ବିଧାନସଭା ଷ୍ଟାଣ୍ଡିଂ କମିଟିର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଗସ୍ତ
ଯୋଡ଼ା , (ଯୁଗାଦ୍ଦ ନ୍ୟୁଜ) କେନ୍ଦୁଝର ଜିଲା ଯୋଡା ବ୍ଲକ ବାସୁଦେବପୁରସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଶୁକ୍ରବାର ପୂର୍ବାହ୍ନ ପ୍ରାୟ ୧୨.୩୦ମିନିଟ୍ ସମୟରେ ବିଧାନସଭା ଷ୍ଟାଣ୍ଡିଂ କମିଟିର ସଦସ୍ୟମାନେ ଗସ୍ତ କରିଛନ୍ତି । ଏହି ଗସ୍ତରେ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ବିଧାୟକ ଅଶ୍ୱିନୀ କୁମାର ପାତ୍ରଙ୍କ ସମେତ , କମିଟି ସଦସ୍ୟ ବିଧାୟିକା ମୀନାକ୍ଷୀ ମହାନ୍ତ, ବିରୋଧୀ ଦଳ ବିଧାୟିକା କୁସୁମ ଟେଟେ ବିଧାୟକ ସୁଧାଶୁଂ ଶେଖର ପରିଡା ଆସିଥିଲେ । ଗସ୍ତ ସମୟରେ କମିଟି ସହିତ ସ୍ୱାସ୍ଥ୍ୟ ସଚିବ ହର ପ୍ରସାଦ ପଟ୍ଟନାୟକ, ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ଦିଲୀପ ଷଢଙ୍ଗି, ମହିଳା ଓ ଶିଶୁ ବିକାଶ କାର୍ଯ୍ୟକ୍ରମ ଅଧିକାରୀ ସଂଗ୍ରାମ ସାମଲ, ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାଃ. ଅଶୋକ କୁମାର ଦାଶ, ସହକାରୀ ଜିଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡାଃ ଜଗଦୀଶ ପ୍ରସାଦ ସାହୁ , ଜିଲା ସହରୀ ଯୋଜନା ପ୍ରକଳ୍ପ ନିର୍ଦ୍ଦେଶକ ଘାସିନାଥ ମୁର୍ମୁ ପ୍ରମୁଖ ଅଧିକାରୀ ମାନେ ମଧ୍ୟ ଉପସ୍ଥିତ ଥିଲେ । ଷ୍ଟାଣ୍ଡିଂ କମିଟି ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ବିଭିନ୍ନ ଓାର୍ଡ ଏବଂ ବିଭାଗ ପରିଦର୍ଶନ କରିଥିଲେ । ରାସ୍ତାର ବିପର୍ଯ୍ୟସ୍ତ ଅବସ୍ଥା ଦେଖି ବିଧାୟିକା ଟେଟେ କହିଥିଲେ ଯେ, କେନ୍ଦୁଝରରୁ ବାସୁଦେବପୁର ଆସିବା ବେଳେ ବାଟରେ ୩ ଗୋଟି ଆମ୍ବୁଲାନ୍ସ ଟ୍ରାଫିକ ଜାମ୍ ରେ ଫସିଥିବା ଦେଖିବାକୁ ପାଇଥିଲେ । ଏହା ଅତ୍ୟନ୍ତ ପରିତାପର ବିଷୟ ବୋଲି ସେ କହିଥିଲେ । ଏହି ଘଟଣାକୁ ବିଧାନସଭାରେ ଉପସ୍ଥାପନ କରାଯିବ ବୋଲି ସେ କହିଥିଲେ । । ଶିଶୁଙ୍କୁ ଦିଆଯାଉଥିବା ଚିକିତ୍ସା ଉପରେ କମିଟିର ଅଧ୍ୟକ୍ଷ ଅଶ୍ୱିନୀ କୁମାର ପାତ୍ର ଅସନ୍ତୋଷ ପ୍ରକାଶ କରି ସରକାରଙ୍କ ରହିଥିବା ରାଷ୍ଟ୍ରୀୟ ବାଲ୍ ସଂସ୍ଥାନ କାର୍ଯ୍ୟକ୍ରମ ଯୋଜନାର ସୁବିଧା ଏଠାରେ ଯୋଗାଇ ଦେବା ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଡିଏମଏଫ ଅର୍ଥରେ ଡାକ୍ତର ନିଯୁକ୍ତି ଦିଆଯାଉଥିବା ବେଳେ ପାରା ମେଡିକାଲ କର୍ମଚାରୀଙ୍କୁ ନିଯୁକ୍ତି ଓ ,ଯୋଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସରକାରୀ ମାନ୍ୟତା ଓ ସମସ୍ତ ସୁବିଧା ସୁଯୋଗ କାହିଁକି ରୋଗୀମାନଙ୍କୁ ଦିଆଯାଉନାହିଁ ପ୍ରଶ୍ନର ଉତରରେ ଅଧ୍ୟକ୍ଷ ପାତ୍ର କହିଥିଲେ ଯେ, ଶୁକ୍ରବାର ସନ୍ଧ୍ୟାରେ ଏନେଇ କେନ୍ଦୁଝର ଜିଲାପାଳଙ୍କ ସହିତ କମିଟି ଆଲୋଚନା କରିବ ଏବଂ ଯୋଡା ଡାକ୍ତରଖାନା ସମ୍ପର୍କରେ ବିଧାନସଭାରେ ପ୍ରସ୍ତାବ ଉପସ୍ଥାପନ କରାଯିବ ବୋଲି ସେ କହିଥିଲେ । ବଡବିଲ ସିଭିଲ ସୋସାଇଟି ପକ୍ଷରୁ ବସନ୍ତ କୁମାର ମହାନ୍ତ ବଡବିଲ୍ କୁ ସଂଯୋଗ ହୋଇଥିବା ରାସ୍ତାର ନିର୍ମାଣ ଓ ବାଇପାସ ନିର୍ମାଣ ନିମନ୍ତେ ଏକ ଦାବିପତ୍ର ବିଧାନସଭା ଷ୍ଟାଣ୍ଡିଂ କମିଟିକୁ ପ୍ରଦାନ କରିଥିଲେ । ପରିଦର୍ଶନ ସମୟରେ ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଲାଗିରହିଥିବା ଜମିବିବାଦ ତୁରନ୍ତ ସମାଧାନ ନକଲେ ଆଗାମୀ ୧୫ ଦିନ ଭିତରେ ଜମିହରା ମାନେ ଡାକ୍ତରଖାନାରେ ତାଲା ପକାଇବେ ବୋଲି ଚେତାବନୀ ଦେଇଥିଲେ । ଡାକ୍ତରଖାନା ଦଖଲରେ ଥିବା ଜମିହରାଙ୍କ ଜମିକୁ ଶୀଘ୍ର ଡାକ୍ତରଖାନା ପକ୍ଷରୁ ସେମାନଙ୍କୁ ହସ୍ତାନ୍ତର କରାଯାଉ ବୋଲି କମିଟି ପାଖରେ ଜମିହରା କାଣ୍ଡେ ମୁଣ୍ଡା, ଦାଶରଥି ତିଉ, ରମେଶ ତିଉ ଓ ମନୋଜ ତିଉ ପ୍ରମୁଖ ଅଭିଯୋଗ କରିଥିଲେ ।


