ବିଜେପି ନେତାଙ୍କ ହତ୍ୟା ଘଟଣା ପ୍ରତିବାଦରେ ମନ୍ତ୍ରୀଙ୍କ କୁଶପୁତଳିକା ଦାହ
ନାଉଗାଁ, (ଓ୍ବାଇଏନ୍ଏସ୍) : ମାହାଙ୍ଗା ବ୍ଳକର ପୂର୍ବତନ ଅଧ୍ୟକ୍ଷ ତଥା ବିଜେପିର ବରିଷ୍ଠ ନେତା କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି । ଏହାର ପ୍ରତିବାଦରେ ମଙ୍ଗଳବାର ନାଉଗାଁ ବ୍ଳକ ବିଜେପି ପକ୍ଷରୁ ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହିତ ନାଉଗାଁ ବଜାର ଦୁର୍ଗାମଣ୍ଡପ ଠାରେ ମନ୍ତ୍ରୀ ପ୍ରତାପ ଜେନାଙ୍କ କୁଶ ପୁତଳିକା ଦାହ କରାଯାଇଥିଲା । ଏହି ହତ୍ୟାକାଣ୍ଡରେ ସଂପୃକ୍ତ ମନ୍ତ୍ରୀ ଜେନାଙ୍କ ସମେତ ୧୩ ଜଣଙ୍କର ସଂପୃକ୍ତି ରହିଥିବା ବେଳେ ଏହାକୁ ତଦନ୍ତ କରାଯିବା ସହିତ ଗିରଫ କରିବା ପାଇଁ ଦାବି କରାଯାଇଥିଲା । ନାଉଗାଁ ମଣ୍ଡଳ ସଭାପତି ନିଲୁରାମ ଜେନାଙ୍କ ନେତୃତ୍ୱରେ ଜିଲ୍ଲା ଦଳିତ ମୋର୍ଚ୍ଚା ସଭାପତି ରତ୍ନାକର ତରାଇ, କୃଷକ ମୋର୍ଚ୍ଚା ସଦସ୍ୟ ଭିକାରୀ ସ୍ୱାଇଁ, ଶ୍ରୀକାନ୍ତ ସ୍ୱାଇଁ, ସୁନାକର ସେଠୀ, ସମରୀ ସ୍ୱାଇଁ, ତପନ ପଣ୍ଡା, ଦିଲ୍ଲିପ ପଣ୍ଡା, ମାନସ ସ୍ୱାଇଁ, ବିଜୟ ଦାସଙ୍କ ସମେତ ବହୁ ବିଜେପି ନେତା ଉପସ୍ଥିତ ଥିଲେ ।


