କେନ୍ଦ୍ରାପଡା ସାଂସଦଙ୍କ ବିରୋଧରେ ଟାଉନ ଥାନାରେ ମାମଲା ରୁଜୁ
କେନ୍ଦ୍ରାପଡା , (ଯୁଗାବ୍ଦ ନ୍ୟୁଜ) : କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତିଙ୍କ ସାମ୍ବାଦିକଙ୍କୁ ଅଶାଳୀନ ବ୍ୟବହାର ଓ ଜୀବନରେ ମାରିଦେବାକୁ ଧମକ ବିରୋଧରେ ସଂପୃକ୍ତ ବୈଦୁତିକ ଗଣମାଧ୍ୟମର ପ୍ରତିନିଧି ବୁଧବାର କେନ୍ଦ୍ରାପଡା ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ସେହି ଅଭିଯୋଗକୁ ଭିତ୍ତିକରି ଟାଉନ ଥାନା ପୋଲିସ କେଶ ନମ୍ବର ୨୧୮/୨୦୧୯ରେ ଆଇପିସିର ଦଫା ୩୪୧, ୩୨୩, ୨୯୪, ୫୦୦ ଓ ୫୦୬ ଧାରାରେ ଏକ ମାମଲା ରୁଜୁ କରିଥିବା ଜଣାପଡିଛି । ଘଟଣାରୁ ପ୍ରକାଶ ଯେ ଗତ ମଙ୍ଗଳବାର ସନ୍ଧ୍ୟାରେ ତୁଳସୀ କ୍ଷେତ୍ରାଧିପତି ଶ୍ରୀବଳଦେବଜୀଊଙ୍କ ମନ୍ଦିର ଓ ତାହାର ପାରିପାଶ୍ୱର୍ିକ ଉନ୍ନୟନ ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ସହିତ ଜିଲ୍ଲା ପ୍ରଶାସନ ଓ ଜିଲ୍ଲାର ସମସ୍ତ ବିଧାୟକ ଏବଂ ସାଂସଦଙ୍କ ସହିତ ଭିଡିଓକନଫରେନ୍ସିଂ ମାଧ୍ୟମରେ ଆଲୋଚନା କରି ସାଢେ ୮କୋଟି ଟଙ୍କାର ଆର୍ଥିକ ଅନୁଦାନ ଘୋଷଣା ସମ୍ପର୍କରେ ଗଣମାଧ୍ୟମ ପ୍ରତିନିଧିମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଉପସ୍ଥିତ ରହି ଭିଡିଓକନଫରେନ୍ସିଂ ଶେଷହେବା ପରେ ଜିଲ୍ଲାପାଳ,ବିଧାୟକ ଏବଂ ସାଂସଦଙ୍କ ଠାରୁ ମତାମତ ନେଇଥିଲେ । ଅନ୍ୟ ଗଣମାଧ୍ୟମ ପ୍ରତିନିଧିଙ୍କ ସହିତ ଓ.ଟି.ଭି.ର ପ୍ରତିନିଧି ମନୋଜ କୁମାର ସ୍ୱାଇଁକୁ ସାଂସଦ ଶ୍ରୀ ମହାନ୍ତି କାର୍ଯ୍ୟକ୍ରମ ସମ୍ପର୍କରେ ମତାମତ ନେବାକୁ ଡାକିବାରେ ଅନ୍ୟ ଗଣମାଧ୍ୟମ ଓ ଓଟିଭି କ୍ୟାମେରା ସମ୍ମୁଖରେ ଓଟିଭି ପ୍ରତିନିଧି ଶ୍ରୀ ସ୍ୱାଇଁଙ୍କୁ ଟାଣି ନେଇ କ୍ୟାମେରା ସମ୍ମୁଖରେ ତାଙ୍କ ମୁହଁ ଦେଖାଇ ତାଙ୍କୁ ଲାଞ୍ଛିତ ଓ ଅପମାନିତ ଭାଷାରେ ଆକ୍ଷେପ କରିଥିଲେ । ଏହାଛଡା ତାଙ୍କ ସମର୍ଥକମାନଙ୍କ ଦ୍ୱାରା ତାଳିମରାଇବା ସହ ଅପମାନ ଜନକ ମନ୍ତବ୍ୟ ଦେଇଥିଲେ ଏହାପରେ ଓ.ଟି.ଭି. ପ୍ରତିନିଧି ଶ୍ରୀ ସ୍ୱାଇଁଙ୍କୁ ଭର୍ତ୍ସନା କରିବା ସହ ତାଙ୍କ ସମ୍ମାନ ହାନୀ କରିବା ଓ ଶ୍ରୀ ସ୍ୱାଇଁଙ୍କ ସମେତ ତାଙ୍କ କ୍ୟାମେରାମ୍ୟାନକୁ ଧକ୍କାମାରିଥିଲେ ବୋଲି ଶ୍ରୀ ସ୍ୱାଇଁ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏହାପରେ ଶ୍ରୀ ସ୍ୱାଇଁ ଓ ତାଙ୍କ କ୍ୟାମେରାମ୍ୟାନ ଜିଲ୍ଲାପାଳଙ୍କ ଅଫିସ ବାହାରକୁ ଚାଲିଯିବା ପରେ ସାଂସଦ ଶ୍ରୀ ମହାନ୍ତି ଓ ତାଙ୍କର କେତେକ ଗୁଣ୍ଡାଶ୍ରେଣୀର ସମର୍ଥକ ସାଂସଦଙ୍କ ବିରୋଧରେ କୈାଣସି ସମ୍ବାଦ ପରିବେଷଣ କଲେ ଓଟିଭି ପ୍ରତିନିଧି ଶ୍ରୀ ସ୍ୱାଇଁଙ୍କୁ ଜୀବନରୁ ମାରିଦେବେ ବୋଲି ଧମକ ଦେଇଥିବା ଶ୍ରୀ ସ୍ୱାଇଁ ଟାଉନ ଥାନାରେ ଅଭିଯୋଗ କରିଥିଲେ । ସେହି ଅଭିଯୋଗ ଉପରେ ପୋଲିସ ଏକ ମାମଲା ରୁଜୁ କରିଥିବା ଜଣାପଡିଛି ।


