ବିବାହ ପାଇଁ ମନା କରିବାରୁ ଯୁବତୀଙ୍କ ମାଡ଼
ଗ୍ରେଟର ନୋଏଡା : ଜଣେ ସାବାଳିକା ଯୁବତୀଙ୍କର ବିବାହ ଉପରେ ନିଷ୍ପତ୍ତି ନେବାର ସମ୍ପୂର୍ଣ୍ଣ ଅଧିକାର ରହିଛି। ହେଲେ ଅନେକ ସମୟରେ ନିଷ୍ଠୁର ବାପାମାଆ ନିଜ ସ୍ବାର୍ଥ ଲାଗି କନ୍ୟାର ବିବାହ ଲାଗି ବଳ ପ୍ରୟୋଗ କରିଥାଆନ୍ତି। ଏହି କ୍ରମରେ ବିବାହ ପାଇଁ ମନା କରିବା ଜଣେ ଯୁବତୀଙ୍କ ପାଇଁ ବେଶ୍ ମହଙ୍ଗା ପଡିଛି । ଜଣେ ୧୮ ବର୍ଷୀୟା ଯୁବତୀ ନିଜଠାରୁ ଦୁଇଗୁଣ ବୟସରେ ବଡ ଜଣେ ବ୍ୟକ୍ତିଙ୍କୁ ବିବାହ କରିବାକୁ ମନା କରିବାରୁ ତାଙ୍କୁ ତାଙ୍କ ଘରଲୋକେ ହାତ ଗୋଡ଼ ବାନ୍ଧି ମାରପିଟ୍ କରିଛନ୍ତି । ଯୁବତୀ ଜଣକ ୪୦ ବର୍ଷୀୟ ବ୍ୟକ୍ତିଙ୍କୁ ବିବାହ ପାଇଁ ମନା କରିବା କାରଣରୁ ତାଙ୍କୁ ଏସବୁ ଭୋଗିବାକୁ ପଡିଛି । ଏହିପରି ଏକ ଅଭାବନୀୟ ଘଟଣାଟି ଉତ୍ତରପ୍ରଦେଶର ନୋଏଡାଠାରେ ଘଟିଛି । ଗ୍ରେଟର୍ ନୋଏଡାର ଥାନା ବିଶରଖ୍ କ୍ଷେତ୍ରର ଏକ ଭାଇରାଲ୍ ଭିଡିଓରୁ ଏହା ଜଣାପଡିଥିଲା । ଯେଉଁଥିରେ ଜଣେ ୧୮ ବର୍ଷୀୟା ଯୁବତୀଙ୍କୁ ୪୦ ବର୍ଷୀୟା ବ୍ୟକ୍ତିଙ୍କ ସହିତ ବିବାହ କରିବାକୁ ବାଧ୍ୟ କରାଯାଉଥିବାବେଳେ ଯୁବତୀ ଜଣଙ୍କ ରାଜି ନହେବାରୁ ତାଙ୍କ ହାତ ଗୋଡକୁ ବାନ୍ଧି ମାଡ ମରାଯାଇଛି । ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ଯୁବତୀଙ୍କୁ ଉଦ୍ଧାର କରିବା ସହିତ ଏହି ଘଟଣାର ଯାଞ୍ଚ ଚଳାଇଛି।