ବିଦ୍ୟାଳୟରେ ବାରମ୍ବାର ବେହୋସ ହୋଇପଡୁଛନ୍ତି ଛାତ୍ରୀ ; ଭୌତିକ କାଣ୍ଡ ନେଇ ଗ୍ରାମବାସୀଙ୍କ ସନ୍ଦେହ

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ଗାଙ୍ଗପୁର ଥାନା ତଥା ଧରାକୋଟ୍ ବ୍ଳକ୍ ଅନ୍ତର୍ଗତ ଝାଡ଼ବନ୍ଧ ସ୍ଥିତ ଶ୍ରୀ ଶ୍ରୀ ଗରୁଡ଼େଶ୍ୱର ଉଚ୍ଚ ବିଦ୍ୟାଳୟରେ ଗତ କିଛିଦିନ ହେବ କିଛି ନିର୍ଦ୍ଦିଷ୍ଟ ସଂଖ୍ୟକ ଛାତ୍ରୀ ହଠାତ୍ ବେହୋସ ହୋଇପଡିବା ଘଟଣା ସ୍ଥାନୀୟ ଅଞ୍ଚଳ ବାସୀଙ୍କୁ ଚକିତ କରିଛି I ଏହାକୁ ଝାଡ଼ବନ୍ଧ ଗ୍ରାମବାସୀ ଭୌତିକ କାଣ୍ଡ ବୋଲି ସନ୍ଦେହ କରି ଗାଙ୍ଗପୁର ଥାନାର ଦ୍ୱାରସ୍ଥ ହେବାପରେ ପୋଲିସ୍ ଗୁଣିଗାରେଡ଼ିକୁ ବିଶ୍ୱାସ ନକରିବା ସହ ଛାତ୍ରଛାତ୍ରୀଙ୍କ ଉଚ୍ଚ ସ୍ତରୀୟ ଚିକିତ୍ସା ବ୍ୟବସ୍ଥା କରାଇବା ପାଇଁ ଗ୍ରାମବାସୀଙ୍କୁ ପରାମର୍ଶ ଦେଇଛି I ସୂଚନା ପ୍ରକାରେ ଦୁଇ ସପ୍ତାହ ତଳେ ବିଦ୍ୟାଳୟରେ ପ୍ରାର୍ଥନା ଚାଲୁଥିବା ସମୟରେ ବିଦ୍ୟାଳୟର ବିଦ୍ୟାଳୟର ଜଣେ ଛାତ୍ରୀ ବେହୋସ ହୋଇପଡିଥିଲା I ଏହା ପରେ ପରେ ଆଉ ସାତ ଜଣ ଛାତ୍ରୀ ମଧ୍ୟ ବେହୋସ ହୋଇପଡିଥିଲେ I ଘଟଣା ନେଇ ବିଦ୍ୟାଳୟ ପକ୍ଷରୁ ସେମାନଙ୍କ ଅଭିଭାବକ ମାନଙ୍କୁ ଜଣାଇବା ପରେ ସେମାନେ ଆସି ସମ୍ପୃକ୍ତ ଛାତ୍ରୀ ମାନଙ୍କୁ ଘରକୁ ନେଇଯାଇଥିଲେ I ଘଟଣା ନେଇ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଧରାକୋଟ ଗୋଷ୍ଠୀ ଶିକ୍ଷା ଅଧିକାରୀ ଏବଂ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଅବଗତ କରାଇଥିଲେ I ଉଭୟ ଅଧିକାରୀଙ୍କ ପ୍ରଚେ଼ଷ୍ଟା କ୍ରମେ ଧରାକୋଟ,ବାଲିସିରା,ଜଗମୋହନ ଏବଂ ଝାଡ଼ବନ୍ଧର ସ୍ୱାସ୍ଥ୍ୟ କର୍ମଚାରୀମାନେ ଆସି ସମ୍ପୃକ୍ତ ଛାତ୍ରୀ ମାନଙ୍କ ଘରକୁ ଯାଇକି ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ I ଏହାପର ଦିନ ଝାଡ଼ବନ୍ଧରେ ଏକ ସ୍ଵାସ୍ଥ୍ୟ ଶିବିର ଆୟୋଜନ କରାଯାଇ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀଙ୍କ ସମେତ ଗ୍ରାମର କିଛି ଯୁବକ ଯୁବତୀଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହିତ କିଛି ଛାତ୍ରଛାତ୍ରୀଙ୍କ ନିମ୍ନ ରକ୍ତଚାପ ଥିବା ଯୋଗୁଁ ଏହିଭଳି ଘଟଣା ଘଟିଥିବା ପ୍ରକାଶ କରି ଔଷଧ ପ୍ରଦାନ କରିଥିଲେ I ଏହାର କିଛି ଦିନ ପରେ ପୂର୍ବରୁ ବେହୋସ ହୋଇଥିବା ଛାତ୍ରୀମାନଙ୍କ ମଧ୍ୟରୁ ପୁନର୍ବାର ଦୁଇ ଜଣ ଛାତ୍ରୀ ବେହୋସ ହୋଇପଡ଼ିଥିଲେ I ଶୁକ୍ରବାର ଦିନ ପୁଣି ଛଅ ସାତ ଛାତ୍ରୀଙ୍କ ଏକା ଅବସ୍ଥା ହୋଇଥିଲା I ଏନେଇ ଗ୍ରାମବାସୀ ଭୟଭୀତ ହୋଇପଡିବା ସହିତ କୌଣସି ଭୌତିକ କାଣ୍ଡ ଯୋଗୁଁ ଏଭଳି ଘଟୁଥିବା ଏବଂ ବିଦ୍ୟାଳୟରେ ଶିକ୍ଷାଦାନରେ ବ୍ୟାଘାତ ଘଟୁଥିବା ସନ୍ଦେହ କରିଥିଲେ I ଭୌତିକ କାଣ୍ଡ ଏବଂ ଗୁଣି ଗାରେଡ଼ି ହେଉଥିବା ଅଭିଯୋଗ ଆଣି ଗ୍ରାମର ଭଦ୍ରବ୍ୟକ୍ତି ମାନେ ଆଜି ଗାଙ୍ଗପୁର ଥାନାର ଦ୍ୱାରସ୍ଥ ହୋଇଥିଲେ I ଘଟଣା ନେଇ ଗାଙ୍ଗପୁର ଥାନା ଅଧିକାରୀ ଶୁଭେନ୍ଦୁ କୁମାର ସାହୁ ଗ୍ରାମବାସୀଙ୍କୁ ନେଇ ଥାନା ପରିସରରେ ଏକ ସଚେତନତା ବୈଠକ ଆୟୋଜନ କରିବା ସହିତ ବର୍ତ୍ତମାନ ବିଜ୍ଞାନ ଯୁଗରେ ଗୁଣିଗାରେଡ଼ି ସମ୍ପୁର୍ଣ୍ଣ ଅସ୍ତିତ୍ୱ ହୀନ ବୋଲି ପ୍ରକାଶ କରିଥିଲେ I ତେଣୁ ଘଟଣାରେ କୌଣସି ପ୍ରକାର ଅନ୍ଧବିଶ୍ୱାସକୁ ପ୍ରଶ୍ରୟ ନଦେଇ ଛାତ୍ରଛାତ୍ରୀଙ୍କ ଉଚ୍ଚ ସ୍ତରୀୟ ସ୍ୱାସ୍ଥ୍ୟ ପରୀକ୍ଷା ଏବଂ ଚିକିତ୍ସା ନିମନ୍ତେ ପରାମର୍ଶ ଦେଇଥିଲେ I ଏନେଇ ଆସନ୍ତା ସୋମବାର ଦିନ ଧରାକୋଟରେ ହେବାକୁ ଥିବା ଅଭିଯୋଗଶୁଣାଣି କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳଙ୍କ ସମେତ ଏସଡିପିଓ ଏବଂ ଅନ୍ୟାନ୍ୟ ଅଧିକାରୀଙ୍କୁ ଅବଗତ କରାଯିବା ସହିତ ଉଚ୍ଚସ୍ତରୀୟ ଚିକିତ୍ସା ବ୍ୟବସ୍ଥା ପାଇଁ ଗଞ୍ଜାମ ଜିଲ୍ଳାପାଳଙ୍କୁ ମଧ୍ୟ ଅନୁରୋଧ କରାଯିବ ବୋଲି ସୂଚନା ଦେଇଥିଲେ I ଗାଙ୍ଗପୁର ଥାନା ଅଧିକାରୀ ଶୁଭେନ୍ଦୁ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଝାଡ଼ବନ୍ଧ ଗ୍ରାମର 50 ରୁ ଊର୍ଦ୍ଧ୍ୱ ଭଦ୍ରବ୍ୟକ୍ତିଙ୍କ ସମେତ ଏସ୍ଆଇ ଶୁଭ୍ରଜିତ ସାମନ୍ତରାୟ, ସୁକାନ୍ତ ପ୍ରଧାନ,ବିଦ୍ୟାଳୟର ଶିକ୍ଷକ ସନ୍ତୋଷ କୁମାର ବିଷୋୟୀ, କର୍ମଚାରୀ ଅରୁଣ ସ୍ଵାଇଁ ପ୍ରମୁଖ ଉପସ୍ଥିତ ଥିଲେ I ପୋଲିସ୍ ର ହସ୍ତକ୍ଷେପ ଫଳରେ ଗ୍ରାମବାସୀ ଗୁଣିଗାରେଡ଼ି ଭଳି ଅନ୍ଧବିଶ୍ୱାସରୁ ନିବୃତ୍ତ ରହି ଉଚ୍ଚ ସ୍ତରୀୟ ଚିକିତ୍ସା ଉପରେ ଭରସା କରିଛନ୍ତି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ