ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଳିଗଲେ ଚାଷୀ
ଦିଗପହଣ୍ଡି, (ଓ୍ବାଇଏନ୍ଏସ୍):ଦିଗପହଣ୍ଡି ଥାନା ଦଶିପୁର ଗ୍ରାମର ରାଜୁ ସାହୁ ନାମକ ଜଣେ ଚାଷୀ ବୁଧବାର ପୂର୍ବାହ୍ନ ରେ ତାଙ୍କ ଚାଷଜମିରେ କାମ କରୁଥିବା ବେଳେ ୧୧ କେ. ଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ମୃତ୍ୟୁବରଣ କରିଛନ୍ତି।ମଙ୍ଗଳବାର ରାତିରେ ବର୍ଷା ପବନ ପ୍ରଭାବରେ ତାଙ୍କ ଚାଷଜମିରେ ଛିଣ୍ଡି ପଡ଼ିଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିବାରୁ ସେ ଜୋର୍ ରେ ପାଟି କରିଥିଲେ। ତାଙ୍କ ଶରୀରର ପିଠି ଓ ଅଣ୍ଟା ର ଅର୍ଦ୍ଧାଧିକ ଭାଗ ଜଳିଯାଇଥିଲା। ତାଙ୍କ ପାଟିଶୁଣି ଆଖପାଖ ଜମିରେ କାମ କରୁଥିବା ଅନ୍ୟ କେତେକ ଚାଷୀ ଦୋୖଡି ଯାଇ ବିଦ୍ୟୁତ୍ ତାର ଠାରୁ କିଛିଦୂରରେ ପଡିରହିଥିବା ରାଜୁଙ୍କୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଉଦ୍ଧାର କରି ପରିବାର ଲୋକ ଙ୍କୁ ଖବର କରିଥିଲେ। ପରେ ତାଙ୍କୁ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ଖବରପାଇ ଦିଗପହଣ୍ଡି ଥାନା ଏସ ଆଇ ମାଧବ ଚନ୍ଦ୍ର ଟାକରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ପହଞ୍ଚି ମୃତଦେହ ଜବତ କରିବାସହ ଥାନା ଅପମୃତ୍ୟୁ ମାମଲା ନଂ.୭/୨୦ ଅନୁଯାୟୀ ମୃତଦେହ କୁ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡଡ଼ାକ୍ତରଖାନା କୁ ପଠାଇଥିଲେ।ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ଜଣାପଡ଼ିଛି।