ବିନା ମୋଜାରେ ଜୋତା ପିନ୍ଧିବା କ୍ଷତିକାରକ
ବିନା ମୋଜା (ସକ୍ସ)ରେ ଜୋତା ପିନ୍ଧିବା ସଂକ୍ରମଣର କାରଣ ହୋଇପାରେ । ବୈଜ୍ଞାନିକମାନେ ଏ ଦିଗରେ ଗବେଷଣା କରି ସତର୍କ କରାଇ ଦେଇଛନ୍ତି । ବିନା ମୋଜାରେ ଜୋତା ପିନ୍ଧିବା ହଲିଉଡରେ ଏକ ଫ୍ୟାଶନ ଧାରାରେ ପରିଣତ ହୋଇଛି । ହଲିଉଡର କେତେକ ସୁନାମଧନ୍ୟ ତାରକା ଯଥା ବ୍ରାଡଲେ କୋପର, ର୍ୟାନ ଗୋସଲିଙ୍ଗ, ଓର୍ଲାଣ୍ଡୋ ବ୍ଲୁମ ଓ ଜୁଡ ଲ ବିନା ମୋଜାରେ ଜୋତା ପିନ୍ଧିବାର ଧାରା ଆରମ୍ଭ କରିଛନ୍ତି । ଯାହାର ପ୍ରଭାବ ଯୁବ ବର୍ଗ ଉପରେ ପଡିଛି । ଏହାକୁ ଦୃଷ୍ଟିରେ ରଖି ବୈଜ୍ଞାନିକମାନେ ଏଭଳି ସତର୍କ କରାଇଛନ୍ତି । ସେମାନେ କହିଛନ୍ତି ଯେ, ଯେଉଁମାନେ ବିନା ମୋଜାରେ ଜୋତା ପିନ୍ଧୁଛନ୍ତି ସେମାନେ ଏହାର ପରିଣତି ବିଷୟରେ ଅବଗତ ନୁହଁନ୍ତି । ଏ ନେଇ ଗବେଷଣା କରୁଥିବା ଗବେଷକମାନେ ଦର୍ଶାଇଛନ୍ତି ଯେ, ପାଦରୁ ଦିନତମାମ୍ ଖୁବ ଅଳ୍ପ ପରିମାଣରେ ଝାଳ ନିର୍ଗତ ହୋଇଥାଏ । ତାହା ପାଦକୁ ଆର୍ଦ୍ର ରଖେ । ମୋଜା ପିନ୍ଧିଥିଲେ ସେହି ଆର୍ଦ୍ରତା ସେଥିରେ ଶୁଷ୍କ ହୋଇଯାଏ । ମାତ୍ର ବିନା ମୋଜାରେ ଜୋତା ପିନ୍ଧିଲେ ସେହି ଆର୍ଦ୍ରତା ପାଦରେ ରହି ସଂକ୍ରମଣ ହୋଇଥାଏ । କାରଣ ଚମଡ଼ା କିମ୍ବା ଅନ୍ୟ ସିନ୍ଥେଟିକ ସାମଗ୍ରୀରେ ତିଆରି ଜୋତା ସେହି ଆର୍ଦ୍ରତାକୁ ଶୋଷି ନେଇପାରିନଥାଏ । ତେବେ ଏହା ପାଦରୁ ବାହାରୁଥିବା ଝାଳ ଉପରେ ନିର୍ଭର କରେ । କେତେ ବ୍ୟକ୍ତିଙ୍କ ପାଦରୁ ଅତ୍ୟଧିକ ଝାଳ ନିର୍ଗତ ହୋଇଥାଏ । ବିଶେଷ କରି ଖେଳାଳୀମାନଙ୍କ ନିକଟକରେ ଏହା ଅଧିକ ଦେଖିବାକୁ ମିଳେ । ସେମାନେ ଯଦି ବିନା ମୋଜାରେ ଜୋତା ପିନ୍ଧନ୍ତି ତେବେ ଫାଙ୍ଗାଲ ଇନ୍ଫେକ୍ସନ୍ ବା କବକ (ଫିମ୍ପି) ଜନିତ ସଂକ୍ରମଣର ଆଶଙ୍କା ଥାଏ ବୋଲି କହିଛନ୍ତି ବ୍ରିଟେନ୍ ପୋଡିଆକ୍ରି କଲେଜର ଅଧ୍ୟାପକ ତଥା ଗବେଷକ ଏମ୍ମା ଷ୍ଟିଭେନସନ୍ । ଆଜିକାଲି ବଜାରରେ ଉପଲବ୍ଧ ଜୋତାର ଉପର ଭାଗ ପ୍ରାୟତଃ ଚମଡାରେ ତିଆରି । କିନ୍ତୁ ଭିତରେ ରହୁଛି ସିନ୍ଥେଟିକ ଆବରଣ । ଏହି ସିନ୍ଥେଟିକ ମଧ୍ୟ ଦେଇ ବାୟୁ ଚଳାଚଳ ସମ୍ଭବ ହୋଇନଥାଏ । ପାଦର ଆର୍ର୍ଦ୍ରତା ଉତ୍ତାପ ଜୋତା ଭିତରେ ରହିଯାଇଥାଏ । ଫଳରେ ଏଥିରୁ ସୃଷ୍ଟି ହେଉଥିବା ବ୍ୟାକ୍ଟେରିଆ (ବୀଜାଣୁ) ପାଦ ପାଇଁ କ୍ଷତିକାରକ ହୋଇଥାଏ । ବେଳେବେଳେ ଏହା ପାଦ ଯନ୍ତ୍ରଣାର ମଧ୍ୟ ଅଧିକ କାରଣ ହୁଏ । ଗବେଷକମାନେ ମଧ୍ୟ ପାଦକୁ ଉପଯୁକ୍ତ ଫିଟ ହେଉ ନଥିବା ଜୋତା ପିନ୍ଧିବା ଉଚିତ ନୁହେଁ ବୋଲି କହିଛନ୍ତି । ଏହିଭଳି ଜୋତା ବିନା ମୋଜାରେ ପିନ୍ଧିବା ମଧ୍ୟ ଅଧିକ କ୍ଷତିକାରକ । ଏହା ପାଦରେ ଯନ୍ତ୍ରଣା ସୃଷ୍ଟି କରିବା ସହ ଆଙ୍ଗୁଠି ନଖ ବୃଦ୍ଧିରେ ଅନ୍ତରାୟ ସୃଷ୍ଟି କରିଥାଏ ।