ବିଧାୟକ କଲୋନୀ ପରିସରରୁ ଗଛକଟା ବିରୋଧରେ ପ୍ରେରଣା ପକ୍ଷରୁ ରାଜ୍ୟାପଳଙ୍କୁ ଦାବିପତ୍ର ପ୍ରଦାନ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :-ବିଧାୟକମାନଙ୍କ କଲୋନୀ ପରିସରରୁ ପ୍ରାୟ ୪୦/୫୦ ବର୍ଷର ଏକ ହଜାର ପାଖାପାଖି ଗଛ କଟାଯିବା ଦ୍ୱାରା ଭୁବନେଶ୍ୱର ଏକ ଉତ୍ତପ୍ତ ସହରରେ ପରିଣତ ହେବା ସହ ଏହାର ପରିବେଶ ସମ୍ପୂର୍ଣ୍ଣ ଭାବେ ପ୍ରଦୂଷିତ ହେବ ବୋଲି ପ୍ରେରଣା ପକ୍ଷରୁ ବିଗତ ତିନିଦିନ ଧରି ବିଧାୟକ କଲୋନୀ ସମ୍ମୁଖରେ ଧାରଣା ଦିଆଯାଇଛି । ଆଜି ପ୍ରେରଣାର ଅଧ୍ୟକ୍ଷ ଡକ୍ଟର ଦିଲ୍ଲୀପ ଶ୍ରୀଚନ୍ଦନ ଓ ଜଟଣୀ ବିଧାୟକ ଶ୍ରୀ ସୁରେଶ କୁମାର ରାଉତରାୟ ଓଡ଼ିଶାର ମାନ୍ୟବର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ଭେଟି ଏହି ଗଛକଟା ବିରୁଦ୍ଧରେ ଏକ ଚାରିଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରିଛନ୍ତି । ପ୍ରଥମତଃ ବିଧାୟକ କଲୋନୀ ପରିସରରୁ ଆଉ ଯେପରି ଗୋଟିଏ ଗଛ କଟାନଯିବ, ସେଥିପାଇଁ ସରକାର ସଂକଳ୍ପବଦ୍ଧ ହେବେ । ଦ୍ୱିତୀୟତଃ ଯେଉଁ ଗଛଗୁଡ଼ିକ କଟାଯାଇଛି, ତାର ଭରଣା ପାଇଁ ଭୁବନେଶ୍ୱର ସହର ଓ ଉପକଣ୍ଠରେ ୧୦୦ଗୁଣ ବୃକ୍ଷରୋପଣ କରି ଏକ ଉଦ୍ୟାନ ସୃଷ୍ଟି କରିବା । ତୃତୀୟତଃ ଭୁବନେଶ୍ୱର ଚତୁଃପାଶ୍ୱର୍ରେ ୫୦ ମିଟର ବ୍ୟାସାର୍ଦ୍ଧ ବିଶିଷ୍ଟ ବୃକ୍ଷରାଜିପୂର୍ଣ୍ଣ ଏକ ସବୁଜ ବଳୟ ସୃଷ୍ଟି କିରବା ଏବଂ ଚତୁର୍ଥତଃ ଭୁବନେଶ୍ୱର ସହର ପାଇଁ ଦିଲ୍ଲୀ ଭଳି ଏକ ଟ୍ରି ଆଇନ୍ ପ୍ରଣୟନ କରିବା । କାରଣ ଟ୍ରି ଆଇନ ଥିଲେ ରାସ୍ତା ପ୍ରଶସ୍ତିକରଣ ବେଳେ କିମ୍ବା ରାସ୍ତା ନିର୍ମାଣ ବେଳେ ବା ଗୃହ ନିର୍ମାଣ ବେଳେ ଗଛକୁ ନକାଟି ତାହା ନିର୍ମାଣ କରାଯିବା ବିଧି ରହିଛି । ସେହିପରି ଗଛ କାଟିବା ପୂର୍ବରୁ ସ୍ଥାନୀୟ ଜନସାଧାରଣଙ୍କ ସହ ଜନଶୁଣାଣି କରି ପରିବେଶ୍ବିତମାନଙ୍କ ସହ ଆଲୋଚନା କରି ଅଟ୍ଟାଳିକା ନିର୍ମାଣ ଆଦି କରାଯିବା ଉଚିତ୍ । ସେହିପରି ବିଧାୟକମାନଙ୍କ ପାଇଁ ଭୁବନେଶ୍ୱର ଉପକଣ୍ଠରେ ଯଥେଷ୍ଟ ବୃକ୍ଷରୋପଣ ଓ ପରିବେଶ ସନ୍ତୁଳନ ରକ୍ଷା କରି ଯଦି ବିଧାୟକ କଲୋନୀ ନିର୍ମାଣ କରାଯିବ, ତାହା ବିଧାୟକମାନଙ୍କ ଯାତାୟତରେ କିମ୍ବା ରହିବାରେ କୌଣସି ସମସ୍ୟା ସୃଷ୍ଟି ହେବ ନାହିଁ ଓ ଏହି କଲୋନୀ ଭିତରେ ଗଛ କାଟିବା ଦରକାର ପଡ଼ିବ ନାହିଁ ବୋଲି ଏହି ଦାବିପତ୍ରରେ ପ୍ରେରଣାର ଅଧ୍ୟକ୍ଷ ଡକ୍ଟର ଦିଲ୍ଲୀପ ଶ୍ରୀଚନ୍ଦନ ଦର୍ଶାଇବା ସହ ରାଜ୍ୟ ସରକାର ଏହାକୁ ମାନିନେବାକୁ ରାଜ୍ୟପାଳଙ୍କୁ ଅନୁରୋଧ କରିଛନ୍ତି ।