ବିଦ୍ୟାଳୟ ପରିସର ପାଲଟିଛି ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡାସ୍ଥଳି
ହିଂଜିଳିକାଟ (ଶେଷଦେବ ସାହୁ): ପୌରାଂଚଳ ଲକ୍ଷ୍ମି ନୃସିଂହ ପ୍ରାଥମିକ ବିଦ୍ୟାଳୟ ପରିସର ପାଲଟିଛି ଅସାମାଜିକଙ୍କ ଆଡ୍ଡାସ୍ଥଳି । ବିଦ୍ୟାଳୟ ପରିସରରେ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମେତ ଲକ୍ଷ୍ମୀ ନୃସିଂହ କଳାମନ୍ଦିର ରହିଛି । ଉକ୍ତି ୩ ଟି କାର୍ଯ୍ୟାଳୟକୁ ମାତ୍ର ଗୋଟିଏ ମାତ୍ର ଫାଟକ ରହିଥିବାରୁ ବିଦ୍ୟାଳୟ ଛୁଟି ପରେ ମଧ୍ୟ କଳାମନ୍ଦିରକୁ ନୃତ୍ୟ, ସଙ୍ଗିତ ଶିକ୍ଷା ଅଧ୍ୟୟନ କରିବା ସକାଶେ ଶିକ୍ଷାର୍ଥୀ ମାନେ ସନ୍ଧ୍ୟା ସମୟ ଠାରୁ ଆସି ରାତି ପ୍ରାୟ ସାଢେ ୯ ଟା ପର୍ଯ୍ୟନ୍ତ ରହି ନୃତ୍ୟ, ସଙ୍ଗିତ ଶିକ୍ଷା କରୁଛନ୍ତି । ବିଦ୍ୟାଳୟ ପରିସରରେ ଆଲୋକର ବ୍ୟବସ୍ଥା ନଥିବାରୁ ଏହାର ସୁଯୋଗ ନେଇ କିଛି ଅସାମାଜିକ ବ୍ୟକ୍ତି ବିଦ୍ୟାଳୟ ପରିସରରେ ପଂହଚି ମଦର ଆସର ଜମାଉଥିବାର ଶୁଣିବାକୁ ମିଳିଛି । ବିଦ୍ୟାଳୟ ପରିସରରେ ଥିବା ପାନୀୟ ଜଳ ପାଇପକୁ ଭାଙ୍ଗିବା ସହ ଲୁଟି ନେଉଥିବା ଜଣାପଡ଼ିଛି । ଏପରିକି ମଦ୍ୟପାନ ପରେ ପାନୀୟ ଜଳ ଟାଙ୍କି ଘୋଡ଼ଣୀକୁ ବାହାର କରି ପାଣି ଟାଙ୍କି ମଧ୍ୟରେ ଭଙ୍ଗା ମଦ ବୋତଲ ପକାଉଛନ୍ତି । ବିଦ୍ୟାଳୟ ପ୍ରକୋଷ୍ଠର ଭେଂଟଲିଟରକୁ ମଧ୍ୟ ଭାଙ୍ଗି ଦେଇଛନ୍ତି । ରବିବାର ଓ ସୋମବାର ବିଦ୍ୟାଳୟ ଛୁଟି ରହିଥିଲା । ମଙ୍ଗଳବାର ବିଦ୍ୟାଳୟ ଖୋଲିବା ପରେ ବିଦ୍ୟାଳୟକୁ ଶିକ୍ଷୟତ୍ରୀ ଓ ଶିକ୍ଷାର୍ଥୀ ମାନେ ବିଦ୍ୟାଳୟକୁ ଆସି ପଂହଚିଲା ବେଳକୁ ବିଦ୍ୟାଳୟ ଶେଣ୍ରୀ ପ୍ରକୋଷ୍ଠ ବାରଣ୍ଡାରେ ଭଙ୍ଗା ମଦ ବୋତଲ ପଡ଼ିଥିବା ସହ ଦୁବୃର୍ତ ମାନେ ବିଦ୍ୟାଳୟ ପାଣି ପାଇପକୁ ଭାଙ୍ଗି ନେଇଯାଇଥିବାର ଦେଖିଥିଲେ । ଘଟଣା ନେଇ ମଙ୍ଗଳବାର ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସ୍ନେହଲତା ପଟ୍ଟନାୟକ ଭାରପ୍ରାପ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଏସ. ଗିରିଧାରୀଙ୍କୁ ଅବଗତ କରାଇଛନ୍ତି । ଏ ନେଇ ଭାରପ୍ରାପ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଏସ. ଗିରିଧାରୀଙ୍କ ସହ ଯୋଗଯୋଗ କରିବାରୁ ସେ କହିଲେ ଘଟଣା ନେଇ ବୁଧବାର ଦିନ ହିଂଜିଳି ଥାନାରେ ଅଭିଯୋଗ କରାଯିବ କିମ୍ବା ଆବଶ୍ୟକ ପଡ଼ିଲେ ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ପରିସରରେ ସିସି ଟିଭି ଲଗାଯିବ ।
