ବିଧବା ଭତ୍ତା ପାଇଁ ଚାହିଁ ରହିଛନ୍ତି ୧୫ ବର୍ଷ
ହାଟଡ଼ିହି,(ଯୁଗାବ୍ଦ ନୁ୍ୟଜ୍) : ସରକାର ସାମାଜିକ ସୁରକ୍ଷା ଯୋଜନାରେ ଗରିବ ବୃଦ୍ଧ ବୃଦ୍ଧା, ବିଧବା ଓ ଭିନ୍ନକ୍ଷମ ମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ଭତ୍ତା ଯୋଗାଇ ଦେଉଥିବାବେଳେ ହାଟଡିହି ବ୍ଲକ ହାବଳେଶ୍ୱର ପଞ୍ଚାୟତରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ୧୫ରୁ୩୦ବର୍ଷ ହେଲା ବିଧବା ହୋଇବି ଅନେକ ହିତାଧିକାରୀ ଭତ୍ତା ପାଇ ପାରୁନାହାନ୍ତି । ଏନେଇ ହାବଳେଶ୍ୱର ପଞ୍ଚାୟତର ୧୦ରୁ ଉର୍ଦ୍ଧ ହିତାଧିକାରୀ ବିଧାୟକଙ୍କୁ ଭେଟି ଭତ୍ତା କରାଇଦେବା ପାଇଁ ନିବେଦନ କରିଛନ୍ତି । ଖବରରୁ ଜଣାଯାଇଛି ଯେ ହାବଳେଶ୍ୱର ପଞ୍ଚାୟତ ଜମ୍ଭରା ଗ୍ରାମର ୰ଦିବାକର ଯେନାଙ୍କ ବିଧବା ପତ୍ନୀ ପାତିଆ ଯେନା (୭୪) ଆଜକୁ ୩୦ବର୍ଷ ହେଲା ବିଧବା ହୋଇଥିଲେ ମଧ୍ୟ ତାଙ୍କୁ ଭତ୍ତା ଦିଆଯାଇ ନାହିଁ । ସେ ଜଣେ ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାରୁ ତାଙ୍କ ପକ୍ଷେ ସାଧାରଣ ଜୀବନ ବିତାଇବା ବହୁ କଷ୍ଟକର ହୋଇ ପଡୁଛି ବୋଲି କହିଛନ୍ତି । ସେ ଅନେକବାର ଭତ୍ତା ପାଇଁ ଆବେଦନ କରିଥିଲେବି ତାଙ୍କ ଭତ୍ତା ଫର୍ମ କେଉଁଆଡେ ଯାଉଛି ସେ ଜାଣି ପାରୁନାହାନ୍ତି ବୋଲି କହିଛନ୍ତି । ସେହିପରି ୰ ଭିକାରୀ ନାୟକଙ୍କ ପତ୍ନୀ ଜୁଳ ନାୟକ ୧୦ବର୍ଷ ହେଲା ବିଧବା ହୋଇ ଭତ୍ତା ଖଣ୍ଡିଏ ପାଇଁ ଆବେଦନ କରିଚାଲିଥିଲେବି କେହି ତାଙ୍କ କଥା ଶୁଣୁ ନାହାନ୍ତି ବୋଲି କହିଛନ୍ତି । ସେହିପରି ଗୁଣ୍ଠି ମହାଳିକଙ୍କ ସ୍ୱାମୀ ଗଣନାଥ ମହାଳିକ ଆଜକୁ ୧୫ବର୍ଷ ହେଲା ବିଧବା ହୋଇଥିଲେବି ଭତ୍ତା ପାଇଁ ବାର ଦୁଆର ହେଉଛନ୍ତି ସିନା ଭତ୍ତା ଖଣ୍ଡିଏ ପାଇବାରୁ ନାହାନ୍ତି । ୭୫ବର୍ଷ ବୟସରେ ପଦାର୍ପଣ କରିଥିବାବେଳେ ଠିକ ଭାବେ ଚାଲି ପାରୁ ନାହାନ୍ତି । ସେହିପରି କୁଞ୍ଜଲତା ପେରେଇ ନାମକ ଜଣେ ବିଧବା ମହିଳା ଭତ୍ତା ପାଇଁ ପଞ୍ଚାୟତ ଠାରୁ ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଦୌଡି ଦୌଡି ନୟାନ୍ତ ହୋଇଯାଇଥିଲେବି ଆଜି ପର୍ଯ୍ୟନ୍ତ ଭତ୍ତା ଖଣ୍ଡିଏ ପାଇପାରୁ ନଥିବା ପ୍ରକାଶ କରିଛନ୍ତି । ସେହିପରି ପୁନି ଜେନା, ବସନ୍ତ ଜେନା, ସଦାନନ୍ଦ ନାୟକଙ୍କ ପରି ଅନେକ ବୃଦ୍ଧ ବୃଦ୍ଧା ଭତ୍ତା ପାଇବାରୁ ବଞ୍ଚିତ ଥିବାନେଇ ବିଧାୟକ ଭାଗିରଥି ସେଠୀଙ୍କ ପାଖରେ ଅଭିଯୋଗ କରିଛନ୍ତି । ସେମାନଙ୍କ ଅଭିଯୋଗ ଶୁଣିବାପରେ ତୁରନ୍ତ ଏନେଇ ପଦକ୍ଷେପ ନେବେ ବୋଲି ବିଧାୟକ ପ୍ରତିଶୃତି ଦେଇଛନ୍ତି । ହାଟଡିହି ବ୍ଲକର ବିଡିଓ ଏବଂ କେନ୍ଦୁଝର ଜିଲ୍ଲାପାଳ ଏଥିପ୍ରତି ଦୃଷ୍ଟି ଦେବାକୁ ବୃଦ୍ଧବୃଦ୍ଧା ମାନେ ନିବେଦନ କରିଛନ୍ତି ।