ବିଦ୍ୟୁତ ସଂସ୍କାର ନାମରେ ଜୁଲମ : ଜନ ଅସନ୍ତୋଷ ବୃଦ୍ଧି

ବୁଗୁଡ଼ା, (ଅନିଲ କୁମାର ମହାରଣା) :-ଦକ୍ଷିଣ ଓଡିଶାରେ ବିଦ୍ୟୁତ ପରିଚାଳନା ଦାୟିତ୍ୱ ଟାଟା କମ୍ପାନୀ ଦ୍ୱାରା ପରିଚାଳିତ ହେଉଥିବା ଟି.ପି.ଏସ.ଓ.ଡି.ଏଲ. ଗ୍ରହଣ କଲାପରେ ବିଦ୍ୟୁତ ସେବାରେ ଅନିୟମିତତା ବୃଦ୍ଧି ସହ ଅର୍ଥ ଆଦାୟରେ ଜୁଲମ ଚଳାଇଥିବା ଜଣାପଡିଛି । ଟାଟା ପାୱାର ଦକ୍ଷିଣାଞ୍ଚଳ ଓଡିଶା ବିତରଣ ଲିମିଟେଡ଼ ପକ୍ଷରୁ ଗଞ୍ଜାମ ଜିଲ୍ଲାର ବୁଗୁଡା ବ୍ଲକ ବିଦ୍ୟୁତ ଗ୍ରାହକ ମାନଙ୍କ ମଧ୍ୟରୁ ଏହି ଅଭିଯୋଗ ହୋଇଛି । ମାଣିତରା ଗ୍ରାମର ଜଣେ ବିଦ୍ୟୁତ ଗ୍ରାହକ ନିଜର ବ୍ୟବସାୟ କେନ୍ଦ୍ରକୁ କମର୍ସିଆଲ ବିଦ୍ୟୁତ ନେଇ ଦୀର୍ଘବର୍ଷ ହେଲା ସଠିକ ଭାବେ ବିଦ୍ୟୁତ ଦେୟ ପୈଠ କରି ଆସୁଥିଲେ । ସେ ମାସିକ ତିନି ଶହ ଟଙ୍କା ମଧ୍ୟରେ ବିଦ୍ୟୁତ ଖର୍ଚ୍ଚ କରି ଗତ ଫେବୃୟାରୀ ମାସ ପର୍ଯ୍ୟନ୍ତ ସମସ୍ତ ଦେୟ ପୈଠ କରିଛନ୍ତି । ମାତ୍ର ମାର୍ଚ୍ଚ ମାସରେ ମିଟର ଖରାପ ହୋଇଥିବା ଦର୍ଶାଇ ସର୍ବନିମ୍ନ ଦେୟ ଦୁଇ ହଜାର ଟଙ୍କା ବିଲ ଆସିବା ଯୋଗୁଁ ଗ୍ରାହକ ପ୍ରତିବାଦ କରିଥିଲେ । ନୂଆଁ ମିଟର ନବସିବା ପର୍ଯ୍ୟନ୍ତ ୨ ହଜାର ଟଙ୍କା ସର୍ବନିମ୍ନ ଆସିବ ବୋଲି କହି ଏପ୍ରିଲ ଓ ମଇ ମାସରେ ଏକକାଳୀନ ଦୁଇମାସର ସେହିପରି ସର୍ବନିମ୍ନ ଦୁଇ ହଜାରରୁ ଉର୍ଦ୍ଧ୍ବ ଟଙ୍କାର ବିଲ ଦେଇଥିବା ଅଭିଯୋଗ ହୋଇଛି । ଜଣେ ବ୍ୟକ୍ତି ମିଟର ରିଡିଙ୍ଗ ପ୍ରକାରେ ମାସିକ ପ୍ରାୟ ୩ ଶହ ପୂର୍ବ ମାସ ଗୁଡିକରେ ପୈଠ କରି ଆସୁଥିବା ବେଳେ ଟାଟା କମ୍ପାନୀ କର୍ମଚାରୀ ବୃନ୍ଦ ମନଇଚ୍ଛା ଜିଜିୟା କର ପ୍ରକାରେ ମାସିକ ଦୁଇ ହଜାର ପକାଇ ଜୁଲମ କରି ଟଙ୍କା ଜମା ନଦେଲେ ବିଦ୍ୟୁତ କାଟିବା ପାଇଁ ନୋଟିସ ପ୍ରଦାନ କରିଛନ୍ତି । ଏଣେ ପ୍ରତ୍ୟେକ ଦିନ ଦୈନିକ ପାଞ୍ଚ ଛଅ ଘଣ୍ଟା ବିଦ୍ୟୁତ କଟୁଥିବାଯୋଗୁଁ ଭୀଷଣ ଗରମରେ ଛଟପଟ ହେଉଛନ୍ତି ଜନସାଧାରଣ। ମାନ୍ୟବର ବାଚସ୍ପତି, ମୁଖ୍ୟ ଶାସନ ସଚିବ ଓ ଶକ୍ତି ବିଭାଗ ସଚିବ ବିଦ୍ୟୁତ ନକାଟିବା ପାଇଁ ତାଗିତ କରିଥିଲେ ମଧ୍ୟ ଟାଟା କମ୍ପାନୀ ପରିଚାଳିତ ଟିପିଏସଓଡିଏଲ ସଂସ୍ଥା ଭ୍ରୁକ୍ଷେପ କରୁନଥିବା ଦେଖାଦେଇଛି । ଟାଟା କମ୍ପାନୀ ବିଦ୍ୟୁତ ବିଭାଗ ପରିଚାଳନା ଦାୟିତ୍ବ ନେବାପରେ ମନଇଚ୍ଛା ଜିଜିୟା କର ଆଦାୟ କରି ଜୁଲମ ଚଳାଇଥିବା ସହ ବିଦ୍ୟୁତ ସେବା ଯୋଗାଇବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛି। ଶାସକ ଦଳର ଲୋକ ପ୍ରତିନିଧି ମାନେ ପ୍ରତିବାଦ କଲେ ମଧ୍ୟ ଟାଟା କମ୍ପାନୀ ପରିଚାଳିତ ବିଦ୍ୟୁତ ବିଭାଗ କର୍ଣ୍ଣପାତ କରୁନଥିବା ଅଭିଯୋଗ ହେଉଛି । ରାଜ୍ୟ ସରକାର ଟାଟା କମ୍ପାନୀର ମନମୁଖୀ କାର୍ଯ୍ୟ ଉପରେ ଯଦି ଆଙ୍କୁଶ ନାଲଗାନ୍ତି ବା ବିଦ୍ୟୁତ ଯୋଗାଣ ଦାୟିତ୍ଵ ସରକାର ନିଜେ ବହନ ନକରନ୍ତି ତେବେ ଭବିଷ୍ୟତରେ ଏହାର କୁପ୍ରଭାବ ପ୍ରତିଫଳିତ ନହେବ କହିହେବନାହିଁ । ଶ୍ରୀଲଙ୍କା ପରିସ୍ଥିତିରୁ ସମସ୍ତେ ଶିକ୍ଷା ଲାଭ କରିବା ନିହାତି ଆବଶ୍ୟକତା ରହିଛି । ସେଠାରେ ଦରଦାମ ବୃଦ୍ଧି ଯଥେଷ୍ଟ ହୋଇ ଥିଲେ ମଧ୍ୟ ଜନସାଧାରଣ ସହ୍ୟକରି ଚାଲିଥିଲେ । ମାତ୍ର ଯେତେବେଳେ ଦୈନିକ ସାତ ଆଠ ଘଣ୍ଟା ବିଦ୍ୟୁତ କାଟ ହେଲା ଓ ଜାଳେଣି ଗ୍ୟାସ ମିଳିଲା ନାହିଁ, ସେତେବେଳେ ଅସନ୍ତୋଷ ଉଗ୍ରରୂପ ଧାରଣ କରି ଜନସାଧାରଣ ରାଜରାସ୍ତାକୁ ଓହ୍ଲାଇଥିଲେ । ଓଡିଶାରେ ବିଦ୍ୟୁତ ଉତ୍ପାଦନ ଯଥେଷ୍ଟ ଥିବାବେଳେ ବିଦ୍ୟୁତ କାଟ ଓ ଟାଟା କମ୍ପାନୀର ଜୁଲମ ଏକ ଇସ୍ୟୁ ହେବା ଅସମ୍ଭବ ନୁହେଁ। ଟି.ପି.ଏସ.ଓ.ଡି.ଏଲ. ବିଦ୍ୟୁତ ସଂସ୍କାର ନାମରେ ଏକଚାଟିଆ କାରବାର ନେଇ ବରୋଧ ସ୍ୱର ଆରମ୍ଭ ହେଲାଣି। ସରକାର ଶକ୍ତି ବିଭାଗ ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେବାର ସମୟ ଆସିଛି, ନହେଲେ ଅନୁତାପ କରିବା ସାର ହେବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ