ବିଜେପୁର ଉପ ନିର୍ବାଚନରେ ପ୍ରାର୍ଥୀ ଦେବ ସମାଜବାଦୀ ପାର୍ଟି
ଭୁବନେଶ୍ୱର, , (ଯୁଗାବ୍ଦ ନ୍ୟୁଜ) : ବିଜେପୁର ଉପନିର୍ବାଚନରେ ପ୍ରାର୍ଥୀ ଦେବା ପାଇଁ ସମାଜବାଦୀ ପାର୍ଟି ତରଫରୁ ଘୋଷଣା କରଯାଇଛି । ଭାରତର ନିର୍ବାଚନ କମିଶନ ଆସନ୍ତା ଅକ୍ଟୋବର ୨୧ ତାରିଖରେ ବିଜେପୁର ଉପ ନିର୍ବାଚନ ଅନୁଷ୍ଠିତ ହେବ ବୋଲି ଘୋଷଣା କରିସାରିବା ପରେ ଆଜି ପାର୍ଟିର ଓଡ଼ିଶା ଅଧ୍ୟକ୍ଷ ଶ୍ରୀଯୁକ୍ତ ରବି ବେହେରା ପାର୍ଟିର ଜାତୀୟ ଅଧ୍ୟକ୍ଷ ତଥା ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ଅଖିଳେଶ ଯାଦବଙ୍କ ସହିତ ଟେଲିଫୋନ୍ରେ ଯୋଗାଯୋଗ କରି ବିଜେପୁର ଉପନିର୍ବାଚନରେ ଲଢିବା ପାଇଁ ସ୍ଥିର କରାଯାଇଛି ବୋଲି ଶ୍ରୀ ବେହେରା ପ୍ରକାଶ କରିଛନ୍ତି । ବରଗଡ଼ ଜିଲ୍ଲାର ବିଜେପୁର ଏକ ପଛୁଆ ବର୍ଗବହୁଳ ନିର୍ବାଚନ ମଣ୍ଡଳୀ । ଏଠାରେ କୁନ୍ତା ଓ ଯାଦବ ଜାତିର ଭୋଟ ମିଶିଲେ ପାଖାପାଖି ୧ଲକ୍ଷ ୫୦ ହଜାର ହେବ । ତେଣୁ ବିଜେପୁର ଉପନିର୍ବାଚନରେ ପଛୁଆବର୍ଗର ଜଣେ ଉଚ୍ଚଶିକ୍ଷିତା ମହିଳାଙ୍କୁ ପ୍ରାର୍ଥୀ କରିବାର ବହୁ ସମ୍ଭାବନା ରହିଛି ବୋଲି ସମାଜବାଦୀ ପାର୍ଟି ତରଫରୁ ପ୍ରକାଶ । ଶ୍ରୀ ଅଖିଳେଶ ଯାଦବଙ୍କ ସହିତ ଟେଲିଫୋନ୍ ଯୋଗାଯୋଗ କରିସାରିବା ପରେ ଶ୍ରୀଯୁକ୍ତ ବେହେରା ଏକ ୬ ଜଣିଆ ନିର୍ବାଚନ କମିଟି ପାର୍ଟିର ସାଧାରଣ ସମ୍ପାଦକ ସୁଦର୍ଶନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଗଠନ କରିଛନ୍ତି । ଏହି କମିଟିରେ ଶ୍ରୀ ପ୍ରଧାନଙ୍କ ସମେତ ସମ୍ବଲପୁର ଜିଲ୍ଲା ସଭାପତି ଶ୍ରୀ ଅନିଲ୍ ଯାଦବ, ବରଗଡ଼ ଜିଲ୍ଲା ସଭାପତି ଲିଙ୍ଗରାଜ ବାଗ ଓ ମହିଳା ନେତ୍ରୀ ନିଳିମା ଭୋଇ, ସାଗରିକା ବାଗ ଓ ପାର୍ଟି ଯୁବନେତା ସୁବ୍ରତ ଲେଙ୍କା ପ୍ରମୁଖ ସଦସ୍ୟ ରହିଛନ୍ତି । ଆସନ୍ତା ୨୫ ତାରିଖ ସୁଦ୍ଧା ନିର୍ବାଚନ କମିଟି ବସି ପ୍ରାର୍ଥୀ ଚୟନରେ ପୁଙ୍ଖାନୁପୁଙ୍ଖ ବିବରଣୀ ଦେବା ପରେ ଜାତୀୟ ଅଧ୍ୟକ୍ଷ ଶ୍ରୀ ଅଖିଳେଶ ଯାଦବଙ୍କ ଅନୁମୋଦନ କ୍ରମେ ୩୦ ତାରିଖ ସୁଦ୍ଧା ନାମାଙ୍କନ ପତ୍ର ଦାଖଲ କରାଯିବ ବୋଲି ଶ୍ରୀ ବେହେରା ପ୍ରକାଶ କରିଛନ୍ତି ।