ବିବାହ ମଣ୍ଡପରେ ଆତ୍ମହତ୍ୟା କଲେ ବର
ହାଇଦ୍ରାବାଦ୍: ହାଇଦ୍ରାବାଦର ଜଣେ ଇଂଜିନିୟର ଏନଏସ୍ ସନ୍ଦୀପ ତାଙ୍କ ବିବାହ ଉତ୍ସବ ଦିନ ହିଁ ବିବାହ ମଣ୍ଡପରେ ଆତ୍ମହତ୍ୟା କରିଦେବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ମେଦଚଲ ଜିଲ୍ଲାର କୋମ୍ପାଲ୍ଲି ସ୍ଥିତ ଏକ ବିବାହ ମଣ୍ଡପରେ ସନ୍ଦୀପଙ୍କ ବିବାହ ଆୟୋଜନ କରାଯାଇଥିଲା । ବିବାହ ମଣ୍ଡପରେ ଉଭୟ ବର ଏବଂ କନ୍ୟା ପକ୍ଷର ସମସ୍ତ ବନ୍ଧୁମାନେ ପହଞ୍ଚି ସାରିଥିଲେ । କେବଳ ବିବାହ କାର୍ଯ୍ୟ ଆରମ୍ଭ କରିବାପାଇଁ ଶୁଭ ମୁହୁର୍ତ୍ତକୁ ଅପେକ୍ଷା କରାଯାଇଥିଲା । କିନ୍ତୁ ସନ୍ଦୀପ ହଠାତ୍ ନିଜକୁ ମେକଅପ୍ ରୁମରେ ବନ୍ଦ କରିଦେଇଥିଲେ । ଅନ୍ୟମାନେ ଯେତେ ଡାକିଲେ ମଧ୍ୟ ଶୁଣିନଥିଲେ । ଶେଷରେ କବାଟ ଭାଙ୍ଗି ଭିତରକୁ ପଶିବାବେଳକୁ ସନ୍ଦୀପଙ୍କ ମୃତଦେହ ଏକ ଫ୍ୟାନରେ ଝୁଲୁଥିଲା । ଉକ୍ତ ଘଟଣାକୁ ନେଇ ଭୟ ସନ୍ଦୀପଙ୍କ ପରିବାର ଏବଂ କନ୍ୟା ପକ୍ଷ ମଧ୍ୟ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି । ତେବେ କେଉଁ କାରଣ ପାଇଁ ସନ୍ଦୀପ ଆତ୍ମହତ୍ୟା କରିଛନ୍ତି ତାହା ଜଣାପଡ଼ିନି । ପୁଲିସ ଉକ୍ତ ଘଟଣାରେ ତଦନ୍ତ କରୁଛି ଏବଂ ଏନେଇ ପେଟ୍ ବଶିରାବାଦ୍ ଥାନାରେ ମାମଲା ରୁଜୁ କରିଛି ।