ବିବେକାନନ୍ଦ ଇନ୍ଷ୍ଟିଚ୍ୟୁଟ୍ରେ ମାତୃ ପିତୃ ପୂଜନ ଉତ୍ସବ ଅନୁଷ୍ଠିତ
ଖୋର୍ଦ୍ଧା, (ଯୁଗାବ୍ଦ ନ୍ୟୁଜ):ସ୍ଥାନୀୟ ଟାଙ୍ଗିଆପଡାସ୍ଥିତ ବିବେକାନନ୍ଦ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଆଡ୍ଭାନ୍ସଡ ଏଜୁକେସନାଲ୍ ରିସର୍ଚ୍ଚ ଆଣ୍ଡ୍ ଟେକ୍ନୋଲୋଜି ଓ କଲେଜ୍ ଅଫ୍ ବିଜିନେସ୍ ମ୍ୟାନେଜ୍ମେଂଟ୍ର ମିଳିତ ଆନୁକୁଲ୍ୟରେ ଏକ ଅଭିଭାବକ ସମ୍ମିଳନୀରେ ‘ମାତୃପିତୃ ପୂଜନ ଉତ୍ସବ’ ସହିତ ‘ଆମ ପିଲାଙ୍କ ଭବିଷ୍ୟତ’ ଶୀର୍ଷକ ଏକ ସେମିନାର ଅନୁଷ୍ଠାନର ଚେୟାରମ୍ୟାନ୍ ଶିକ୍ଷାବିତ୍ ଡ଼କ୍ଟର ଧୀରେନ୍ଦ୍ର ନନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଯୋଗବେଦାନ୍ତ ସମିତିର ଜିଲ୍ଲା କୋଷାଧ୍ୟକ୍ଷ ସୁକାନ୍ତ କୁମାର ପ୍ରଧାନଙ୍କର ସହଯୋଗରେ ଛାତ୍ରଛାତ୍ରୀମାନେ ହାତରେ ଦୀପ, ଧୂପ, ଫୁଲ, ଚନ୍ଦନ, ସିନ୍ଦୁର, ମିଷ୍ଠାନ୍ନ ଆଦି ପୂଜାସାମଗ୍ରୀରେ ସୁସଜ୍ଜିତ ପୂଜା ଥାଳି ଧରି ମନରେ ଅନେକ ଭକ୍ତି ଭାବ ନେଇ ନିଜର ପିତାମାତାଙ୍କ ସମ୍ମୁଖରେ ବସି ମାତୃଦେବୋଭବ-ପିତୃଦେବୋଭବର ଭାବନା ନେଇ ପୂଜାର୍ଚ୍ଚନା କରିବାପରେ ଶ୍ରୀ ଗଣେଷଙ୍କ ପୃଥିବୀ ପରିକ୍ରମା ପରି ନିଜ ପିତାମାତାଙ୍କ ଚତୁର୍ଦ୍ଦିଗରେ ସାତଥର ପରିକ୍ରମା କରି ଶେଷରେ ସେମାନଙ୍କ ପିତାମାତାଙ୍କର ଆଶ୍ରୀବାଦ ନେଇଥିଲେ । ପିଲାମାନଙ୍କର ସେମାନଙ୍କ ପିତାମାତାଙ୍କ ପ୍ରତି ଏହି ପ୍ରକାର ସ୍ନେହ, ପ୍ରେମ ଓ ବନ୍ଧନର ଭାବୋଦ୍ଦିପକ ଭାବନା ଏକ ଭାବବିହ୍ୱଳ ଶୋକାକୁଳ ପରିବେଶ ସୃଷ୍ଟି କରିଥିଲା । ଏହି ପରିପ୍ରେକ୍ଷୀରେ ଅନୁଷ୍ଠାନର ଚେୟାରମ୍ୟାନ୍ ଡ଼କ୍ଟର ନନ୍ଦ ତାଙ୍କ ସ୍ୱାଗତ ଭାଷଣରେ କହିଲେ ବିଶ୍ୱ ମାନବ କଲ୍ୟାଣର ଦିବ୍ୟ ଭାବନାକୁ ସଂରକ୍ଷିତ ରଖିଥିବା ଭାରତୀୟ ସଂସ୍କୃତି ଆଜି ମଧ୍ୟ ଆଧ୍ୟାତ୍ମିକତାର ଶୀର୍ଷ ସ୍ଥାନ ଅଧିକାର କରିଥିବାବେଳେ ଆଜିର ଯୁବ ସମାଜ ମହାପୁରୁଷମାନଙ୍କ ସାନ୍ନିଧ୍ୟ ଏବଂ ଆମ ସଂସ୍କୃତିର ଦିବ୍ୟ ଜୀବନକୁ ଅବହେଳା କରି ପାଶ୍ଚାତ୍ୟ ସଭ୍ୟତାର ଅନୁକରଣ କରି ଚାଲିଛନ୍ତି, ଯାହାଦ୍ୱାରା ସେମାନେ ଅଶାନ୍ତ ତଥା ଦୂରାଚାର ଓ ଏଡ଼୍ସ୍ ଭଳି ରୋଗର ଶିକାର ହେଉଛନ୍ତି । ଭାରତୀୟ ସଂସ୍କୃତିର ଏଭଳି ଅବକ୍ଷୟକୁ ସହ୍ୟ କରିନପାରି ଫେବୃୟାରୀ ୧୪ ‘ଭ୍ୟାଲେଂଟାଇନ୍ ଡେ’ର କୁସଂସ୍କାର ବିସ୍ତାର ନହେବାପାଇଁ ଏହି ଦିନକୁ ‘ମାତୃପିତୃୃ ପୂଜନ ଦିବସ’ ରୂପେ ଦୀର୍ଘ ୧୭ ବର୍ଷ ଧରି ଆମ ଦେଶରେ ପାଳିତ ହୋଇ ଆସୁଛି । ପିତାମାତାମାନେ ପିଲାମାନଙ୍କର ଚରିତ୍ର ଗଠନ ପାଇଁ ସେମାନଙ୍କଠାରେ ମାତୃପିତୃ ପୂଜା ସହିତ ଗୁରୁପୂଜା ଓ ମାତୃଭୂମି ପୂଜାର ଭାବନା ନିର୍ମାଣ କରାଇବା ଉଚିତ୍ । ମୁଖ୍ୟ ଅତିଥି ବରିଷ୍ଠ ଶିକ୍ଷାବିତ୍ ତଥା ସମାଜସେବୀ ଜ୍ୟୋତ୍ସାରାଣୀ ମିଶ୍ର କହିଲେ ସାମ୍ପ୍ରତିକ ପରିସ୍ଥିତିରେ ଆମେ ପିଲାମାନଙ୍କୁ ଉପଯୁକ୍ତ ଅନୁଶାସନ ଓ ନୀତି ଶିକ୍ଷା ମାଧ୍ୟମରେ ଗଢିପାରିଲେ ସେମାନଙ୍କର ଭବିଷ୍ୟତ ଉଜ୍ଜ୍ୱଳ ହୋଇପାରିବ । ଏକ ଭାବବିହ୍ୱଳ ଢଙ୍ଗରେ ସେ କହିଲେ ମହାବିଦ୍ୟାଳୟ ସ୍ତରରେ ଏଭଳି ଏକ ସ୍ୱତନ୍ତ୍ର ପରିବେଶ ମୁଁ ଏଠାରେ ପ୍ରଥମ କରି ଦେଖିଲି । ଏଭଳି ପରିବେଶ ଯଦି ସମସ୍ତ ଶିକ୍ଷାନୁଷ୍ଠାନରେ ସୃଷ୍ଟି କରିହେବ ଦେଶରୁ ଅନୀତି, ଦୁର୍ନୀତି ଓ ଭ୍ରଷ୍ଟାଚାର ଲୋପ ପାଇଯିବ । ମୁଖ୍ୟ ବକ୍ତା ଭାବରେ ବିବେକାନନ୍ଦ ବିଜ୍ଞାନ ଭବନର ସଭାପତି ବିଶିଷ୍ଟ ଶିକ୍ଷାବିତ୍ ଡକ୍ଟର ଅଶୋକ କୁମାର ନନ୍ଦ ଯୋଗଦେଇ କହିଲେ ଆଜିର ସାମାଜିକ ବ୍ୟବସ୍ଥା ଭୁଷୁଡି ପଡିଛି । ଆମ ମହାନ୍ ସଂସ୍କୃତିର ଅବକ୍ଷୟ ଘଟିଛି । ଏଭଳି ମାତୃପିତୃୃ ପୂଜନ ଉତ୍ସବରେ ପ୍ରେମର ପ୍ରକୃତ ମୂଲ୍ୟ ପିଲାମାନେ ସେମାନଙ୍କ ମା’ବାପାଙ୍କ ନିକଟରେ ପାଇପାରିବେ । ଏହାଦ୍ୱାରା ପିଲାମାନେ ସଂଯମ, ସଦାଚାର, ଧୈର୍ଯ୍ୟ, ବୁଦ୍ଧି, ସାହସ, ଶକ୍ତି ଓ ପରାକ୍ରମ ଭଳି ଦିବ୍ୟଗୁଣର ଅଧିକାରୀ ହୋଇ ସୁସ୍ଥ, ସୁନ୍ଦର ଓ ସମ୍ମାନଯୁୁକ୍ତ ସୁଖି ଜୀବନ ବିତାଇ ପାରିବେ । ସମ୍ମାନୀତ ଅତିଥି ଭାବରେ ପାଇକ ଫାଉଣ୍ଡେସନର ରାଜ୍ୟ ସଭାପତି ସତ୍ୟ ନାରାୟଣ ବିଶୋଇ, ବରିଷ୍ଠ ସମାଜସେବୀ ରଘୁନାଥ ମଙ୍ଗରାଜ ପ୍ରମୁଖ ଯୋଗଦେଇ କହିଲେ ମୂଲ୍ୟବୋଧ ଭିତିକ ଶିକ୍ଷାର ଗୁଣାତ୍ମକ ମାନ ହ୍ରାସ ହେବାରୁ ଆଜି ଆମ ପିଲାଙ୍କ ଭବିଷ୍ୟତ ଅନିଶ୍ଚିତ ହୋଇପଡିଛି, ସେଥିପାଇଁ ଆମ ସମସ୍ତଙ୍କୁ ସଜାଗ ହେବାକୁ ପଡିବ । ଏହି କାର୍ଯ୍ୟକ୍ରମରେ ଅଭିଭାବକ ଅନୀତା ଦାସ, ଶୁରେନ୍ଦ୍ର ନାୟକ, ରଶ୍ମୀ ମିଶ୍ର ପ୍ରମୁଖ ବକ୍ତବ୍ୟ ମାଧ୍ୟମରେ କହିଲେ ଏହିଭଳି ପରିବେଶ ଥିବା ଅନୁଷ୍ଠାନରେ ନିଜର ପିଲାମାନଙ୍କୁ ପାଠ ପଢାଇଲେ ପିଲାମାନଙ୍କଠାରେ ସାମାଜିକ, ଆଧ୍ୟାତ୍ମିକ ଓ ଦେଶାତ୍ମବୋଧକ ଭାବନାର ବିକାଶ ହୋଇପାରିବ । ଏହି ଅବସରରେ ସୁଶ୍ରୀ ଶୁଭଲକ୍ଷ୍ମୀ ନନ୍ଦଙ୍କର ଅଷ୍ଟଦଶତମ ବାର୍ଷିକ ଜନ୍ମୋତ୍ସବ ଭାରତୀୟ ସଂସ୍କୃତି ଓ ପରମ୍ପରା ଅନୁସାରେ ଏକ ସ୍ୱସ୍ତିକ ମଣ୍ଡଳରେ ଉଣେଇଶଟି ଦୀପ ଲଗାଇ ପୂଜନ କରାଯାଇ ପାଳିତ ହେବାପରେ ଅନୁଷ୍ଠାନର ସହନିର୍ଦ୍ଦେଶିକା ସ୍ମୃତିଶ୍ରଦ୍ଧା ତ୍ରିପାଠୀ କାର୍ଯ୍ୟକ୍ରମର ସଫଳତା ପାଇଁ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । । ଅନ୍ୟମାନଙ୍କ ମଧ୍ୟରେ ଦେବଦାସ ପାଣିଗ୍ରାହୀ, ଡି ନାଗେଶ୍ୱର ପାତ୍ର, ଧନେଶ୍ୱର ଦାସ, ଭୋଳାନାଥ ନାୟକ, ସତ୍ୟସୁନ୍ଦର ରଣା, ନମିତା ସାହୁ, ପ୍ରଣତି ଚମ୍ପତି, ବିଜୟଲକ୍ଷ୍ମୀ ମିଶ୍ର ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।