ବିଭିନ୍ନ ସରକାରୀ ଯୋଜନାରୁ ବଂଚିତ ହୋଇଥିବା ଭିନ୍ନକ୍ଷମର ବିଡିଓଙ୍କୁ ଲିଖିତ ଅଭିଯୋଗ
ନାଉଗାଁ,(ଯୁଗାବ୍ଦ ନ୍ୟୁଜ୍ ) : ନାଉଗାଁ ବ୍ଳକ ଅନ୍ତର୍ଗତ ନୂଆଗାଁ ପଂଚାୟତର ବନ ବିହାରୀ ମହାନ୍ତି ଜଣେ ଭିନ୍ନକ୍ଷମ ବ୍ୟକ୍ତି ହୋଇଥିବା ବେଳେ ସରକାରଙ୍କ ବିଭିନ୍ନ ଯୋଜନାରୁ ବଂଚିତ ହୋଇଥିବା ମଙ୍ଗଳବାର ବିଡିଓ ରଶ୍ମିରେଖା ମଲିକଙ୍କୁ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ମୁତାବକ ବନ ବିହରୀ ଜଣେ ଭିନ୍ନକ୍ଷମ ବ୍ୟକ୍ତି । ତାଙ୍କର ଶତକଡା ୬୦ ଭାଗ ଭିନ୍ନକ୍ଷମ ହୋଇଥିବାର ପ୍ରମାଣପତ୍ର ସେ ପାଇଛନ୍ତି । ଭିନ୍ନକ୍ଷମ ହୋଇଥିବାରୁ ସେ କୌଣସି କାମଧନ୍ଦା କରିପାରନ୍ତି ନାହିଁ । ଏପରିକି ସରକାର ଭିନ୍ନକ୍ଷମ ମାନଙ୍କୁ ସାହାଯ୍ୟ ଯୋଗାଇ ଦେବା ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରିଥିବା ବେଳେ ଏହି ଯୋଜନାରେ ଭିନ୍ନକ୍ଷମମାନଙ୍କୁ ଅଗ୍ରାଧିକାର ଦିଆଯିବାର ନିୟମ ରହିଥିଲେ ମଧ୍ୟ ବନ ବିହାରୀ କେବଳ ଭତା ପାଉଥିବା ବେଳେ ଆଉ ସବୁ ଯୋଜନାରୁ ବଂଚିତ ହୋଇଛନ୍ତି । ସେ ଏକ ଭଙ୍ଗା ଚାଳ ଛପର ଘରେ ରହୁଥିବା ବେଳେ ଅର୍ଥାଭାବରୁ ଘର ଖଣ୍ଡେ ମଧ୍ୟ କରିପାରୁ ନାହାନ୍ତି । ଏପରିକି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସେ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେବାକୁ ପଡୁଛି । ସେହିପରି ଖାଦ୍ୟ ସୁରକ୍ଷା ଯୋଜନାରୁ ସେ ବାଦ ପଡିଥିବା ମଧ୍ୟ ପ୍ରକାଶ କରିଛନ୍ତି । ତେଣୁ ଭିନ୍ନକ୍ଷମ ମାନଙ୍କୁ ମିଳୁଥିବା ସମସ୍ତ ସରକାରୀ ସୁବିଧା ଯୋଗାଇ ଦେବା ପାଇଁ ସେ ବିଡିଓଙ୍କୁ ଲିଖିତ ଅଭିଯୋଗ କରିଛନ୍ତି । ଏବିଷୟରେ ବିଡିଓ ରଶ୍ମିରେଖା ମଲ୍ଲିକଙ୍କୁ ପଚାରିବାରୁ ଅଭିଯୋଗ ପାଇବା ପରେ ସେ ବ୍ଳକ ସମାଜ ମଙ୍ଗଳ ସଂପ୍ରସାରଣ ଅଧିକାରୀ ଓ ବ୍ଳକ ଯୋଗାଣ ନିରୀକ୍ଷକଙ୍କ ସହ କଥା ହୋଇଛନ୍ତି । ଯଥା ଶୀଘ୍ର ତାଙ୍କୁ ସମସ୍ତ ସରକାରୀ ସୁବିଧା ଯୋଗାଇ ଦିଆଯିବ ବୋଲି ପ୍ରକାଶ କରିଛନ୍ତି ।