ବିଦ୍ୟୁତ ଆଘାତରେ ଜଣେ ମୃତ : ଜଣେ ଗୁରୁତର

ହିଞ୍ଜିଳିକାଟୁ, (ଶେଷଦେବ ସାହୁ) :-ହିଞ୍ଜିଳି ଥାନା ସୋମପୁର ନିକଟରେ ନିର୍ମାଣଧିନ କୋଠାରେ ବୁଧବାର ସକାଳେ ଏକ ଅଘଟଣ ଘଟିଛି । ସଂପୃକ୍ତ କୋଠାର ଅତି ନିକଟରେ ଥିବା୧୧ କେଭି ବିଦ୍ୟୁତ ତାର ସଂପ୍ସର୍ଶରେ ଆସି ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି । ମୃତକ ଜଣକ ହିଞ୍ଜିଳି ଥାନା ପୋଚିଲିମା ଇନ୍ଦିରାଆବାସ କଲୋନୀ ବାସିନ୍ଦା ସିମାଞ୍ଚଳ ଦାସ (୩୫) ଓ ଗୁରୁତର ଆହତ ଜଣକ ଖରିଡା ଗ୍ରାମ ଶିବ ମନ୍ଦିର ସାହିର ମିଟିକ ଗଉଡ (୨୦) । ଖବର ପାଇ ହିଞ୍ଜିଳି ପୋଲିସ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ପହଞ୍ଚି ମୃତଦେହକୁ ଜବତ କରିଛି । ଏ ନେଇ ହିଞ୍ଜିଳି ଥାନାରେ କେଶ ନଂ- ୩/୨୨ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଛେଦ ସକାଶେ ମୃତଦେହକୁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଇ ପୋଲିସ ଘଟଣାର ତଦନ୍ତ ଚଳାଇଥିବା ଥାନା ସୁତ୍ରରୁ ପ୍ରକାଶ । ଅନ୍ୟ ପକ୍ଷରେ ଗୁରୁତର ଆହତଙ୍କୁ ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ସକାଶେ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଯାଇଛି । ମିଳିଥିବା ସୂଚନା ପ୍ରକାରେ ହିଞ୍ଜିଳି ଥାନା ସୋମପୁର ନିକଟରେ ଥିବା ଏକ କାଠ ଫର୍ଣ୍ଣିଚର ଫ୍ୟାକ୍ଟ୍ରି ପରିସରରେ ନିର୍ମାଣଧିନ ନୂତନ କୋଠାରେ ପାଣି ସିଞ୍ଚନ ସକାଶେ ମିଟିକ ଓ ସିମାଞ୍ଚଳ କାର୍ଯ୍ୟରେ ନିୟୋଜିତ ଥିଲେ । ପାଣି ସିଞ୍ଚନ କରୁଥିବା ବେଳେ ସଂପୃକ୍ତ ୧୧ କେଭି ବିଦ୍ୟୁତ ତାର ଉପରେ କୌଣସି କାରଣରୁ ଏକ ଆଲୁମିନିୟମ ସିଡି ପଡି ଯାଇଥିଲା । ସିଡି ବାହାର କରିବା ପାଇଁ ମିଟିକ ଉଦ୍ୟମ କରୁଥିବା ବେଳେ ବିଦ୍ୟୁତ ସଂପ୍ସର୍ଶରେ ଆସିଥିଲେ । ମିଟିକକୁ ଉଦ୍ଧାର କରିବାକୁ ଯାଇ ସିମାଞ୍ଚଳ ବିଦ୍ୟୁତ ସଂପ୍ସର୍ଶରେ ଆସିଥିଲେ । ମିଟିକ ତଳେ ପଡିଯାଇ ଗୁରୁତର ଆହତ ହୋଇଥବା ବେଳେ ସିମାଞ୍ଚଳଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିଲା । ଘଟଣା ପରେ ସାଥୀ ଶ୍ରମିକ ମାନେ ଉଭୟଙ୍କୁ ଉଦ୍ଧାର କରି ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ସିମାଞ୍ଚଳଙ୍କୁ ମୃତ ଘୋଷଣା କରିଥିଲେ । ପ୍ରକାଶ ଥାଉକି, ସ୍ଥାନୀୟ ଅଞ୍ଚଳରେ ବିଭିନ୍ନ କାର୍ଯ୍ୟରେ ନିୟୋଜିତ ଥିବା ଶ୍ରମିକଙ୍କ ଜୀବନ ସୁରକ୍ଷା ଲାଗି ଶ୍ରମ ବିଭାଗ ପକ୍ଷରୁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ସକାଶେ ସ୍ପଷ୍ଠ ନିର୍ଦ୍ଦେଶନାମା ରହିଛି । କିନ୍ତୁ ହିଞ୍ଜିଳିକାଟୁ ଅଞ୍ଚଳରେ ସରକାରଙ୍କ ସମସ୍ତ ନିୟମକୁ ବାଏଁ ବାଏଁ ଉଡାଇ ଠିକାଦାର ଓ ବ୍ୟବସାୟୀ ନିଜ ନିଜ ଉଦ୍ୟୋଗରେ ଅଭାବୀ ଶ୍ରମିକ ମାନଙ୍କୁ ବିପଦପୁର୍ଣ୍ଣ କାର୍ଯ୍ୟରେ ନିୟୋଜିତ କରୁଥିବାର ଦେଖିବାକୁ ମିଳିଛି । ଏଥି ପ୍ରତି ଶ୍ରମ ବିଭାଗ କିମ୍ବା ସ୍ଥାନୀୟ ପ୍ରଶାସନର ଅବହେଳା କିମ୍ବା ଉଦାସୀନତା ମନୋଭାବ କିମ୍ବା ଦୃଢ କାର୍ଯ୍ୟାନୁଷ୍ଠାନର ଅଭାବରୁ ନିର୍ମାଣଧିନ ଶ୍ରମିକ ଜୀବନ ଜୀବିକା ପ୍ରଭାବିତ ହେଉଥିବା ପରିବେଶ ଓ ପରିସ୍ଥିତିରୁ ପରିଲିକ୍ଷିତ ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ