ବିଦ୍ୟାଳୟ ନିକଟରେ ଚାଲିଛି ବେଆଇନ ଇଟାଭାଟି
ନାଉଗାଁ :ରାଜ୍ୟ ପରିବେଶ ନିୟନ୍ତ୍ରଣ ବୋର୍ଡର ସବୁ ନିୟମକୁ ଉଲଘଂନ କରି ଗଢି ଉଠିଛି ବେଆଇନ ଇଟାଭାଟି ।ନାଉଗାଁ ବ୍ଳକର ଡେରିକି ରାଜସ୍ୱ କାର୍ଯ୍ୟାଳୟ ଅଧୀନରେ ଅଧିକ ମାତ୍ରାରେ ବେଆଇନ ଇଟା ଭାଟି ଗଢି ଉଠିଥିବା ଜଣାଯାଇଛି । ଇଟାଭଟି ଏହି ରାଜସ୍ୱ କାର୍ଯ୍ୟାଳୟ ଅଧିନରେ ଡେରିକି, କୋରୁଅ, ତିରୁଣା,ଡାବର,ଓଷକଣା ଆଦି ପଂଚାୟତ ରହିଛି । କୋରୁଅ ପଂଚାୟତର ଗାରୋଇସ୍ଥିତ ଡାହାଣୀଖିଆ ପ୍ରାଥମିକ ବିଦ୍ୟାଳୟ ପଛପଟେ ଇଟା ବିକ୍ରୟ କରିବା ପାଇଁ ପଡୁଥିବା ବେଳେ ଇଟାଭାଟିରେ ନିଆଁ ଲାଗି ରହିଛି । ନିଆଁ ଲିଭିବାର ନାଁ ଧରୁନି । ବିଦ୍ୟାଳୟ ନିକଟରେ ଇଟାଭାଟି ପୋଡା ହେଉଥିବାରୁ ଇଟାଭାଟି ଧୂଆଁରେ ପିଲାମାନେ ଅଣନିଶ୍ୱାସୀ ହୋଇ ପଡୁଛନ୍ତି । କେବଳ ଯେ ପିଲାମାନେ ଅଣ ନିଶ୍ୱାସୀ ହେଉଛନ୍ତି ତା ନୁହେଁ ଇଟାଭାଟି ଚାରି ପାଖରେ ରହିଛି ଜନବସତି । ଗାଁରେ ରହୁଥିବା ବୃଦ୍ଧବୃଦ୍ଧାମାନେ ଇଟାଭାଟି ଧୂଆଁରେ ଅଣ ନିଶ୍ୱାସୀ ହୋଇ ଯାଉଛନ୍ତି । ବେଆଇନ ଇଟା ଭାଟିର ମାଲିକ ଖୁଲମଖୁଲା ପରିବେଶ ସୁରକ୍ଷା ଆଇନ-୧୯୮୬କୁ ଉଲଘଂନ କରୁଥିଲେ ମଧ୍ୟ ସ୍ଥାନୀୟ ରାଜସ୍ୱ ବିଭାଗ ଜାଣି ଶୁଣି ଚୁପ ରହିଛି । ଇଟାଭାଟି ଜନବସିତି ଅଂଚଳରେ ଇଟାଭାଟି ରହିଥିବାରୁ ଇଟାଭାଟି ଧୂଆଁରେ ଶ୍ୱାସ,ଫୁସଫୁସ ଆଦି ରୋଗରେ ଆକ୍ରାନ୍ତ ହେବାର ସମ୍ଭାବନା ଦେଖା ଦେଇଥାଏ ବୋଲି ଚିକିତ୍ସକମାନେ ପ୍ରକାଶ କରିଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥାହେଲା ବ୍ଳକର ବିଭିନ୍ନ ସ୍ଥାନରେ ବେଆଇନ ଇଟାଭାଟି ଗଢି ଉଠିଥିବା ବେଳେ ପ୍ରଶାସନର ନିରବତାକୁ ନେଇ ସାଧାରଣରେ ସନ୍ଦେହ ପ୍ରକାଶ ପାଇଛି । ଅପରପକ୍ଷେ ଅନେକ ଇଟାଭାଟିରେ ଜିଲ୍ଲା ବାହାରୁ ଶିଶୁ ଶ୍ରମିକ ନିୟୋଜିତ ହୋଇଥିବା ଦେଖିବାକୁ ମିଳିଛି । ସରକାରଙ୍କ ନିୟମାନୁସାରେ ଇଟାଭାଟି ନିର୍ମାଣ କରିବା ପୂର୍ବରୁ ସ୍ଥାନୀୟ ତହସିଲଦାରଙ୍କ ନିକଟରୁ ଅନୁମତି ନେବା କଥା । କିନ୍ତୁ ଇଟା ବ୍ୟବସାୟୀମାନେ କୌଣସି ଅନୁମତି ନ ଆଣି ସରକାରୀ ନିୟମକୁ ଖୁଲମଖୁଲା ଉଲଘଂନ କରି ଚାଲିଛନ୍ତି । ଯାହା ପ୍ରତି ପ୍ରଶାସନ କୌଣସି ପଦକ୍ଷେପ ଗ୍ରହଣ କରୁ ନଥିବାରୁ ସ୍ଥାନୀୟ ଅଂଚଳରେ ଅସନ୍ତୋଷ ଦେଖା ଦେଇଛି । ବେଆଇନ ଇଟା ଭାଟି ବିଷୟରେ ତହସିଲଦାର ଜେ.କଳ୍ପନା ଙ୍କୁ ପଚାରିବାରୁ ସ୍ଥାନୀୟ ରାଜସ୍ୱ ନିରୀକ୍ଷକଙ୍କୁ ପଠାଇ ତଦନ୍ତ କରାଯିବ ବୋଲି କହିଛନ୍ତି ।


