ବିଭିନ୍ନ ଗ୍ରାମର ପ୍ରବେଶପଥ ବନ୍ଦ କଲେ ଗ୍ରାମବାସୀ
ରାଇରଙ୍ଗପୁର:ମୟୁରଭଞ୍ଜ ଜିଲ୍ଲା ବହଳଦା ବ୍ଲକ ଅଞ୍ଚଳର ବିଭିନ୍ନ ଗ୍ରାମଗୁଡିକରେ ପ୍ରବେଶପଥ ବନ୍ଦ କରି କରିଛନ୍ତି ଗ୍ରାମବାସୀ।ପ୍ରବେଶପଥ ବନ୍ଦ ଜନିତ ଫୋଟ ଭିଡିଓ ସାମାଜିକ ଗଣମାଧ୍ୟମ ଗୁଡିକରେ ଦେଖିବାକୁ ମିଳୁଥିଲାବେଳେ ମୟୁରଭଞ୍ଜ ଜିଲ୍ଲା ବହଳଦା ବ୍ଲକ ଅନ୍ତର୍ଗତ ଗିଦିଘାଟୀ ଗ୍ରାମପଞ୍ଚାୟତ ଗୟଳକଟା ଗ୍ରାମରେ ଦେଖିବାକୁ ମିଳିଛି ନିଆରା ଦୃଶ୍ୟ।ଏଠାରେ ଗ୍ରାମର ପ୍ରବେଶ ପଥରେ ବାଉଁଶ ଦ୍ବାରା ଗେଟ୍/ଫାଟକ ତଆରି କରି ରାସ୍ତା ଅବରୋଧ କରାଯିବା ସହିତ ପ୍ରବେଶ ପଥ ଜଗିଛନ୍ତି ଗ୍ରାମର କିଛି ଯୁବକ।କୌଣସି କାର୍ଯ୍ୟରେ ବାହାରକୁ ଯାଇ ଫେରୁଥିବା ଗ୍ରାମର ବ୍ୟକ୍ତିଙ୍କୁ ସାବୁନରେ ହାତ ଓ ଗୋଡ ଧୋଇଲା ପରେ ଗ୍ରାମକୁ ପ୍ରବେଶର ଅନୁମତି ଦେଉଛନ୍ତି।ଅନ୍ୟାନ୍ୟ ଗ୍ରାମର ବ୍ୟକ୍ତିଙ୍କୁ ଆଗମନର କାରଣ ପଚାରି ସାବୁନରେ ହାତ ଧୋଇଲାପରେ ଛାଡୁଛନ୍ତି ନଚେତ ଫେରାଇ ଦେଉଛନ୍ତି।ଉକ୍ତ ଫାଟକରେ କରୋନା ଭୂତାଣୁ ଯୋଗୁଁ ଗ୍ରାମରେ ପ୍ରବେଶ ନିଶେଧ,ଗାଁ ଲୋକେ ପ୍ରବେଶ ପୂର୍ବରୁ ସାବୁନରେ ହାତ ଓ ଗୋଡ ଧୋଇବା ଆବଶ୍ୟକ ଗାଁ ଓ ଏଠାରେ ଏକତ୍ରୀତ ହୁଅନ୍ତୁ ନାହିଁ ଆଦି ଲେଖା ହୋଇଥିବା ସୂଚନା ଫଳକ ଲାଗିଥିବା ଦେଖିବାକୁ ମିଳିଥିଲା।କରୋନା ଭୂତାଣୁ ସଂକ୍ରମଣର ଭୟାବହତାକୁ ଦୃଷ୍ଟିରେ ରଖି ସରକାର ଜାରି କରିଥିବା କଟକଣାକୁ ବିଭିନ୍ନ ସ୍ଥାନରେ ଲୋକେ ହାଲୁକା ଭାବେ ନେଇ କଟକଣାକୁ ବେଖାତିର କରୁଥିଲାବେଳେ ଗୟକଟା ଗ୍ରାମର ଏହି ଜନ ସଚେତନ ପ୍ରୟାସକୁ ସମସ୍ତେ ପ୍ରଶଂଶା କରିଛନ୍ତି।


