ବିଦ୍ୟାଳୟ ଅର୍ଥ ଆତ୍ମସାତ ଓ ପରିଚାଳନାଗତ ତ୍ରୁଟିର ତଦନ୍ତ ଦାବିରେ ଗଣଧାରଣା
କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା) :-କୋଣାର୍କ ଥାନା ଅଧିନସ୍ଥ ଅବଦାନ ଗ୍ରାମ ପଞ୍ଚାୟତର କନ୍ତିମଳା ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅର୍ଥ ଆତ୍ମସାତ ଓ ପରିଚାଳନାଗତ ତ୍ରୁଟିର ତଦନ୍ତ ଦାବିରେ ବିଦ୍ୟାଳୟ ସମ୍ମୁଖରେ ଗ୍ରାମର କିଛି ସଚେତନ ନାଗରିକ, ପୁରାତନ ପରିଚାଳନା କମିଟି ସଭ୍ୟ ଓ ବର୍ତ୍ତମାନର କିଛି ପରିଚାଳନା କମିଟି ସଦସ୍ୟ ମାନେ ଗଣଧାରଣା ଦେଇଛନ୍ତି। ଖବରରୁ ପ୍ରକାଶ ଯେ ଅବଦାନ ଗ୍ରାମପଞ୍ଚାୟତର କନ୍ତିମଳା ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜଟାଧାରୀ ମହାରଣା ଦାୟିତ୍ଵଗ୍ରହଣ ଦିନ ଠାରୁ ବିଦ୍ୟାଳୟ ପରିଚାଳନା କମିଟିକୁ ଆସୁଥିବା ସରକାରୀ ଅନୁଦାନ ସମ୍ପର୍କରେ ସବିଶେଷ ହିସାବ ପ୍ରଦାନ ନ କରିବା ଘଟଣାକୁ ନେଇ କନ୍ତିମଳା ଗ୍ରାମର ଗ୍ରାମବାସୀ, ପୂର୍ବତନ ଓ ବର୍ତ୍ତମାନର ପରିଚାଳନା କମିଟି ସଭ୍ୟ ମାନେ ଏହାର ବିଧିବଦ୍ଧ ତଦନ୍ତ କରିବା ପାଇଁ ପୁରୀ ଜିଲ୍ଲାପାଳ, ଜିଲ୍ଳା ଶିକ୍ଷା ଅଧିକାରୀ, କାକଟପୁର ବିଡିଓ, କାକଟପୁର ତହସିଲଦାର, କାକଟପୁର ବ୍ଲକ ଶିକ୍ଷାଧିକାରୀ, କାକଟପୁର ବ୍ଲକ ଅଧ୍ୟକ୍ଷ ଓ କୋଣାର୍କ ଥାନା ଅଧିକାରୀ ପ୍ରମୁଖଙ୍କୁ ଗତ ୨୩ ତାରିଖରେ ଲିଖିତ ଅଭିଯୋଗ କରିଥିଲେ। ଏହି ଅଭିଯୋଗକୁ ଭିତ୍ତିକରି କୌଣସି ତଦନ୍ତ ନ ହେବାରେ ଆଜି ବିଦ୍ୟାଳୟ ସମ୍ମୁଖରେ ଗଣଧାରଣା ଦିଆଯାଇଛି। ଏହି ଗଣଧାରଣା ସ୍ଥଳରେ କୌଣସି ଅଧିକାରୀ ପହଞ୍ଚି ନ ଥିଲା ବେଳେ କାକଟପୁର ବ୍ଲକ ଶିକ୍ଷାଧିକାରୀ ମନ୍ଦରଧର ମହାନ୍ତି ଙ୍କୁ ଯୋଗାଯୋଗ କରାଯିବାରେ ସେ ଦୁଇଟି ବ୍ଲକର ଦାୟିତ୍ବରେ ଥିବାରୁ ଧାରଣା ସ୍ଥଳକୁ ଆସନ୍ତା ସୋମବାର ଯାଇ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ ବୋଲି ପ୍ରକାଶ କରିଛନ୍ତି। ଏହି ଗଣଧାରଣାରେ କନ୍ତିମଳା ଗ୍ରାମର ଅଜୟ କୁମାର ସ୍ୱାଇଁ,ଜୟରାମ ବଳ, ଗୋବର୍ଦ୍ଧନ ବେହେରା, ଗନ୍ଧର୍ବ ସ୍ୱାଇଁ, ତ୍ରିଲୋଚନ ସ୍ୱାଇଁ ଓ ସୋମନାଥ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।