ବିଭିନ୍ନତା ମଧ୍ୟରେ ଏକତା ଭାରତର ମୂଳମନ୍ତ୍ର
ଭୁବନେଶ୍ୱର : ବିଭିନ୍ନତା ମଧ୍ୟରେ ଏକତା ହିଁ ଭାରତର ମୂଳମନ୍ତ୍ର । ଏଥିପାଇଁ ଭାରତ ସମଗ୍ର ପୃଥିବୀରେ ଶ୍ରେଷ୍ଠ । ଏହାର ପରମ୍ପରା, ସଂସ୍କୃତି, ଚାଲିଚଳନରେ ସ୍ୱତନ୍ତ୍ରତା ରହିଛି ବୋଲି ଆନ୍ତଃ ରାଜ୍ୟ ଯୁବ ବିନିମୟ ଉଦ୍ଯାପନୀ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଅତିଥିମାନେ ମତପ୍ରକାଶ କରିଛନ୍ତି । ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ ନେହେରୁ ଯୁବକେନ୍ଦ୍ର ସଂଗଠନ, ଓଡ଼ିଶା ଶାଖା ଦ୍ୱାରା ୧୫ ଦିନ ଧରି ପୋଖରୀପୁଟସ୍ଥିତ ଏନ୍ସିଏସସିଡ଼ିଏ ପରିସରରେ ଚାଲିଥିବା ଏହି ଯୁବ ବିନିମୟ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିôଲା । ଏଥିରେ ମହାରାଷ୍ଟ୍ର ଓ ଓଡ଼ିଶା ରାଜ୍ୟର ୧୦ଟି ଜିଲ୍ଲାର ଏକଶହରୁ ଉର୍ଦ୍ଧ୍ୱ ଯୁବକ ଯୁବତୀ ଅଂଶଗ୍ରହଣ କରିଥିଲେ । ଉଦ୍ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ରୂପେ ଓଡ଼ିଶା ସରକାରଙ୍କ ଗୃହବିଭାଗ ମନ୍ତ୍ରୀ କ୍ୟାପ୍ଟେନ ଦିବ୍ୟଶଙ୍କର ମିଶ୍ର, ନେହେରୁ ଯୁବକେନ୍ଦ୍ର ସଂଗଠନର ମଣ୍ଡଳ ନିର୍ଦ୍ଦେଶକ ଜୟ ପ୍ରକାଶ ଶର୍ମା, ଯୁବ ସଂଯୋଜକ ଆର.କେ. ସୋନୀ, ପ୍ରଦୀପ କୁମାର, ଅକ୍ଷୟ ନିପାଣୀ, ସୁଶ୍ରୀ ବସୁନ୍ଧରା ସାହୁ ପ୍ରମୁଖ ଅତିଥି ରୂପେ ଯୋଗ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ଶୁଭେନ୍ଦ୍ରନାଥ ସାହୁ, କୋଷାଧ୍ୟକ୍ଷ କୁଳମଣି ମଲ୍ଲିକ, ମନୋରଞ୍ଜନ ପାତ୍ର, ପୁଷ୍ପଲତା ବେହେରା, ସୌମ୍ୟରଞ୍ଜନ ମହାପାତ୍ର ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।