ବିଡ଼ିଓଙ୍କ ଦେଖା ପାଉନାହାନ୍ତି ଜନସାଧାରଣ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :ଭଣ୍ଡାରିପୋଖରୀ ବ୍ଲକରେ ଏଇ କିଛିଦିନ ହେବ ପ୍ରାୟ ଅଚଳାବସ୍ଥା ଦେଖାଦେଇଛି। ପୂର୍ବରୁ ପ୍ରାୟତଃ ସବୁ ଠିକଠାକ ଚାଲିଥିବାବେଳେ ନୂତନ ବିଡ଼ିଓ କାର୍ଯ୍ୟରେ ଯୋଗଦେବା ଠାରୁ କିଛିଟା ଅବ୍ୟବସ୍ଥା ପରିଲକ୍ଷିତ ହେଉଛି। ବ୍ଲକ ଅଧିନ ମଞ୍ଜୁରୀରୋଡ଼ ଠାରୁ ଆରମ୍ଭ କରି ବିଷ୍ଣୁପୁର ଓ ଆଖୁଆପଦା ଠାରୁ ଆରମ୍ଭ କରି ମଣିନାଥପୁର ଯାଏଁ ଅନେକ ଲୋକ କିଛିନା କିଛି ସମସ୍ୟା ନେଇ ବିଡ଼ିଓଙ୍କ ନିକଟକୁ ଦୈନନ୍ଦିନ ଆସୁଛନ୍ତି। ରାସନକାର୍ଡ ଠାରୁ ଆରମ୍ଭ କରି ପକ୍କାଗୃହ ନିର୍ମାଣ, ଭତ୍ତା, ପାଇଖାନା ଆଦି ସମସ୍ୟା ବାବଦରେ ଅଭିଯୋଗ ନେଇ ଜନସାଧାରଣ ମାନେ ବ୍ଲକ କାର୍ଯ୍ୟାଳୟକୁ ଆସି ବାରମ୍ବାର ନିରାଶ ହୋଇ ଫେରୁଥିବା ଜଣାପଡ଼ିଛି। ସମସ୍ତ ସମସ୍ୟାର ସମାଧାନ ପାଇଁ ବ୍ଲକର ମାଲିକ ବିଡ଼ିଓ ସର୍ବୋଚ୍ଚ ଅଧିକାରୀ ହୋଇଥିବାରୁ ସାଧାରଣ ଲୋକଙ୍କ ବିଶ୍ୱାସ ତାଙ୍କ ଉପରେ ଅଧିକ କେନ୍ଦ୍ରୀଭୂତ ଥାଏ। ତେଣୁ ସମସ୍ୟା ଗୁଡିକ ତଳସ୍ତରରେ ସମାଧାନ ହୋଇ ନପାରିଲେ ଲୋକମାନେ ଧାଇଁ ଆସନ୍ତି ବ୍ଲକ କାର୍ଯ୍ୟାଳୟକୁ। ପରିତାପର ବିଷୟ ବ୍ଲକ କାର୍ଯ୍ୟାଳୟରେ ବିଡ଼ିଓ ଅନୁପସ୍ଥିତ ରହିବା ଓ ସାଧାରଣ ଲୋକଙ୍କ ସମସ୍ୟାକୁ ନେଇ ମତବିନିମୟରେ ଅନିଚ୍ଛା ପ୍ରକାଶ କରୁଥିବାରୁ ଲୋକମାନେ ଥରକୁ ପାଞ୍ଚ ଥର ଆସି ନିରାଶ ହୋଇ ଫେରୁଥିବା ଦେଖାଯାଉଛି। ଜଗନ୍ନାଥପ୍ରସାଦର ସ୍ମୃତିରେଖା ମହାରଣା, ନାଆମୀର ଗନ୍ଧର୍ବ ଜେନା, ରାଜେନ୍ଦ୍ରପୁରର ଗଣେଶ ଚନ୍ଦ୍ର ଭାରତୀ ପ୍ରମୁଖ ବ୍ଲକ ଅଧିନ ଜନସାଧାରଣ ପ୍ରାୟ ଦୁଇଥରରୁ ଅଧିକ ହେବ କାର୍ଯ୍ୟାଳୟକୁ ଆସି ନିରାଶ ହୋଇ ଫେରୁଥିବା ସୂଚନା ଦେଇଛନ୍ତି। ଏହା ସହିତ ଅନେକ ଲୋକ ଅଭିଯୋଗ ନେଇ ଅଆଉଥିଲେ ସୁଦ୍ଧା ବିଡ଼ିଓଙ୍କ ସାକ୍ଷାତ ପାଉନଥିବା ଜଣାପଡିଛି। ଏହା ଉପରେ ଅଧିକାରୀ ଦୃଷ୍ଟି ଦେଇ ଲୋକଙ୍କ ଭାବାବେଗକୁ ବୁଝି ସମସ୍ୟା ସମାଧାନ ଦିଗରେ ଗୁରୁତ୍ୱ ଦେଲେ ଜନସାଧାରଣ ଉପକୃତ ହୁଅନ୍ତେ ଏଥିରେ ସନ୍ଦେହ ନାହିଁ।