ବିବାହ ବାର୍ଷିକୀରେ ରକ୍ତଦାନ ଶିବିର : ୬୫ ବୟସ ମଧ୍ୟରେ ୧୬୬ଥର ରକ୍ତଦାନ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):-ରକ୍ତଦାନ, ମହାପୁଣ୍ୟ । ଏହି ଉକ୍ତିଟିକୁ ଜୀବନର ବ୍ରତ ରୂପେ ଗ୍ରହଣ କରି ଏବେ ସ୍ମାର୍ଟନଗରୀ ଭୁବନେଶ୍ୱରରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟି ଯାଇଛନ୍ତି ୬୫ ବର୍ଷୀୟ ଗୋପୀ ମୋହନ ପଟ୍ଟନାୟକ । ସେଞ୍ଚୁରିୟାନ୍ ବ୍ଲଡ୍ ଡ଼ୋନର ଭାବେ ରାଜ୍ୟରେ ସେ ବେଶ୍ ଜଣାଶୁଣା । ପ୍ରତିବର୍ଷ ପରି ଚଳିତବର୍ଷ ଜୁଲାଇ ମାସ ୪ ତାରିଖରେ ଗୋପୀମୋହନ ଓ ତାଙ୍କ ଧର୍ମପତ୍ନୀ ଆଶାଲତାଙ୍କ ୩୧ତମ ବିବାହ ବାର୍ଷିକୀ ଉତ୍ସବ ଅବସରରେ ୟୁନିଟ୍‌-୬ସ୍ଥିତ ଗଙ୍ଗନଗର କମ୍ୟୁନିଟି ହଲ୍ ପରିସରରେ ବନ୍ଧୁ, ବାନ୍ଧବ, ଆତ୍ମୀୟସ୍ୱଜନଙ୍କ ଗହଣରେ ଆୟୋଜିତ ପାରିବାରିକ ରକ୍ତଦାନ ଶିବିରରେ ଗୋପୀମୋହନ ନିଜେ ୧୬୬ଥର ପାଇଁ ରକ୍ତଦାନ କରିଛନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ, ମହାବିଦ୍ୟାଳୟରୁ ବିଶ୍ୱବିଦ୍ୟାଳୟ, ଉପକୂଳରୁ ଉପାନ୍ତ ପର୍ଯ୍ୟନ୍ତ ଗୋପୀମୋହନ ରକ୍ତଦାନକୁ ଏକ ଜନ ଆନ୍ଦୋଳନରେ ପରିଣତ କରି ରାଜ୍ୟର ବିଭିନ୍ନ ରକ୍ତଭଣ୍ଡାରକୁ ପାଖାପାଖି ୧ ଲକ୍ଷରୁ ଉର୍ଦ୍ଧ୍ୱ ୟୁନିଟ୍ ରକ୍ତ ଦାନ କରିଥିବାର ଜଣାପଡ଼ିଛି । ରକ୍ତ ଅଭାବରୁ କେହି ଯେ ମୃତ୍ୟୁ ମୁଖରେ ନ ପଡନ୍ତୁ ଏ ସଂକଳ୍ପ ନେଇ ୧୯୭୮ ମସିହାରେ ସେ ନିଜେ ପ୍ରଥମେ ରକ୍ତଦାନ କରିଥିଲେ । ପରବର୍ତ୍ତୀ ସମୟରେ ବିଭିନ୍ନ ସାମାଜିକ ଅନୁଷ୍ଠାନ, ବ୍ୟକ୍ତିବିଶେଷମାନଙ୍କୁ ସାମିଲ୍ କରି ଅଦ୍ୟାବଧି ଏ ଆନ୍ଦୋଳନକୁ ଜାରି ରଖିଛନ୍ତି । ରକ୍ତଦାନକୁ ବ୍ୟାପକ କରିବା ପାଇଁ ୨୦୦୪ ମସିହାରେ ରାଜ୍ୟରେ ପ୍ରଥମେ ନିଜ ପିରବାରରୁ ଆରମ୍ଭ କରିଛନ୍ତି ପାରିବାରିକ ରକ୍ତଦାନ ଶିବିର । ଯାହା ବାସ୍ତବିକ ପ୍ରଶଂସନୀୟ । ଆଜିର ଆୟୋଜିତ ଏହି ରକ୍ତଦାନ ଶିବିରକୁ ଆନୁଷ୍ଠାନିକ ରୂପେ ରକ୍ତ ଭଣ୍ଡାରର ନିର୍ଦ୍ଦେଶକ ଡା. ଦେବାଶିଷ ମିଶ୍ର ଏବଂ ସ୍ଥାନୀୟ କର୍ପୋରେଟର ଶ୍ରୀଧର ବେହେରା ଉଦ୍‌ଘାଟନ କରିଥିଲେ । ଶିବିରକୁ ସାମାଜିକ କର୍ମୀ ସୁଶାନ୍ତ ସାହୁ, ତ୍ରିଲୋଚନ ବେଉରା, ରଞ୍ଜନ ଦାସ, ବସନ୍ତ ସାମଲ, କୈଳାସ ପାତ୍ର ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ଶିବିରରୁ ମୋଟ୍ ୩୧ ୟୁନିଟ୍ ରକ୍ତ ସଂଗୃହୀତ କରାଯାଇ କ୍ୟାପିଟାଲ ହସ୍ପିଟାଲସ୍ଥିତ ରକ୍ତଭଣ୍ଡାରକୁ ପ୍ରଦାନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ