ବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ ଉଦ୍ଘାଟିତ କ୍ରୀଡା ଦିଏ ଆନନ୍ଦ, କ୍ରୀଡା ଶିଖାଏ ଶୃଙ୍ଖଳା
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଭୁବନେଶ୍ୱର ଉପକଣ୍ଠ ସ୍ଥିତ ଚନ୍ଦକା-ଡମପଡା ହସ୍ତୀ ଅଭୟାରଣ୍ୟ ଘେର ମଧ୍ୟରେ ଅବସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟ, କନ୍ଦଳେଇର ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରତିବର୍ଷ ପରି ଚଳିତ ବର୍ଷ ସାମାଜିକ ଅନୁଷ୍ଠାନ ଚିନ୍ମୟୀ ଫାଉଣ୍ଡେସନ୍ ଟ୍ରଷ୍ଟ ସହଯୋଗରେ ଏହି ଉତ୍ସବଟିକୁ ଆୟୋଜନ କରାଯାଇଥିଲା । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଚିତ୍ର କୁମାର ମାଝୀଙ୍କ ପୌରହିତ୍ୟରେ ଆୟୋଜିତ ଉକ୍ତ ଉତ୍ସବକୁ ସାମାଜିକକର୍ମୀ ସୁଶାନ୍ତ ସାହୁ ଆନୁଷ୍ଠାନିକ ରୂପେ ଉଦ୍ଘାଟନ କରି କହିଥିଲେ, କ୍ରୀଡା ଦିଏ ଆନନ୍ଦ, କ୍ରୀଡା ଶିଖାଏ ଶୃଙ୍ଖଳା । ଏହା ଶାରୀରିକ, ମାନସିକ ଓ ବୌଦ୍ଧିକ ବିକାଶରେ ସହାୟକ ହୋଇଥାଏ । ଆମ ରାଜ୍ୟରେ ସରକାରୀ ପ୍ରାଥମିକ ବିଦ୍ୟାଳୟ ସ୍ତରରେ କ୍ରୀଡା ଭିତ୍ତିଭୂମିର ଅଭାବ ରହିଛି । ନା ଅଛନ୍ତି ଖେଳ ପ୍ରଶିକ୍ଷକ ନା ଅଛି ଖେଳ ପଡିଆ । ବିଦ୍ୟାଳୟ ସ୍ତରରୁ କ୍ରୀଡାର ଭିତ୍ତିଭୂମି ସୁଦୃଢ ହେଲେ ଅନେକ ଉଦୀୟମାନ ଖେଳାଳି ସୃଷ୍ଟି ହୋଇପାରିବେ ବୋଲି ସେ ଆଶା ପ୍ରକଟ କରିଥିଲେ । ଅନ୍ୟତମ ଅତିଥି ରୂପେ ‘ବୁଲ୍ସଆଇ’ର ଅଧ୍ୟକ୍ଷ ତ୍ରିଲୋଚନ ବେଉରା ଯୋଗଦେଇ କ୍ରୀଡାର ମହତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ । ଉକ୍ତ କ୍ରୀଡା ଉତ୍ସବରେ ୧୦୦ ମିଟର ଦୌଡ, ଅଖା ଦୌଡ, ବେଙ୍ଗ ଡିଆଁ, ଦଉଡି ଡିଆଁ, ପୁଚି, ଲେମ୍ବୁ ଚାମଚ, ସଙ୍ଗୀତ ଚୌକି ଆଦି କ୍ରୀଡା ପ୍ରତିଯୋଗିତା ବିଦ୍ୟାର୍ଥୀମାନଙ୍କ ମଧ୍ୟରେ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଶିକ୍ଷକ ସୁବାଷ ଓଝା, ସାମାଜିକକର୍ମୀ ପ୍ରିୟବ୍ରତ ପଣ୍ଡା ଓ ଗ୍ରାମର ଯୁବକମାନେ ପରିଚାଳନାରେ ସହଯୋଗ କରିଥିଲେ ।