍ୟବାଦ ପ୍ରସ୍ତାବ। ରାଜନୈତିକ ଚିଠା ପ୍ରସ୍ତାବରେ ଆଜିର କାର୍ଯ୍ୟକାରିଣୀ ଜିଲ୍ଲାର ଆଇନଶୃଙ୍ଖଳା ପରିସ୍ଥିତି, ଦଳିତ ସମାଜ ପ୍ରତି ରାଜ୍ୟ ସରକାରଙ୍କ ଉଦାସୀନତା, ବିପର୍ଯ୍ୟସ୍ତ ଶିକ୍ଷା ସ୍ବାସ୍ଥ୍ୟ, ରାସ୍ତା, ପରିମଳ ଇତ୍ୟାଦି ଉପରେ ଗଭୀର ଚିନ୍ତା ପ୍ରକଟ କରିବା ସହିତ ଭବିଷ୍ୟତରେ ଆନ୍ଦୋଳନାତ୍ମକ ପନ୍ଥା ଆପଣେଇବା ବିଷୟରେ ଆଲୋଚନା କରିଥିଲେ। ରାଜ୍ୟର ଅବକାରୀ ମନ୍ତ୍ରୀ ବାଲେଶ୍ଵର ଜିଲ୍ଲାରୁ ଥାଉଥାଉ ଜିଲ୍ଲାରେ ଅବୈଧ ନିଶା କାରବାର, ବେଆଇନ ଡ୍ରଗସ, ଚରସ, ଗଞ୍ଜେଇ ଇତ୍ୟାଦି ଉପରେ କୌଣସି ନିୟନ୍ତ୍ରଣ ନଥିବାରୁ ଆଜିର କାର୍ଯ୍ୟକାରିଣୀ ଅବକାରୀ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି। ଦଳିତ ଆଦିବାସୀ ସମ୍ପ୍ରଦାୟର ଲୋକମାନଙ୍କ ପାଇଁ ବହୁବିଧ ଯୋଜନାର ସଫଳ ରୂପାୟନ ପାଇଁ କେନ୍ଦ୍ର ସରକାରଙ୍କ ଉଦ୍ଦେଶ୍ୟରେ ଧନ୍ୟବାଦ ପ୍ରସ୍ତାବ ଗୃହୀତ ହୋଇଥିଲା, ଠିକ ଅନୁରୂପ ଭାବେ ବାଲେଶ୍ଵର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କୁ ମଧ୍ୟ ତାଙ୍କର ଜିଲ୍ଲା ପାଇଁ କରିଥିବା ଅନେକ ଉନ୍ନୟନମୂଳକ କାର୍ଯ୍ୟକ୍ରମ ପାଇଁ ଧନ୍ୟବାଦ ପ୍ରସ୍ତାବ ଗୃହୀତ ହୋଇଥିଲା। ସମସ୍ତ ପ୍ରସ୍ତାବ ସର୍ବସମ୍ମତିକ୍ରମେ ଗୃହୀତ ହୋଇଥିଲା। ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ର ତାଙ୍କ ଉଦ୍ବୋଧନରେ ବିଗତ ବର୍ଷରେ ଏସସି ମୋର୍ଚ୍ଚା ଦ୍ଵାରା କରାଯାଇଥିବା ଉଲ୍ଲେଖନୀୟ କାର୍ଯ୍ୟକୁ ଉଚ୍ଚ ପ୍ରଶଂସିତ କରିଥିଲେ। ଆଗାମୀ ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ମୋର୍ଚ୍ଚାକୁ ଆହୁରି ଅଧିକ ଶକ୍ତିଶାଳୀ କରିବା ପାଇଁ ପରାମର୍ଶ ଦେଇଥିଲେ। ଏସସି ମୋର୍ଚ୍ଚାର ରାଜ୍ୟ ସଭାପତି ଡ଼ଃ ବିଭୁପ୍ରସାଦ ତରେଇ ପ୍ରଥମେ ଜିଲ୍ଲାର ସାଂଗଠନିକ ବ୍ୟବସ୍ଥାର ସମୀକ୍ଷା କରିଥିଲେ ଓ ସଂଗଠନକୁ ଅଧିକ ମଜଭୁତ କରିବା ପାଇଁ କିଛି ସ୍ବତନ୍ତ୍ର ପରାମର୍ଶ ଦେଇଥିଲେ। ରାଜ୍ୟରେ କେମିତି ସରକାରୀ ପୃଷ୍ଠପୋଷକତାରେ ଦଳିତ ଆଦିବାସୀଙ୍କ ପ୍ରତି ଉତ୍ପୀଡନ ହେଉଛି ତା ଉପରେ ଶ୍ରୀଯୁକ୍ତ ତରେଇ ଚିନ୍ତା ପ୍ରକଟ କରିଥିଲେ। ପୁର୍ବତନ ଏସସି ମୋର୍ଚ୍ଚା ରାଜ୍ୟ ସଭାପତି ଗୋବିନ୍ଦ ଚନ୍ଦ୍ର ଦାସ, ଏସସି ମୋର୍ଚ୍ଚାର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରାକେଶ ମଲ୍ଲିକ, ସୋର ଚେୟାରମେନ ମାଧବ ଧଡ଼ା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶୁଭଙ୍କର ମହାପାତ୍ର ଓ ଶୋଭନା ମହାନ୍ତି, କାର୍ଯ୍ୟକାରିଣୀ ରାଜ୍ୟ କୋଷାଧ୍ୟକ୍ଷ ଜଗନ୍ନାଥ ବେହେରା ସେମାନଙ୍କ ବ୍ଯକ୍ତବ୍ଯରେ ସାଂଗଠନିକ ବ୍ୟବସ୍ଥା ବିଷୟରେ ସୁଚିନ୍ତିତ ମତାମତ ରଖିଥିଲେ। ମୋର୍ଚ୍ଚାର ଜିଲ୍ଲା ସମ୍ପାଦକ କୈଳାସ ମାଝି ସଭାକାର୍ଯ୍ୟ ପରିଚାଳନା କରିଥିଲେ, ମୋର୍ଚ୍ଚାର ଜିଲ୍ଲା ଉପସଭାପତି ଅଭିରାମ ଦାସ କାର୍ଯ୍ୟକାରିଣର ସଫଳ ରୂପାୟନ ପାଇଁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।


