ବିବାହିତା ମହିଳା ଙ୍କୁ ଦୁଷ୍କର୍ମ ଅଭିଯୋଗ
ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ବ୍ଲକ ଅଞ୍ଚଳର ଜଣେ ବିବାହିତା ମହିଳା ଙ୍କୁ ଦୁଷ୍କର୍ମ ସହ ବ୍ଲାକମେଲିଂ କରାଯାଉଥିବା ଅଭିଯୋଗ ହୋଇଛି।ଶୁକ୍ରବାର ପୀଡ଼ିତା ମହିଳା ଜଣକ ତାଙ୍କ ସ୍ବାମୀ ଙ୍କ ସହ ଦିଗପହଣ୍ଡି ଥାନାରେ ପହଞ୍ଚି ଏତଲା ଦେଇଛନ୍ତି। ଏତଲା କୁ ଭିତ୍ତି କରି ଥାନା ମାମଲା ନଂ.୩୭୪/୨୨ ଦଫା – ୩୭୬/୫୦୬/୫୦୭/୩୮୦/୩୮୪ ଆଇ ପି ସି ଅନୁଯାୟୀ ଅଭିଯୁକ୍ତ ଜୁର ଜେନା ଙ୍କ ନାଁ ରେ ଆଇ ଆଇ ସି ଦୀପ୍ତି ରଞ୍ଜନ ବେହେରା ମକଦ୍ଦମା ରୁଜୁ କରିଛନ୍ତି। ଅଭିଯୁକ୍ତ ଜଣକ ଫେରାର ଥିବା ରୁ ଶନିବାର କେବଳ ପୀଡ଼ିତା ଙ୍କ ବ୍ରହ୍ମପୁର ବଡ଼ ଡାକ୍ତରଖାନା ରେ ଡାକ୍ତରୀ ମାଇନା କରାଯିବ ବୋଲି ତଦନ୍ତକାରୀ ପୋଲିସ ଅଧିକାରୀ ଏସ ଆଇ ସ୍ଵର୍ଣ୍ଣଲତା ପାତ୍ର କହିଛନ୍ତି।ପୋଲିସ ସୂଚନା ପ୍ରକାରେ ଗତ ପ୍ରାୟ ୨ ବର୍ଷ ପୂର୍ବେ ପୀଡ଼ିତା ଙ୍କ ସହ ଅଭିଯୁକ୍ତ ଧମକ ଚମକ ଦେଇ ଜୋର୍ ଜବରଦସ୍ତ ଶାରୀରିକ ସମ୍ପର୍କ ରଖିଥିଲେ। ପୀଡ଼ିତା ଙ୍କ ଅଜାଣତରେ ଅଭିଯୁକ୍ତ ପୀଡ଼ିତା ଙ୍କ କିଛି ଫଟୋ ଓ ଭିଡ଼ିଓ ଉତ୍ତୋଳନ କରି ପାଖରେ ରଖିଥିଲେ। ପରବର୍ତ୍ତୀ ସମୟରେ ଅଭିଯୁକ୍ତ ପୀଡ଼ିତା ଙ୍କୁ ଫଟୋ ଓ ଭିଡ଼ିଓ ସ୍ଵାମୀ ଙ୍କୁ ପଠାଇ ଦେବି କହି ବ୍ଲାକମେଲିଂ କରି ନିୟମିତ ବ୍ୟବଧାନରେ ଟଙ୍କା ଆଦାୟ କରୁଥିଲେ। ପରେ ପୀଡ଼ିତା ଟଙ୍କା ଦେବାକୁ ମନା କରିଦେବାରୁ ସେ ତାଙ୍କୁ ହତ୍ୟା ଧମକ ଦେବା ସହ ଫଟୋ ଭିଡ଼ିଓ ସୋସିଆଲ ମିଡ଼ିଆ ରେ ଭାଇରାଲ କରିଦେବାକୁ କହିଥିଲେ। ଶେଷରେ ନିରୁପାୟ ହୋଇ ପୀଡ଼ିତା ଥାନାରେ ଏତଲା ଦେଇଥିବା ବେଳେ ପୋଲିସ ଅଭିଯୁକ୍ତ ଙ୍କୁ ଗିରଫ ପାଇଁ ଉଦ୍ୟମ ଚଳାଇଛନ୍ତି।ଅଭିଯୁକ୍ତ ଜଣକ ରାଜ୍ୟ ବାହାରେ ରହୁଥିବା ପୋଲିସର ପ୍ରାଥମିକ ତଦନ୍ତ ରୁ ଜଣାପଡ଼ିଛି।


