ବିଡିଓଙ୍କ ଉପରେ ଚାପ ଅଭିଯୋଗ
କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍) : କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭରତପୁର ପଂଚାୟତର ଭରତପୁର ସାମିଲ ପାରାଚକ ଗ୍ରାମରେ ପ୍ରାୟ ୨ଲକ୍ଷରୁ ଉଦ୍ଧ୍ୱର୍ ଟଙ୍କାର ସରକାରୀ ଅନୁଦାନରେ ଗତ ୨୦୦୬ମସିହାରେ ନିର୍ମିତ ହୋଇଥିବା କମ୍ୟୁନିଟି ସେଂଟରଟିକୁ ଗ୍ରାମପଂଚାୟତକୁ ହସ୍ତାନ୍ତର କରାନଯାଇ ସେହି ଗୃହଟିକୁ ୨୦୦୬ମସିହାରୁ ଭଡା ଦିଆଯାଇଥିବା ସମ୍ପର୍କରେ ଜନଅଭିଯୋଗ ଶୁଣାଣି ଶିବିରରେ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ନିକଟରେ ଅଭିଯୋଗ ହୋଇଥିଲା । ସେହି ପଂଚାୟତର ହରିଡାଦଣ୍ଡା ପଡାଗ୍ରାମର ବାବାଜୀ ସାମଲଙ୍କ ପୁଅ ବିଶ୍ୱଜିତ ସାମଲ ସେହି କମ୍ୟୁନିଟି ସେଂଟରଟିକୁ ପ୍ରଥମେ କଲ୍ୟାଣୀ ମହାମଣ୍ଡଳକୁ ଭଡା ଦେଇଥିବା ବେଳେ ପରେ ପାରାଚକ ଗ୍ରାମର ତନୁଜ ମଳିକକୁ କୁକୁଡାକଟା ଦୋକାନ କରିବାକୁ ଭଡା ଦେଇଥିବା ଅଭିଯୋଗ ହୋଇଥିଲା । ଦୀର୍ଘ ୧୩ବର୍ଷରୁ ଉଦ୍ଧ୍ୱର୍ ହେବ ଏକ ସରକାରୀ ଅନୁଦାନରେ ନିର୍ମିତ ଗୃହକୁ କିପରି ଜଣେ ସାଧାରଣ ଲୋକ ଭଡାଲଗାଇ ବ୍ୟକ୍ତିଗତ ଭାବରେ ଭଡା ଆଦାୟକରି ବେପାର କରୁଛି ତାହା ସାଧାରଣରେ ଆଶ୍ଚର୍ଯ୍ୟ ଚକିତ କରିଥିଲା । ଏତଦବ୍ୟତିତ ସେହି କମ୍ୟୁନିଟି ସେଂଟର ଗୃହଟିକୁ ତାଙ୍କ ଠାରୁ ବେଦଖଲ କରାଯାଇ ଗ୍ରାମପଂଚାୟତକୁ ହସ୍ତାନ୍ତର କରାଯିବା ସହିତ ସର୍ବସାଧାରଣଙ୍କ ନିମନ୍ତେ ସେହି ଗୃହଟିକୁ ବ୍ୟବହାର କରାଯିବାକୁ ଦାବି ହୋଇଥିଲା । ତୁରନ୍ତ ସେହି ବ୍ୟକ୍ତିଙ୍କ ଠାରୁ କମ୍ୟୁନିଟି ସେଂଟରଟର ସମ୍ପୂର୍ଣ୍ଣ ଭଡା ଆଦାୟ କରାଯିବା ସହିତ ତାଙ୍କ ବିରୋଧରେ ଆଇନଗତ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଜିଲ୍ଲାପାଳଙ୍କ ନିକଟରେ ଦାବି ହେବାପରେ ଜିଲ୍ଲାପାଳ ଶ୍ରୀ ବର୍ମା କେନ୍ଦ୍ରାପଡା ବିଡିଓ ସୁଧିର କୁମାର ସିଂଙ୍କୁ ତୁରନ୍ତ ତଦନ୍ତ କରିବା ସାହ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦେଶ ଦେଇଥିଲେ । ଜିଲ୍ଲାପାଳଙ୍କ ନିର୍ଦେଶ ପରେ ବିଡିଓ ଶ୍ରୀ ସିଂ ଗ୍ରାମପଂଚାୟତ ସଂପ୍ରସାରଣ ଅଧିକାରୀ ଅନିରୁଦ୍ଧ ବେହେରାଙ୍କ ସହ ଘଟଣାସ୍ଥଳକୁ ଯାଇ ତଦନ୍ତକରି ଫେରିଥିଲେ ମଧ୍ୟ ଏହାମଧ୍ୟରେ ୨୦ଦିନରୁ ଉଦ୍ଧ୍ୱର୍ ବିତିଯାଇଥିଲେ ମଧ୍ୟ କୈାଣସି ଆଇନଗତ ପଦକ୍ଷେପ ଗ୍ରହଣ ନକରିବା ସାଧାରଣରେ ସନ୍ଦେହ ସୃଷ୍ଟି କରିଛି । ଏହି ଘଟଣାକୁ ଚାପିଦେବାକୁ ବିଡିଓଙ୍କ ଉପରେ ଚାପ ପଡୁଥିବା ମଧ୍ୟ ଅଭିଯୋଗ ହୋଇଛି । ତେଣୁ ଜନସାଧାରଣଙ୍କ ସମୁହ ସ୍ୱାର୍ଥ ଦୃଷ୍ଟିରୁ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯିବାକୁ ସାଧାରଣରେ ଦାବି ହୋଇଛି ।