ବିପଦ ସଙ୍କୁଳ ଅବସ୍ଥାରେ ସେତୁ : ଦ୍ୱିତୀୟ ସେତୁ ନିର୍ମାଣ ଦାବି
ନିମାପଡ଼ା, (ସନ୍ତୋଷ ଦାଶ) :-ପୁରୀ ଜିଲ୍ଲା ନିମାପଡ଼ା ଦୋଳବେଦୀ ଛକ ଠାରେ କୁଶଭଦ୍ରା ନଦୀ ଉପରେ ହୋଇଥିବା ସେତୁ ଟି ଏବେ ବିପଦ ସଙ୍କୁଳ ଅବସ୍ଥାରେ ରହିଛି । କେଉଁ ସମୟରେ ତାହା ଭୁଷୁଡି ପଡ଼ି ଧନଜୀବନ କ୍ଷତି ନ ଘଟାଇବ ତାହା ମଧ୍ୟ ଆଶଙ୍କା ଭିତରେ ଅଛି । ସ୍ବର୍ଗତ ମୋହନ ଦାସ ୧୯୫୭ରୁ ୧୯୬୧ ମସିହା ପର୍ଯ୍ୟନ୍ତ ନିମାପଡ଼ା ର ବିଧାୟକ ଥିଲେ ।ସେତେବେଳେ ତାଙ୍କରି ପ୍ରଚେଷ୍ଟାରେ ୧୯୫୮ ମସିହା ରେ ସେତୁଟି ନିର୍ମାଣ ହୋଇଥିଲା ।ପୂର୍ତ୍ତ ବିଭାଗ ର ରକ୍ଷଣା ବେକ୍ଷଣ ଅଭାବରୁ ୬୪ ବର୍ଷର ସେତୁ ଦୁର୍ବଳ ହୋଇ ଭୁଷୁଡି ପଡ଼ିବା ଆଶଙ୍କା ଦେଖାଦେଇଛି । ନିମାପଡ଼ା ର କିମ୍ବଦନ୍ତୀ ମୁକସାକ୍ଷୀ ଏହି ପ୍ରାଚୀନ ସେତୁଟି ବର୍ତ୍ତମାନ ଜରାଜୀର୍ଣ୍ଣ, ବିପଦ ସଙ୍କୁଳ ଅବସ୍ଥାରେ ରହିଛି ।ସେତୁର ବିଭିନ୍ନ ସ୍ଥାନରେ ଫାଟ ସୃଷ୍ଟି ହୋଇ ସେଠାରେ ଗଛ ଉଠି ଗଲାଣି । ସେତୁ ର ବହୁସ୍ଥାନରେ ଖାଲ ସୃଷ୍ଟି ହୋଇ ବର୍ଷା ପାଣି ଜମି ରହୁଛି ।ସେତୁ ର ଉଭୟ ପାର୍ଶ୍ଵରେ ଥିବା ବାଡ ବହୁ ଜାଗାରେ ଭାଙ୍ଗିରୁଜି ଗଲାଣି । ଦୟନୀୟ ଅବସ୍ଥା ଯୋଗୁ ସେତୁ ଟି ଦିନକୁ ଦିନ ଦୁର୍ବଳ ହୋଇ ପଡ଼ୁଛି ।ଏହି ସେତୁ ବାଟ ଦେଇ ଗୋପ, ଅସ୍ତରଙ୍ଗ ,କାକଟପୁର , କୋଣାର୍କ, ପୁରୀ , ଭୁବନେଶ୍ୱର ,ଜଟଣୀ ଅଞ୍ଚଳ କୁ ଶହ ଶହ ଯାତ୍ରୀବାହୀ ବସ ଓ ମାଲ୍ ବୋଝେଇ ଗାଡ଼ି ଯାତାୟାତ କରୁଥିବା ବେଳେ ସେତୁ ଟି ଥରିଲା ପରି ଲାଗୁଛି ବୋଲି ବହୁ ଡ଼୍ରାଇଭର ପ୍ରକାଶ କରିଛନ୍ତି । ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଏଥିପ୍ରତି ଦୃଷ୍ଟି ଦେଇ ଏଠାରେ କୁଶଭଦ୍ରା ନଦୀ ଉପରେ ଦ୍ୱିତୀୟ ସେତୁ ନିର୍ମାଣ ପାଇଁ ପଦକ୍ଷେପ ନେବାକୁ ଅଞ୍ଚଳ ବାସୀ ଙ୍କ ପକ୍ଷ ରୁ ଦାବି ହେଉଛି ।