ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବାକୁ ନେଇ ଭଞ୍ଜସେନା ସହିତ ସ୍ୱର ମିଶାଇଲେ ଦୁଇ ବିଧାୟକ
ବାରିପଦା,(ଅକ୍ଷୟ କୁମାର ବିଶ୍ୱାଳ): ଜିଲ୍ଲାରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବାକୁ ନେଇ ବିଜେପିର ଦୁଇ ବିଧାୟକ ଭଞ୍ଜସେନା ସହିତ ସ୍ୱର ମିଶାଇଛନ୍ତି । ବାରିପଦା ବିଧାୟକ ପ୍ରକାଶ ସୋରେନ ଓ ରାଇରଙ୍ଗପୁର ବିଧାୟକ ନବଚରଣ ମାଝୀ ଜିଲ୍ଲାରେ ସ୍ୱାସ୍ଥ୍ୟ ସେବା ଦୟନୀୟ ହୋଇପଡ଼ିଥିବା ମତ ରଖିଛନ୍ତି । ଆବଶ୍ୟକ ସଂଖ୍ୟା ଡାକ୍ତର ଅଭାବ, ଫାର୍ମାସିଷ୍ଟ୍, ଷ୍ଟାଫ୍ନର୍ସଙ୍କଠାରୁ ଆରମ୍ଭ କରି ବିଭିନ୍ନ ବିଭାଗରେ ଟେକ୍ନିକାଲ ଆସିସ୍ଟାଣ୍ଟ୍ ନଥିବା ବିଧାୟକ ପ୍ରକାଶ ସୋରେନ ଆଜି ପ୍ରକାଶ କରିଛନ୍ତି । ରୋଗ ନିରୂପଣ ନିମନ୍ତେ ଯନ୍ତ୍ରପାତି ଥିଲେ ମଧ୍ୟ ସେଗୁଡ଼ିକୁ ବ୍ୟବହାର କରିବାକୁ ଟେକ୍ନିକାଲ ଏକ୍ସପର୍ଟ ନାହାନ୍ତି । ସିଟି ସ୍କାନ୍ ମେସିନ ଅଧିକାଂଶ ସମୟ ଖରାପ ହେଉଛି । ଉଦଳା ସବଡିଭିଜନ ଡାକ୍ତରଖାନାରେ ଚକ୍ଷୁ ବିଭାଗରେ ଡାକ୍ତର ଏବଂ କମ୍ପ୍ୟୁଟର ନଥିବାରୁ ଏହି ବିଭାଗ କାର୍ଯ୍ୟରେ ଲାଗି ପାରୁନାହିଁ । ପୁରା ଜିଲ୍ଲାରେ ସ୍ୱାସ୍ଥ୍ୟ ସେବା ଠପ ହୋଇପଡ଼ିଥିବା ବିଧାୟକ ପ୍ରକାଶ ସୋରେନ ଅଭିଯୋଗ କରିଛନ୍ତି । କରୋନା ଆଳରେ ରୋଗୀଙ୍କୁ ଡାକ୍ତର ଆଦୌ ଦେଖୁନଥିବା ସେ କହିଛନ୍ତି । ବାଙ୍କି ଶୋଳରେ ଥିବା କୋଭିଡ୍ ହସ୍ପିଟାଲରେ ଭର୍ତ୍ତି ହେଉଥିବାର ରୋଗୀଙ୍କୁ ସଠିକ ସେବା ଦିଆଯାଉନାହିଁ। ଭେଣ୍ଟିଲେଟର ସୁବିଧା ନଥିବାରୁ ଅମ୍ଳଜାନ ଅଭାବରୁ ଅନେକ ରୋଗୀ ମୃତ୍ୟୁ ମୁଖରେ ପଡ଼ୁଛନ୍ତି । ଏନେଇ ଜିଲ୍ଲାର ଅଗ୍ରଣୀ ସାମାଜିକ ସଂଗଠନ ଭଞ୍ଜସେନା ସ୍ୱର ଉତ୍ତୋଳନ କରିଛି । ଯାହାକି ସ୍ୱାଗତ ଯୋଗ୍ୟ । ଭଞ୍ଜସେନା ଏନେଇ ଜିଲ୍ଲାର ସମସ୍ତ ବିଧାୟକ ଏବଂ ସାଂସଦଙ୍କ ଘର ଆଗରେ ଧାରଣା ଦେବାର ଯୋଜନା କରିଛି । ଏହି ଧାରଣା ସହିତ ତାଙ୍କର ପୂର୍ଣ୍ଣ ସମର୍ଥନ ଥିବା ବିଧାୟକ ପ୍ରକାଶ କରିଛନ୍ତି । ଜିଲ୍ଲାର ସ୍ୱାର୍ଥ ପାଇଁ ସେ ସର୍ବଦା ପ୍ରସ୍ତୁତ ବୋଲି ପ୍ରକାଶ ସୋରେନ୍ କହିଛନ୍ତି । ଦୁଇ ବିଧାୟକଙ୍କଠାରୁ ଏପରି ସମର୍ଥନ ପାଇ ସୋମବାର ଦିନ ସେମାନଙ୍କ ବାସଭବନ ସମ୍ମୁଖରେ କରିବାକୁ ଥିବା ଧାରଣାକୁ ଭଞ୍ଜସେନା ସ୍ଥଗିତ ରଖିଥିବା ମୁଖପାତ୍ର ଜ୍ୟୋତିରଞ୍ଜନ ପୃଷ୍ଟି ଏକ ପ୍ରେସ୍ ବିଜ୍ଞପ୍ତିରେ ସୂଚନା ଦେଇଛନ୍ତି । ତେବେ ଜିଲ୍ଲାର ଅନ୍ୟ ୭ ବିଧାୟକ ଏବଂ ସାଂସଦ ଏଥିପ୍ରତି ସଚେତନ ଏବଂ ସଜାଗ ନ ହୁଅନ୍ତି ତେବେ ଦୁର୍ଗାପୂଜା ପରେ ସେମାନଙ୍କ ବାସଭବନ ସମ୍ମୁଖରେ ପୁନର୍ବାର ଭଞ୍ଜସେନା ରଣନୀତି ଅବଲମ୍ବନ କରିବବୋଲି ସୂଚନା ଦିଆଯାଇଛି ।


