ବିଧାନସଭା ଆଗରେ ଗାଁସାଥୀଙ୍କ ବିଶାଳ ଆନ୍ଦୋଳନର ନିଷ୍ପତ୍ତି
ଭୁବନେଶ୍ୱର,(ଯୁଗାବ୍ଦ ନ୍ୟୁଜ୍) : ଗତ ୨୦୦୮ରେ ଆମ ରାଜ୍ୟ ସରକାର ଲକ୍ଷେ ବେକାରୀଙ୍କୁ ନିଯୁକ୍ତି ପ୍ରଦାନ ଦାବିରେ ସୃଷ୍ଟି କଲେ ‘ଗାଁସାଥୀ’ ପଦବୀ । ବିଗତ ୧୧ ବର୍ଷ ଧରି ପ୍ରଦାନ କଲେ ପ୍ରତିଶ୍ରୁତି ପରେ ପ୍ରତିଶ୍ରୁତି । ପରିଶେଷରେ ଚଳିତବର୍ଷ ସାଧାରଣ ନିର୍ବାଚନର ଠିକ୍ ୪ ମାସ ପୂର୍ବରୁ ପଞ୍ଚାୟତିରାଜ ବିଭାଗର ଚିଠି ନଂ-୯୪୦ ତା ୧୧.୧.୧୯ ଅନୁଯାୟୀ ରାଜ୍ୟର ସମସ୍ତ ଗାଁସାଥୀ (ମେଟ୍) ମାନଙ୍କୁ ମାସକୁ ସର୍ବନିମ୍ନ ୧୦ ଦିନ ଓ ଗୋଟିଏ ଆର୍ଥିକ ବର୍ଷରେ ଅତି କମ୍ରେ ୧୦୦ ଦିନରୁ ଉଦ୍ଧ୍ୱର୍ ସରକାରୀ କାର୍ଯ୍ୟ ପ୍ରାପ୍ୟ ସହିତ ପ୍ରଦାନ କରିବା ଲାଗି ସମସ୍ତ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଲେ । ବାକି ଚଳିତବର୍ଷ ଫେବୃୟାରୀ ଓ ମାର୍ଚ୍ଚରେ ହୋଇଥିବା ଗାଁସାଥୀଙ୍କ କ୍ରମାଗତ ଆନ୍ଦୋଳନକୁ ଲକ୍ଷ୍ୟ ରଖି ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଗଠିତ ଆନ୍ତଃ ମନ୍ତ୍ରୀସ୍ତରୀୟ କମିଟିର ଅଧ୍ୟକ୍ଷ ଓ ବିଧାୟକ, ଯାଜପୁର ଏବଂ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଏକାଧିକ ପଦାଧିକାରୀ ମିଶି ଗାଁସାଥୀ ସଂଘର କର୍ମକର୍ତ୍ତାଙ୍କୁ ପ୍ରତିଶ୍ରୁତି ସ୍ପଷ୍ଟ କଲେ ଯେ, ୫ମ ପାଳିର ସରକାର ଆସିଲେ ନିୟମାନୁଯାୟୀ କାର୍ଯ୍ୟ ପାଉନଥିବା ରାଜ୍ୟର ସମସ୍ତ ଗାଁସାଥୀ (ମେଟ୍)ମାନଙ୍କ ପାଇଁ ଏକ ସ୍ୱତନ୍ତ୍ର କର୍ପସ ପାଣ୍ଠି ଗଠନ କରାଯାଇ, ସେମାନଙ୍କୁ ସଠିକ୍ ଏକ ନିୟମ ବଳରେ ବେକାରୀ ଭତ୍ତା ପ୍ରଦାନର ବ୍ୟବସ୍ଥା କରାଯିବ । ମାତ୍ର ଦୁଃଖ ଓ ପରିତାପର ବିଷୟ ଏହିକି ଯେ, ୫ ପାଳିର ସରକାର ବହୁ ମତରେ ଆସିବା ପରେ ଭୁଲିଗଲେ ପୂର୍ବ ପ୍ରତିଶ୍ରୁତି । ୪ ମାସ ମଧ୍ୟରେ ଜିଲ୍ଲାକୁ ପଠାଇଲେ ୪ଟି ବିପରିତ ଚିଠି । ସେଥିରେ ଶ୍ରମିକ ସଂଘ ଲିଡ଼ର ଓ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ନାମରେ ଗାଁସାଥୀ (ମେଟ୍) ମାନଙ୍କର ଅଧାରୁ ଅଧିକ କାର୍ଯ୍ୟ ଦେଇଦେବା ପାଇଁ ପ୍ରୟାସ ଜାରି ରଖିଛନ୍ତି ।ଏଣୁ ସେହି ଗାଁସାଥୀ (ମେଟ୍) ବିରୋଧୀ ୪ଟି ଚିଠିର ପରିବର୍ତ୍ତନ ସହିତ ପୂର୍ବ ପ୍ରତିଶ୍ରୁତିକୁ ପୂରଣ କରିବା ଲାଗି ସଂଘର ଏକ ପ୍ରତିନିଧି ଦଳ ବର୍ତ୍ତମାନ ସ୍ଥିତିରେ ଚାଲିଥିବା ବିଜେପୁର ଉପ ନିର୍ବାଚନରେ ପ୍ରଚାର ସମୟରେ ମାନନୀୟ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ୍ କରି ଆଲୋଚନା ସହିତ ପ୍ରଶାସନିକ ସମାଧାନ ତୁରନ୍ତ ଆଶା ରଖିବେ ବୋଲି ସଂଘର ମିଳିତ ନିଷ୍ପତ୍ତି ହୋଇଛି । ଏଥି ସହିତ ଚଳିତ ଅକ୍ଟୋବର ୨୦ ତାରିଖ ସୁଦ୍ଧା ୩୦ ଜିଲ୍ଲାର ଜିଲ୍ଲାପାଳ ଓ ପିଡ଼ି, ଡ଼ିଆରଡ଼ିଏଙ୍କ ଜରିଆରେ ଏ ବାବଦରେ ରାଜ୍ୟର ମାନନୀୟ ମୁଖ୍ୟମନ୍ତ୍ରୀ ଓଡ଼ିଶାଙ୍କୁ ଅବଗତ କରାଯିବ । ଚଳିତମାସ ୨୧ ତାରିଖ ସୁଦ୍ଧା ଯଦି ରାଜ୍ୟ ସରକାର ଗାଁସାଥୀ (ମେଟ୍)ଙ୍କ ଯଥାର୍ଥ ଦାବି ବାବଦରେ କିଛି ଆଶୁ ସମାଧାନ ନହୁଏ, ତେବେ ଚଳିତ ନଭେମ୍ବର ୪ ତାରିଖ ଦିନ ରାଜ୍ୟ ବିଧାନସଭା ଆଗରେ ଗାଁସାଥୀଙ୍କର ୫୦ ହଜାରରୁ ଉଦ୍ଧ୍ୱର୍ ଗାଁସାଥୀ ଏକ ବିଶାଳ ରାଲି ଓ ଆନ୍ଦୋଳନ ଅନିର୍ଦ୍ଦିଷ୍ଟ କାଳ ପାଇଁ ଜାରି ରଖିବେ ବୋଲି ଆଜି ସଂଘର ରାଜ୍ୟ ସାଧାରଣ ସମ୍ପାଦକ ଲକ୍ଷ୍ମୀଧର ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଉକ୍ରଳ ସାମ୍ବାଦିକ ଭବନଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସଂଘ ପ୍ରକାଶ କରିଛି । ସୂଚନା ଅନୁସାରେ ନଭେମ୍ବର ୪ ତାରିଖ ସକାଳ ୯ ଘଟିକାରୁ ଭୁବନେଶ୍ୱରସ୍ଥିତ ରାମ ମନ୍ଦିର ସାମ୍ନାରୁ ୫୦ ହଜାରରୁ ଉଦ୍ଧ୍ୱର୍ ଗାଁସାଥୀ ଏକତ୍ରିତ ହୋଇ ଏକ ବିଶାଳ ଶୋଭାଯାତ୍ରା ଜରିଆରେ ବିଧାନସଭା ବ୍ୟାରିକେଡ଼ ଯାଏ ଯିବେ । ଏଠାରେ ସୂଚନାଯୋଗ୍ୟ ଯେ ଏହି ଆନ୍ଦୋଳନକୁ ଲକ୍ଷ୍ୟରେ ରଖି ଚଳିତ ବର୍ଷ ଅକ୍ଟୋବର ୨୩ ତାରିଖ ଦିନ ରାଜ୍ୟର ପଶ୍ଚିମାଞ୍ଚଳର ୧୦ଟି ଜିଲ୍ଲାର ବ୍ଲକ ଏବଂ ଜିଲ୍ଲା କମିଟି ସଭ୍ୟସଭ୍ୟାଙ୍କୁ ନେଇ ଏକ ସ୍ୱତନ୍ତ୍ର ସାଂଗଠନିକ କର୍ମଶାଳା କରିବା ଲାଗି ଆଜି ସମୂହ ନିଷ୍ପତ୍ତି ନିଆଯାଇଛି । ସେଠାରେ ସଂଘର ଦାବି ଜଣାଇବା ସହିତ, ଦାବି ପୂରଣ ଯାଏ ଶାନ୍ତିପୂର୍ଣ୍ଣ ଗଣଧାରଣାରେ ବସି ରହିବେ । ଉକ୍ତ କାର୍ଯ୍ୟକ୍ରମଟି ସମ୍ପୂର୍ଣ୍ଣ ଭାବେ ମାନନୀୟ ମୁଖ୍ୟମନ୍ତ୍ରୀଙ୍କ ପ୍ରତ୍ୟକ୍ଷ ହସ୍ତକ୍ଷେପ ଓ ସମାଧାନ ଯାଏ ଚାଲୁ ରହିବ ବୋଲି ସଂଘର ରାଜ୍ୟ ସଭାପତି ସୌଭାଗ୍ୟ ମିଶ୍ର, ଗାଁସାଥୀ ସଂଗଠକ କୁଳମଣି ମେଣ୍ଟା, ରବି ଗୌଡ଼, ଚରଣ ନାହାକ, ହରିହଜ ଜାନି, ମହାଦେବ ମାଝୀ, ପ୍ରତାପ ମଲ୍ଲିକ, ପବିତ୍ର ସୁନ୍ଦରାୟ, ଚରଣ କୁମାର ସ୍ୱାଇଁ, ପ୍ରମୋଦ ମହାନ୍ତ, ମନୋ ସରୋଜ ପଣ୍ଡା, ଦିଲ୍ଳୀପ ମହାପାତ୍ର, ଶଙ୍କର୍ଷଣ ପଲାଇ, ରାଜେଶ ଦାସ, ହରି ମାଡ଼କାମୀ, ରୀନା ଅପା, ସଞ୍ଜୟ ଗଡ଼ତିଆ, ତପନ ମହାନ୍ତି, ସରୋଜ ରଥ ଓ ଅନ୍ୟ ଶତାଧିକ ରାଜ୍ୟ, ଜିଲ୍ଲା ଓ ବ୍ଲକ ଗାଁସାଥୀ ସଂଗଠକମାନେ ମିଳିତ ଭାବେ ଗଣମାଧ୍ୟମ ଜରିଆରେ ସରକାରଙ୍କୁ ଜଣାଇଛନ୍ତି ।