ବିଦ୍ୟାଳୟ ପରିସରରେ ଆବର୍ଜନା : ଥାନାରେ ଅଭିଯୋଗ
ନାଉଗାଁ(ଯୁଗାବ୍ଦ ନ୍ୟୁଜ୍):ନାଉଗାଁ ବ୍ଳକ ଅନ୍ତର୍ଗତ ଅଲଣାହାଟ ପ୍ରକଳ୍ପ ଉ.ପ୍ରା ବିଦ୍ୟାଳୟ ପରିସରକୁ କେହି ବ୍ୟକ୍ତି ପ୍ରତ୍ୟେହ ଅପରିଷ୍କାର କରୁଥିବାକୁ ନେଇ ଶୁକ୍ରବାର ବିଦ୍ୟାଳୟ ପରିଚାଳନା କମିଟି ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ କରାଯାଇଛି । ଅଭିଯୋଗ ମୁତାବକ ବିଦ୍ୟାଳୟ ପରିସର ଓ ବିଦ୍ୟାଳୟ ଶ୍ରେଣୀ କକ୍ଷ ସମ୍ମୁଖରେ କେହି ଅସାମାଜିକ ବ୍ୟକ୍ତି ରାତିରେ ମଳତ୍ୟାଗ କରୁଅଛି । ଯାହାଫଳରେ ବିଦ୍ୟାଳୟ ପରିସରରେ ଦୁର୍ଗନ୍ଧ ସୃଷ୍ଟି ହେଉଛି । ଏହି ଘଟଣା ଦୀର୍ଘ ୬ ମାସ ହେଲା ଘଟି ଆସୁଛି । କିଏ ଏପରି କାର୍ଯ୍ୟ କରୁଅଛି ତାକୁ ପରଖିବା ପାଇଁ ଅଭିଭାବକ, ଶିକ୍ଷା କମିଟିର ସଦସ୍ୟ, ସ୍ଥାନୀୟ ବୁଦ୍ଧିଜୀବିମାନଙ୍କୁ ନେଇ ବାରମ୍ବାର ବୈଠକ କରାଯାଇଥିଲେ ମଧ୍ୟ ଆମେ ସଫଳ ହୋଇ ପାରିନାହୁଁ । ଏହି ବିଦ୍ୟାଳୟରେ ୬ଜଣ ଶିକ୍ଷକ ଥିବା ବେଳେ ୧୦୦ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ପଢୁଛନ୍ତି । ପ୍ରତ୍ୟେହ ପିଲାମାନଙ୍କୁ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ କରାଯାଇ ପ୍ରଦାନ କରାଯାଉଛି । କିନ୍ତୁ ବିଦ୍ୟାଳୟ ପରିସର ଓ ଶ୍ରେଣୀକକ୍ଷ ସମ୍ମୁଖରେ ପ୍ରତିଦିନ ମଳତ୍ୟାଗ ହେଉଥିବା ଯୋଗୁଁ ପିଲାମାନେ ମଧ୍ୟାହ୍ନ ଭୋଜନ ଖାଇବାକୁ ଘୃଣା କରୁଛନ୍ତି । ଫଳରେ ପିଲାମାନେ ବିଦ୍ୟାଳୟକୁ ଆସିବାକୁ ଆଗ୍ରହ କରୁନାହାନ୍ତି । ସେମାନଙ୍କର ପାଠପଢାରେ ବ୍ୟାଘାତ ସୃଷ୍ଟି ହେଉଛି । ଏହାର ତଦନ୍ତ କରାଯାଇ ଉକ୍ତ କାର୍ଯ୍ୟରେ ଲିପ୍ତ ଥିବା ବ୍ୟକ୍ତିକୁ ଧରାଯାଇ ଆଇନାନୁଯାୟୀ ଦଣ୍ଡିତ କରିବାକୁ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ବିଜୟ ସେନାପତି,ଅଜୟ ସାହୁ,ହେମନ୍ତ କୁମାର ସାହୁ ନିବେଦନ କରିଛନ୍ତି ।


