ବିବାହ ପରେ ସିନେମାଠାରୁ ନିଜକୁ ଦୂରେଇ ନେଇଛନ୍ତି ଆସିନ୍
ଆସିନ ବିବାହ ପରଠାରୁ କିଛି ଦିନ ହେବ ସିନେମା ଠାରୁ ନିଜକୁ ଦୂରେଇ ରଖିଛନ୍ତି । କାରଣଟା ନିଜର ବ୍ୟକ୍ତିଗତ ଜୀବନ । ୨୦୧୬ରେ ସେ ବ୍ୟବସାୟୀ ରାହୁଲ ଶର୍ମାଙ୍କୁ ବିବାହ କରିଥିଲେ । ଏବେ ତାଙ୍କର ଗୋଟିଏ ସନ୍ତାନ ରହିଛି । ହେଲେ ଏବେ ପରିବାରକୁ ସମୟ ଦେବାକୁ ଚାହୁଁଥିବାରୁ ସେ ସିନେମା ଜଗତକୁ ଫେରିବାକୁ ଚାହୁଁନାହାନ୍ତି ।
ଏକଦା ଦକ୍ଷିଣ ଭାରତୀୟ ସିନେମା ଜଗତରେ ହିଟ୍ ନାୟିକା ଥିଲେ ଆସିନ । ସେ ମାଲାୟାଲାମ, ତାମିଲ, ତେଲୁଗୁ, ହିନ୍ଦି, ଇଂରାଜୀ, ସଂସ୍କୃତ ଏବଂ ଇଟାଲିୟନ ଭାଷା କହିବା ଏବଂ ଲେଖିବାରେ ପାରଙ୍ଗମ । ଏଣୁ ସେ ଅଭିନୟ କରୁଥିବା ଅନ୍ୟ ଫିଲ୍ମରେ ସେ ନିଜେ ଡବିଂ କରିଥାନ୍ତି । ୨୦୦୧ରେ ମାଲାୟାଲାମ ଫିଲ୍ମ ଜରିଆରେ ନିଜର ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ ଆସିନ । ହେଲେ ୨୦୦୩ରେ ତେଲୁଗୁରେ ନିର୍ମିତ ଏକ କମର୍ସିଆଲ ଚଳଚ୍ଚିତ୍ର ତାଙ୍କୁ ସଫଳତା ଆଣି ଦେଇଥିଲା । ପରେ ଆସିନ ୨୦୦୮ରେ ବଲିଉଡରେ ନିଜର ଡେବ୍ୟୁ କରିଥିଲେ । ସେ ବି ମିଷ୍ଟର ପରଫେକ୍ଟନିଷ୍ଟ ଆମିର ଖାନ୍ଙ୍କ ଚଳଚ୍ଚିତ୍ର “ଗଜନୀ’ରେ । ଏଥିରେ ତାଙ୍କୁ ଶ୍ରେଷ୍ଠ ନବାଗତା ପୁରସ୍କାର ମିଳିଥିଲା । ଫିଲ୍ମର ସଫଳତା ପରେ ସେ “ରେଡି’, “ହାଉସଫୁଲ ୩’, ଖିଲାଡି ନଂ ୭୮୬, ବୋଲ ବଚ୍ଚନ ଏବଂ ଅଲ୍ ଇଜ୍ ୱେଲ୍ ଆଦି ଚଳଚ୍ଚିତ୍ରରେ କାମ କରିଥିଲେ ।


