ବିଭିନ୍ନ ଦାବି ନେଇ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କଲା ଗାଁ ସାଥି ସଂଘ
ଛତ୍ରପୁର, (ଦେବଦତ୍ତ ମହାରଣା): ମନରେଗା ରେ କାର୍ଯ୍ୟରତ ଗାଁ ସାଥୀ (ମେଟ୍) ମାନେ ବିଭିନ୍ନ ଦାବି ନେଇ ମଙ୍ଗଳବାର ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି । ଗାଁ ସାଥୀ (ମେଟ୍) ମାନଙ୍କ ପାଇଁ କ୍ଷତିକାରକ ସାବ୍ୟସ୍ତ ହେଉଥିବା (୧) ରାଜ୍ୟ ପଞ୍ଚାୟତରାଜ ଓ ପାନୀୟ ଜଳ ବିଭାଗର ଚିଠିନଂ ୧୨୧୩୦ ,ତା. ୨୯.୦୭.୨୦୨୧, (୨) ଚିଠି ନଂ -୧୩୪୨୩, ତା .୧୭.୦୮.୨୦୨୧,(୩) ରାଜ୍ୟ ମିଶନ ଶକ୍ତି ବିଭାଗର ଚିଠି ନଂ -୩୫୨, ତା ୧୯.୦୮.୨୦୨୧ ରିଖ କୁ ତୁରନ୍ତ ପ୍ରତ୍ୟାହାର କରିବା, ୨୦୦୮ ମସିହାରୁ ନ୍ୟାୟ ଆଶାୟୀ ଗାଁ ସାଥୀ (ମେଟ୍) ମାନଙ୍କୁ ମାସିକ ପ୍ରୋତ୍ସାହନ ରାଶି ୮୦୦୦ଟଙ୍କାରୁ ଉର୍ଦ୍ଧ୍ୱ ପ୍ରଦାନ କରିବା, ରାଜ୍ୟ ପଞ୍ଚାୟତ ରାଜ ବିଭାଗର ଚିଠିନଂ ୯୪୦ ତା. ୧୧.୦୧.୨୦୧୯ ଓ ଏହାର ଏକାଧିକ ରିମାଇଣ୍ଡର ଚିଠି ଅନୁଯାୟୀ ମାସକୁ ସର୍ବନିମ୍ନ ୧୦ଦିନ ଓ ବର୍ଷକୁ ଅନ୍ୟୁନ ୧୦୦ ଦିନର ନିଶ୍ଚିତ କାର୍ଯ୍ୟ କରାଯାଉ ଦାବୀ କରି ଗାଁ ସାଥୀ (ମେଟ୍ସଂଘ) ମିଳିତ କ୍ରିୟାନୁଷ୍ଠାନ କମିଟି ଗଞ୍ଜାମ ଜିଲ୍ଲା ସଭାପତି ରବିନ୍ଦ୍ର ନାଥ ଗୈାଡଙ୍କ ନେତୃତ୍ୱ ରେ ସ୍ଥାନୀୟ ନୂତନ ବସଷ୍ଟାଣ୍ଡ ଠାରୁ ଶତାଧୀକ ଗାଁ ସାଥୀ ଏକ ଶୋଭାଯାତ୍ରାରେ ଛତ୍ରପୁର ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଘେରାଉ କରିଥିଲେ । ରାଜ୍ୟ ପଞ୍ଚାୟତରାଜ ଓ ପାନୀୟ ଜଳ ବିଭାଗ ଗାଁ ସାଥୀ (ମେଟ୍) ମାନଙ୍କ କାର୍ଯ୍ୟକୁ ସ୍ୱଂୟ ସହାୟକ ଗୋଷ୍ଠୀର (ଏସଏଚଜି) ସଭ୍ୟା ମାନଙ୍କ ହାତକୁ ଟେକି ଦେବା ଟାଗି ବାରମ୍ବାରା ଚିଠି ମାଧ୍ୟମରେ ଚେଷ୍ଠା କରୁଥିବାରୁ ସଂଘ ତରଫରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ସହିତ ବିଭାଗର ଏତାଦୃଶ୍ୟ କାର୍ଯ୍ୟକଳାପକୁ ଘୋର ନିନ୍ଦା କରାଯାଇଥିଲା । ପରେ ଏକ ଲିଖିତ ଦାବୀ ଗଞ୍ଜାମ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳ ଅମୀୟ କୁମାର ସାହୁଙ୍କୁ ପ୍ରଦାନ କରିଥିଲେ । ସେମାନଙ୍କ ଦାବିଗୁଡିକୁ ସମାଧାନ କରାନଗଲେ ଆସନ୍ତା ୭ ତାରିଖ ଦିନ ସଂଘ ବିଧାନସଭା ଆଗରେ ହେବାକୁ ଥିବା ଆନ୍ଦୋଳନରେ ସାମିଲ ହେବ ବୋଲି ଚେତାବନୀ ଦେଇଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ଶ୍ରୀ ଗୈାଡଙ୍କ ସମେତ ସମ୍ପାଦକ ସୁଧାଂଶୁ ଶେଖର ଶତପଥୀ, କୋଷାଧ୍ୟକ୍ଷ ଅଶୋକ କୁମାର ପଲେଇ, ଚରଣ ନାୟକ, ଦାମ ପ୍ରଧାନ, ବସନ୍ତ ଚାନ୍ଦ, ବିଦ୍ୟାଧର ପ୍ରଧାନ, ପୂର୍ବତନ ଜିଲ୍ଲା ସଭାପତି ହେମନ୍ତ ନାହାକ, ରବିନ୍ଦ୍ର ପ୍ରଧାନ, ଗଣେଶ ସ୍ୱାଇଁ, ଲଡୁ କିଶୋର ଦାଶ, ଉଦୟ ନାରାୟଣ ଦାଶ. ଜଗନ୍ନାଥ ବିଷୋୟୀ, ଗୋପୀନାଥ ସେଠୀ, ବି.ମୋହନ ରାଓ ଓ ସମସ୍ତ ବ୍ଲକର ପ୍ରମୁଖ କର୍ମକର୍ତ୍ତା ମାନଙ୍କ ସହିତ ଶତଧୀକ ଗାଁ ସାଥୀ (ମେଟ୍) ମାନେ ଉପସ୍ଥିତ ଥିଲେ ।