ବିଜେପି ରାଜ୍ୟ ସଭାପତି ଦୌଡ଼ : ୨୦୨୪ ପାଇଁ ଦଳ ଖୋଜୁଛି ନୂଆମୁହଁ

ଭୁବନେଶ୍ୱର: ବିଜେପି ରାଜ୍ୟ କାର୍ଯ୍ୟକର୍ତ୍ତା ନିର୍ବାଚନ ପାଇଁ ଦଳୀୟ ରାଜନୀତି ଏବେ ବେଶ ଉଷ୍ଣ ହୋଇ ଉଠିଛି । ନିର୍ବାଚନ ତାତି ଏବେ ଜିଲ୍ଲାସ୍ତର ଡେଇଁ ରାଜ୍ୟସ୍ତରରେ ପହଞ୍ଚିଛି । ଆଉ ଦୁଇ ଦିନ ପରେ ଜିଲ୍ଲାସ୍ତରରେ କିଏ ମଙ୍ଗ ଧରିବେ ବିଧିବଦ୍ଧ ଭାବେ ଘୋଷଣା ହେବ । ଏହା ପରେ ଚଳିତ ମାସ ୨୦ ରୁ ରାଜ୍ୟସ୍ତରୀୟ ନିର୍ବାଚନ ହେବ । ତେବେ ରାଜ୍ୟରେ କିଏ ବିଜେପି ମଙ୍ଗ ଧରିବ ସେ ନେଇ ଏବେ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି । କେତେକ ବରିଷ୍ଠ ନେତୃବୃନ୍ଦ ପୁରୁଣା ମୁହଁକୁ ଗୁରୁତ୍ୱ ଦେଇଥିବା ବେଳେ ଆଉ କେତେକ ବରିଷ୍ଠ ନେତା ୨୦୨୪ ବାଇଁ ଜଣେ ତୁଙ୍ଗ ନେତାକୁ ଦାୟିତ୍ୱ ଦିଆଯିବା ଆବଶ୍ୟକ ବୋଲି କହୁଛନ୍ତି । ଯଦି ଏହାକୁ ଦଳର ମୁଣ୍ଡିଆଳମାନେ ବିଚାରକୁ ନିଅନ୍ତି ତେବେ ଏଥର ବିଜେପିର ଜଣେ ନୂଆ ମୁହଁ ହାତରେ ଓଡ଼ିଶାର ପଦ୍ମଫୁଲ ଦାୟିତ୍ୱ ରହିବ ।
ସୂଚନା ଅନୁଯାୟୀ ବିଜେପିର ସାମ୍ବିଧାନିକ ନିୟମ ଅନୁଯାୟୀ ପ୍ରତି ୩ ବର୍ଷରେ ନିର୍ବାଚନ ହେବା କଥା । ଏହାକୁ ନେଇ ଏବେ ବିଜେପି ପକ୍ଷରୁ ସବୁ ରାଜ୍ୟରେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଛି । ଜୁଲାଇ ୬ ରୁ ଆରମ୍ଭ ହୋଇଥିବା ବିଜେପିର ସଂଗଠନ ପର୍ବ ଚଳିତ ମାସ ସୁଦ୍ଧା ଶେଷ ହେବ । ଏଯାବତ ରାଜ୍ୟରେ ୩୭ ହଜାର ବୁଥରୁ ୨୪ ହଜାର ୫ ଶହ ୩୫ ବୁଥ କମିଟି ଗଠନ ହୋଇସାରିଛି । ସେହିପରି ୧୦୦୪ ମଣ୍ଡଳରୁ ୯୦୦ରୁ ଅଧିକ ମଣ୍ଡଳରେ ନିର୍ବାଚନ ଶେଷ ହେବା ସହିତ ଜିଲ୍ଲା ନିର୍ବାଚନ ପ୍ରକ୍ରିୟା ଶେଷ ହୋଇଛି । ଆସନ୍ତା ୧୬ ତାରିଖରେ ବିଜେପିର ୩୬ଟି ସାଂଗଠନିକ ଜିଲ୍ଲାରେ ନିର୍ବାଚନ ଶେଷ ହେବ । ଏଥିପାଇଁ ଗତ ୧୧ ଏବଂ ୧୨ ତାରିଖରେ ପ୍ରତ୍ୟେକ ଜିଲ୍ଲାକୁ ୨ ଜଣ ଲେଖାଏଁ ପର୍ଯ୍ୟବେକ୍ଷକଙ୍କ ସହିତ ଆଉ ୨ ଜଣ ପ୍ରତିନିଧି ଗସ୍ତ କରିଥିଲେ । ନବ ନିଯୁକ୍ତ ମଣ୍ଡଳ ସଭାପତି ଏବଂ ଜିଲ୍ଲା ପ୍ରତିନିଧିମାନଙ୍କ ପରାମର୍ଶ କ୍ରମେ ଜିଲ୍ଲା ନିର୍ବାଚନ ଶେଷ ହୋଇଛି । ବର୍ତ୍ତମାନ ସୁଦ୍ଧା ୩୫ଟି ସାଂଗଠନିକ ଜିଲ୍ଲାରେ ମଣ୍ଡଳ ନିର୍ବାଚନ ସମାପ୍ତ ହୋଇଛି । କେନ୍ଦ୍ର ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର ଏବଂ ସାଂସଦ ରାଜୀବ ପ୍ରତାପ ରୁଢ଼ୀଙ୍କୁ ରାଜ୍ୟ ନିର୍ବାଚନ ପାଇଁ ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ୱ ଦିଆଯାଇଛି । ଜିଲ୍ଲା ନିର୍ବାଚନ ପ୍ରକ୍ରିୟା ୧୬ ତାରିଖରେ ପରେ ରାଜ୍ୟ ସଭାପତି ନିର୍ବାଚନ ପାଇଁ କେନ୍ଦ୍ର ବିଜେପି ପକ୍ଷରୁ ତାରିଖ ଘୋଷଣା କରାଯିବ । ଏହାକୁ ନେଇ କେତେକ ପୁରୁଣା ମୁହଁ ସହିତ ନୂଆ ମୁହଁ ନେତୃମଣ୍ଡଳୀଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ଆରମ୍ଭ ହୋଇଯାଇଛି । ସଭାପତି ପଦରେ ଥିବା ବସନ୍ତ ପଣ୍ଡା ସାଂସଦ ଥିବାରୁ ପୁନର୍ବାର ବିଜେପି ରାଜ୍ୟ ସଭାପତି ହେବାର ଆଶା କ୍ଷୀଣ ବୋଲି କେତେକ ବରିଷ୍ଠ ନେତୃବୃନ୍ଦ କହୁଥିବା ବେଳେ ଆଉ କେତେକ ପୂର୍ବତନ ସଭାପତି କନକ ବର୍ଦ୍ଧନ ସିଂହ ଦେଓ ଏହି ଦୌଡ଼ରେ ଅଛନ୍ତି ବୋଲି କହୁଛନ୍ତି । ରାଜ୍ୟ ବିଜେପିରେ ଏବେ ଉପସଭାପତି ଦାୟିତ୍ୱରେ ଥିବା ସମୀର ମହାନ୍ତିଙ୍କ ପ୍ରତି ବିଭିନ୍ନ ସ୍ତରରରୁ ସମର୍ଥନ ବଢ଼ି ଚାଲିଛି । ତେବେ କଂଗ୍ରେସ ଭଳି ବିଜେପିରେ ନିଷ୍ପତ୍ତି ମଧ୍ୟ ଦିଲ୍ଲୀ ନେତୃମଣ୍ଡଳୀଙ୍କ ହସ୍ତରେ ନ୍ୟସ୍ତ । ସବୁ ପରେ ଏଥିରେ ଜଣେ ନୂଆ ମୁହଁକୁ ଦଳ ଦାୟିତ୍ୱ ଦେଇ ୨୦୨୪ ପାଇଁ ପ୍ରସ୍ତୁତ ହେଉଛି ବୋଲି ଦଳରେ ଜଣେ ବରିଷ୍ଠ ନେତା କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ