ବିଧାନସଭାରେ ଛତ୍ରପୁର ବିଧାୟକଙ୍କ ବିଭିନ୍ନ ପ୍ରଶ୍ନ
ଛତ୍ରପୁର, (ଦେବଦତ୍ତ ମହାରଣା):ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ନିର୍ବାଚନମଣ୍ଡଳୀର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତି ନେଇ ବିଧାନସଭାରେ ପ୍ରଶ୍ନ ଉଠାଇଛନ୍ତି । ଛତ୍ରପୁର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ଏବଂ ଗଞ୍ଜାମ ମହାବିଦ୍ୟାଳୟରେ ଖାଲି ପଡିଥିବା ଅଧ୍ୟାପକ ପଦବି ପୂରଣ କରିବା ପାଇଁ ବିଭାଗ ତରଫରୁ କଣ ପଦକ୍ଷେପ ପ୍ରସଙ୍ଗରେ ବିଧାୟକଙ୍କ ପ୍ରଶ୍ଲର ଉତ୍ତରରେ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ କହିଛନ୍ତି, ଛତ୍ରପୁର ବିଜ୍ଞାନ ମହାବିଦ୍ୟାଳୟରେ ୨୮ ଗୋଟି ଏବଂ ଗଞ୍ଜାମ ଡିଗ୍ରୀ ମହାବିଦ୍ୟାଳୟରେ ୧୩ ଗୋଟି ଅଧ୍ୟାପକ ପଦବି ଖାଲି ରହିଛି । ଇତି ମଧ୍ୟରେ ୨୦୨୧ ମସିହା ମାର୍ଚ୍ଚ ୯ ତାରିଖରେ ଲୋକସେବା ଆୟୋଗକୁ ଅନୁରୋଧ କରାଯାଇଥିଲା । ଆୟୋଗର ସୁପାରିଶ କ୍ରମେ ବିଭିନ୍ନ ସରକାରୀ ମହାବିଦ୍ୟାଳୟରେ ବିଭିନ୍ନ ବିଭାଗରେ ୧୨୬ ଗୋଟି ଆସିଷ୍ଟାଣ୍ଟ ପ୍ରୋଫେସର ପଦବି ପୂରଣ କରାଯାଇଛି । ଓଡିଶା ଲୋକସେବା ଆୟୋଗ ଅନ୍ୟାନ୍ୟ ବିଷୟ ଗୁଡିକର ଚୟନ ପ୍ରକ୍ରିୟା ଶେଷ କରି ତାଙ୍କର ସୁପାରିଶ ଉକ୍ତ ବିଭାଗକୁ ପ୍ରେରଣ କଲାପରେ ଖାଲିପଡିଥିବା ଅନ୍ୟାନ୍ୟ ପଦବି ଗୁଡିକ ନିଯୁକ୍ତି କରିବା ପାଇଁ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସେହିପରି ଗଞ୍ଜାମ ମହାବିଦ୍ୟାଳୟରେ ଖାଲିଥିବା ଅଧ୍ୟାପକ ପଦବି ପୂରଣ କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି । ଛତ୍ରପୁର ନିର୍ବାଚନମଣ୍ଡଳୀରେ କେତେଗୋଟି ପ୍ରାଣୀଧନ ଚିକିତ୍ସା କେନ୍ଦ୍ରର ପୂର୍ଣ୍ଣକାଳୀନ ଡାକ୍ତର ଓ ସହାୟକ ଅବସ୍ଥାପିତ ହୋଇଛନ୍ତି ଏବଂ କେତେଗୋଟି କେନ୍ଦ୍ରରେ ଡାକ୍ତର ନାହାନ୍ତି ଏବଂ କେତେଗୋଟି କେନ୍ଦ୍ରର ଭିତ୍ତିଭୂମି ନିର୍ମାଣ ପାଇଁ ପଦକ୍ଷେପ ନିଆଯାଇଛି ପ୍ରସଙ୍ଗରେ ବିଧାୟକଙ୍କ ପ୍ରଶ୍ନର ଉତ୍ତରରେ ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି, ଛତ୍ରପୁର ନିର୍ବାଚନମଣ୍ଡଳୀରେ ମୋଟ ୩ ଗୋଟି ପ୍ରଣୀଚିକିତ୍ସାଳୟ ଯଥା- ଛତ୍ରପୁର, ହୁମ୍ମା ଓ ରମ୍ଭା କାର୍ଯ୍ୟ କରୁଛି । ଏହି ପ୍ରୀଣୀଚିକିତ୍ସାଳୟ ଗୁଡିକରେ ୪ ଜଣ ପୂର୍ଣ୍ଣକାଳୀନ ଡାକ୍ତର ଓ ୨ ଜଣ ସହାୟକ ଅବସ୍ଥାପିତ ହୋଇଛନ୍ତି ଏବଂ ୫ ଗୋଟି ଡାକ୍ତର ପଦବି ଖାଲି ଅଛି । ୨୦୨୨ ସେପ୍ଟେମ୍ବର ୨୯ ତାରିଖ ଠାରୁ ହୁମ୍ମା ଠାରେ ଅବସ୍ଥିତ ପ୍ରାଣୀ ଚିକିତ୍ସାଳୟର ଭିତ୍ତିଭୂମି ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଛି ଏବଂ ବର୍ତ୍ତମାନ ଏହା ଲିଣ୍ଟେଲ୍ ପର୍ଯ୍ୟନ୍ତ ଶେଷ ହୋଇଛି । ସେହିପରି ଆର୍ଯ୍ୟପଲ୍ଲୀରେ ପ୍ରସ୍ତାବିତ ମାଛଧରା ବନ୍ଦର ନିର୍ମାଣ ନିମନ୍ତେ ଏପର୍ଯ୍ୟନ୍ତ କ’ଣ ଅଗ୍ରଗତି ଘଟିଛି ଏବଂ କେବେସୁଦ୍ଧା ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ପ୍ରସଙ୍ଗରେ ବିଧାୟକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି, ଆର୍ଯ୍ୟପଲ୍ଲୀରେ ପ୍ରସ୍ତାବିତ ମାଛଧରା ବନ୍ଦର ନିମନ୍ତେ୨୩.୩୯୮ ଏକର ଜମି ଚିହ୍ନଟ କରାଯାଇଛି । ଏହି ଜମିର କିସମ ଜଙ୍ଗଲ ଥିବାରୁ ଜଙ୍ଗଲ ବିଭାଗ ଅନୁମତି ପାଇଁ ଓଆରଏସ୍ଏସିର ଅନୁବନ୍ଧିତ ସଂସ୍ଥାକୁ ନିୟୋଜିତ କରାଯାଇଛି । ଏହାର ସମସ୍ତ ଆନୁସଙ୍ଗିକ କାର୍ଯ୍ୟ ଶେଷ ପରେ ପରିବେଶ ପୋର୍ଟାଲରେ ଆବେଦନ କରାଯାଇଛି । ଏହି ପ୍ରକଲ୍ପ ପାଇଁ ଭାରତ ସରକାରଙ୍କ ଅଧିନସ୍ଥ ସିଆଇସିଇଏଫ୍ ବାଙ୍ଗଲୋର ସଂସ୍ଥା ଦ୍ୱାରା ଇଞ୍ଜିନିୟରିଂ ସର୍ଭେ କରାଯାଇ ଆବଶ୍ୟକ ଡିପିଆର୍ ପ୍ରସ୍ତୁତ କରାଯାଇଛି । ଏହି ପ୍ରକଳ୍ପ ପାଇଁ ସିଡବ୍ଲୁପିଆର୍ଏସ୍ ପୁନେ ଭାରତ ସରକାରଙ୍କ ସଂସ୍ଥା ଦ୍ୱାରା ମୋଡେଲ୍ ଷ୍ଟଡ. ପରିବେଶ ମଞ୍ଜୁରୀ , ପ୍ରଶାସନିକ ଅନୁମୋଦନ, କେନ୍ଦ୍ର ସରକାରଙ୍କ ବୈଜ୍ଞାନିକ ଅନୁମତି ତଥା ଆବଶ୍ୟକ ଦକ୍ଷ ସଂସ୍ଥାର ପରାମର୍ଶ କ୍ରମେ ପ୍ରାସ୍ତାବିତ ମାଛଧରା ବନ୍ଦର ନିର୍ମାଣ କାର୍ଯ୍ୟ ପାଇଁ ପ୍ରକ୍ରିୟା ଆରମ୍ଭ କରାଯାଇପାରେ ।