ବିଜୟ ଲକ୍ଷ୍ମୀ ଶରଣ ପୁର ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ସମାରୋହ ଉଦଯାପିତ
ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ ବିଜୟ ଲକ୍ଷ୍ମୀ ଶରଣ ପୁର ଶାସନ ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରତିଷ୍ଠାର ୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଦୁଇ ଦିନ ଧରି ଚାଲିଥିବା ସୁବର୍ଣ୍ଣ ଜୟନ୍ତୀ ସମାରୋହ ଆଜି ଉଦଯାପିତ ହୋଇଯାଇଛି I ସ୍ଥାନୀୟ ସରପଞ୍ଚ ଶୁଭଶ୍ରୀ ପରିଡ଼ାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସୁବର୍ଣ୍ଣ ଜୟନ୍ତୀ ଉତ୍ସବର ଉଦଯାପନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ୪୮ ନମ୍ବର୍ ଜୋନ୍ ଜିଲ୍ଲାପରିଷଦ ସଭ୍ୟ ସୁଧୀର କୁମାର ଜେନା ଯୋଗ ଦେଇ ୫୦ ବର୍ଷର ଏହି ବିଦ୍ୟାଳୟରେ ଥିବା ସମସ୍ୟା ଏବଂ ଆବଶ୍ୟକତା ସମ୍ପର୍କରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ପ୍ରତିଶୃ୍ତି ପ୍ରଦାନ କରିଥିଲେ I ସେହିପରି କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ଅନୁଷ୍ଠାନର ପୂର୍ବତନ ପ୍ରଧାନ ଶିକ୍ଷକ ସୀମାଞ୍ଚଳ ମହାପାତ୍ର ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ସମିତିସଭ୍ୟ ପ୍ରଫୁଲ୍ଲ କୁମାର ଗୌଡ଼,ଯୁବ ସମାଜସେବୀ ଲକ୍ଷ୍ମଣ ପରିଡ଼ା,ପୂର୍ବତନ ପ୍ରଧାନ୍ ଶିକ୍ଷକ ନିରଞ୍ଜନ ପରିଡ଼ା,ଆଦିତ୍ୟନାଥ ହୋତା,ବିଦ୍ୟାଳୟ ପ୍ରତିଷ୍ଠାତାଙ୍କ ଝିଅ ମହାଲକ୍ଷ୍ମୀ ତ୍ରିପାଠି ପ୍ରମୁଖ ଉପସ୍ଥିତ ଥିଲେ I ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତପନ କୁମାର ରାଉତ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ I ଏହି ଅବସରରେ ପୂର୍ବତନ ଛାତ୍ର ପିତାମ୍ବର ପରିଡ଼ା ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଦୟାନିଧି ପାଢୀ ଧନ୍ୟବାଦ ଜ୍ଞାପନ କରିଥିଲେ I ଏହି ଅବସରରେ ବିଦ୍ୟାଳୟର ପୂର୍ବତନ ଶିକ୍ଷକ,ଶିକ୍ଷୟିତ୍ରୀ ଏବଂ କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା I ବିଦ୍ୟାଳୟର ପ୍ରତିଷ୍ଠାତା ଗୋଦାବରୀଶ ତ୍ରିପାଠୀଙ୍କ ନାମରେ ନବମ ଶ୍ରେଣୀର ସର୍ବୋଚ୍ଚ ନମ୍ବର୍ ରଖିଥିବା ଜ୍ୟୋତିସ୍ମିତା ମହାରଣାଙ୍କୁ ଗୋଦାବରୀଶ ଆୱାର୍ଡ ପ୍ରଦାନ କରାଯାଇଥିଲା I କାର୍ଯ୍ୟକ୍ରମରେ ଅତିଥି ମାନଙ୍କ ଦ୍ୱାରା ସୁବର୍ଣ୍ଣ ଜୟନ୍ତୀ ଫଳକ ଓ ବିଜୟଲକ୍ଷ୍ମୀ ସ୍ମରଣିକା ସମେତ ବିଦ୍ୟାଳୟ ପରିସରରେ ଶ୍ରୀ ଗଣେଶ ଏବଂ ମାଆ ସରସ୍ଵତୀଙ୍କ ପ୍ରତିମୂର୍ତ୍ତୀ ଉନ୍ମୋଚନ କରାଯାଇଥିଲା I ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା ବେଳେ ସ୍ମାଇଲ୍ ଶତପଥୀଙ୍କ ଭାରତନାଟ୍ୟମ୍ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲା I କାର୍ଯ୍ୟକ୍ରମରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ପ୍ରାକ୍ତନ ଛାତ୍ରଛାତ୍ରୀ,ସ୍ଥାନୀୟ ଅଭିଭାବକ,ବୁଦ୍ଧିଜୀବୀ ସହଯୋଗ କରିଥିଲେ I


