ବିଦ୍ୟାଧରପୁର- କାନପୁର ରାସ୍ତା କାମ ନିମ୍ନ ମାନର, କାମ ହେଉ ହେଉ ପିଚୁ ଉଠିଗଲା, ବିଭାଗୀୟ ଯନ୍ତ୍ରୀ ସାଜିଛନ୍ତି ନିରବ ଦ୍ରଷ୍ଟା

ହାଟଡ଼ିହି, (ବିକାଶ ବିଶ୍ୱାଳ):ବିଦ୍ୟାଧରପୁର- କାନପୁର ରାସ୍ତା କାମ ଅତି ନିମ୍ନ ମାନର ହେଉଥିବା ଅଭିଯୋଗ ହୋଇଛି। ଏହି ରାସ୍ତାଟି ଉପରେ କେନ୍ଦୁଝର, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାର ଲୋକମାନେ ନିର୍ଭର କରୁଥିବା ବେଳେ ଏହା ପୂର୍ତ୍ତ ବିଭାଗ ଅଧୀନରେ ଅଛି। ଚଳିତ ବର୍ଷ ଏହି ରାସ୍ତା ନିର୍ମାଣ ପାଇଁ ଅନୁମାନିକ ୧୬କୋଟିରୁ ଉର୍ଦ୍ଧ ଟଙ୍କାର ବ୍ୟୟ ବରାଦ କରାଯାଇ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଛି। ବିଦ୍ୟାଧରପୁର ବଜାର ଠାରୁ ମରଚାଇପଦା ଗାଁ ମୁଣ୍ଡ ପର୍ଯ୍ୟନ୍ତ ଏହି କାମ ହେବାକୁ ଥିବାବେଳେ ଠିକାଦାର ଯେନତେନ ପ୍ରକାରର କାମ କରି ନେଉଛନ୍ତି। ଯାହାକୁ ନେଇ ଅଞ୍ଚଳବାସୀ ଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଏପରିକି କାମ ଚାଲୁଥିବା ସମୟରେ ବିଭାଗୀୟ ଯନ୍ତ୍ରୀଙ୍କ ଅନୁପସ୍ଥିତି ରହିବା ଦ୍ୱାରା ଉଚିତ ମାନର କାମ ହେଉ ନଥିବା ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି। ଗତ ୩ଦିନ ତଳେ ବିଦ୍ୟାଧରପୁର ଠାରୁ ସୋସୋ କଲେଜ ଛକ ପର୍ଯ୍ୟନ୍ତ ଗୋଟିଏ ପଟ ପିଚୁ କରାଯାଇଥିବା ବେଳେ ତାହା ସବୁ ଉଠି ଗଲାଣି। ପିଚୁର ତେଲ ଅଂଶ ଠିକ ନଥିବାରୁ ପିଚୁ ପକାଇବା ପର ଠାରୁ ଚିପିସ ଗୁଡିକ ରାସ୍ତାରେ ଖେଳି ବୁଲିଲା। ଏନେଇ ସ୍ଥାନୀୟ ଲୋକମାନେ ବିଭାଗୀୟ ଯନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ଆମେ ଲୋକ ପଠାଇବୁ ସେମାନେ ଦେଖିବେ ବୋଲି କହି ଚୁପ ହୋଇଗଲେ। ଫଳରେ ଶସ୍ତାଟିର ଅବସ୍ଥା ଶୋଚନୀୟ ହୋଇଗଲା। ଯାହାକୁ ନେଇ ସ୍ଥାନୀୟ ଲୋକମାନେ କାମ ବନ୍ଦ କରିଦେଇଛନ୍ତି। ଏ ସମ୍ପର୍କରେ ବିଭାଗୀୟ ସହକାରୀ ଯନ୍ତ୍ରୀଙ୍କୁ ପଚାରିବାରେ ସେ କହିଛନ୍ତି ଯେ ପିଚୁ ଅଧିକ ଗରମ ହୋଇ ଯିବାରୁ ଏପରି ସମସ୍ୟା ହୋଇଛି। ସମ୍ପୃକ୍ତ ଠିକାଦାରଙ୍କୁ ଆଉଥରେ ପିଚୁ ପକାଇବାକୁ କହିଛୁ ବୋଲି ସହକାରୀ ଯନ୍ତ୍ରୀ କେଳୁଚରଣ ଦଳେଇ କହିଛନ୍ତି। ଏ ଅଞ୍ଚଳରେ ଯେତିକି ସବୁ ରାସ୍ତା ଘାଟ କାମ ହେଉଛି ତାହା ଉପଯୁକ୍ତ ମାନର ହେଉ ନଥିବାରୁ କେବଳ ଠିକାଦାର ପୋଷିବା ସାର ହେଉଛି ବୋଲି ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସୋମନାଥ ଦାସ କହିଛନ୍ତି।ଏଣୁ ପ୍ରଶାସନିକ ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ