ବିଭୁ ପ୍ରସାଦ ରାଉତରାୟ ଓଡ଼ିଶା ହାଇକୋର୍ଟର ବିଚାରପତି ନିଯୁକ୍ତ

ନୂଆଦିଲ୍ଲୀ/କଟକ : ଓଡ଼ିଶା ହାଇକୋର୍ଟର ନୂଆ ବିଚାରପତି ଭାବେ ଜୁଡିସିଆଲ ଅଫିସର ବିଭୁ ପ୍ରସାଦ ରାଉତରାୟଙ୍କୁ ନିଯୁକ୍ତି ମିଳିଛି । ସୁପ୍ରିମକୋର୍ଟର କଲେଜିୟମ ପକ୍ଷରୁ ଗତ ମାସ ବିଭୁ ପ୍ରସାଦ ରାଉତରାୟ ଓ ଆଇନଜୀବୀ ସଞ୍ଜୀବ କୁମାର ପାଣିଗ୍ରାହୀଙ୍କୁ ଓଡ଼ିଶା ହାଇକୋର୍ଟର ବିଚାରପତି ରୂପେ ନିଯୁକ୍ତ କରିବା ପାଇଁ ସୁପାରିସ କରାଯାଇଥିଲା । କେନ୍ଦ୍ର ସରକାର ଆଜି ବିଭୁ ପ୍ରସାଦ ରାଉତରାୟଙ୍କ ନିଯୁକ୍ତି ସଂକ୍ରାନ୍ତ ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ତେବେ ସଞ୍ଜୀବ କୁମାର ପାଣିଗ୍ରାହୀଙ୍କ ନିଯୁକ୍ତି ନେଇ ବିଜ୍ଞପ୍ତି ପ୍ରକାଶ ପାଇନାହିଁ ।
ଶୁକ୍ରବାର ଦିନ ୨ଟାରେ ହାଇକୋର୍ଟ ନ୍ୟୁ କନଫରେନ୍ସ ହଲ୍‌ରେ ଅନୁଷ୍ଠିତ ହେବାକୁ ଥିବା ସ୍ୱତନ୍ତ୍ର ଉତ୍ସବରେ ଶ୍ରୀ ରାଉତରାୟ ଶପଥ ଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି ।
ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ, ଜଷ୍ଟିସ୍ ଏସ୍‌.ଏ.ବୋବଡ଼େ ଓ ଜଷ୍ଟିସ ଏନ୍‌.ଭି.ରମନାଙ୍କୁ ନେଇ ଗଠିତ କଲେଜିୟମ ଶ୍ରୀ ରାଉତରାୟଙ୍କ ନାମ ବିଚାରପତି ପଦ ପାଇଁ ଅକ୍ଟୋବର ୩ରେ ସୁପାରିସ କରିଥିଲେ । ଏଥି ସହିତ ଆଇନଜୀବୀ ସଂଜୀବ କୁମାର ପାଣିଗ୍ରାହୀଙ୍କ ନାମ ମଧ୍ୟ ସୁପ୍ରିମକୋର୍ଟ କଲେଜିୟମ ସୁପାରିସ କରିଥିଲା । ଶ୍ରୀ ରାଉତରାୟଙ୍କ ନିଯୁକ୍ତି ନେଇ କେନ୍ଦ୍ର ଆଇନ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ଆଇନଜୀବୀ ଶ୍ରୀ ପାଣିଗ୍ରାହୀଙ୍କ ପ୍ରସଂଗରେ କୌଣସି ସ୍ପଷ୍ଟ ସୂଚନା ମିଳି ପାରି ନାହିଁ ।
୨୦୧୯ ମେ’ ୭ରେ ହାଇକୋର୍ଟ ପକ୍ଷରୁ ବରିଷ୍ଠ ବିଚାରବିଭାଗୀୟ ଅଧିକାରୀ ସତ୍ୟନାରାୟଣ ମିଶ୍ର, ବିଭୁ ପ୍ରସାଦ ରାଉତରାୟ, ଗୌତମ ଶର୍ମା ଓ ବିରଞ୍ଚି ନାରାୟଣ ମହାନ୍ତିଙ୍କ ନାମ ବିଚାରପତି ପଦ ପାଇଁ ସୁପାରିସ କରାଯାଇଥିଲା । ସୁପ୍ରିମକୋର୍ଟ କଲେଜିୟମ ବରିଷ୍ଠ ବିଚାରବିଭାଗୀୟ ଅଧିକାରୀ ଶ୍ରୀ ରାଉତରାୟଙ୍କ ନାମ ଗ୍ରହଣ କରି ନିଯୁକ୍ତି ପାଇଁ ସୁପାରିସ କରିଥିବା ବେଳେ ଅନ୍ୟ ତିନି ବିଚାରବିଭାଗୀୟ ଅଧିକାରୀଙ୍କ ନାମ ଓଡ଼ିଶା ହାଇକୋର୍ଟକୁ ଫେରାଇ ଦେଇଥିଲେ । ସେହିପରି ୨୦୧୯, ମେ’ ୭ରେ ଆଇନଜୀବୀ ସଂଜୀବ କୁମାର ପାଣିଗ୍ରାହୀଙ୍କ ସମେତ ୮ ଜଣ ଆଇନଜୀବୀଙ୍କ ନାମ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ସୁପ୍ରିମକୋର୍ଟଙ୍କ ନିକଟକୁ ପଠାଇଥିଲେ । ଅକ୍ଟୋବର ୩ରେ ସୁପ୍ରିମକୋର୍ଟ କଲେଜିୟମ ଶ୍ରୀ ପାଣିଗ୍ରାହୀଙ୍କ ନାମ ଗ୍ରହଣ କରି ନିଯୁକ୍ତି ପାଇଁ ସୁପାରିସ କରିଥିଲା । ଆଇନଜୀବୀ ସାବିତ୍ରୀ ରଥଙ୍କ ସଓପର୍କିତ ପ୍ରସ୍ତାବ କଲେଜିୟମ ଆଉ କିଛି ଦିନ ପରେ ବିଚାରକୁ ନେବା ପାଇଁ ନିଷ୍ପତ୍ତି ନେଇଥିଲା । ଏଥି ସହିତ ଅନ୍ୟ ୬ ଜଣ ଆଇନଜୀବୀଙ୍କ ନାମ ଓଡ଼ିଶା ହାଇକୋର୍ଟକୁ ସୁପ୍ରିମକୋର୍ଟ କଲେଜିୟମ ଫେରାଇ ଦେଇଥିଲେ ।
ଶ୍ରୀ ରାଉତରାୟ ବର୍ତମାନ ଗଞ୍ଜାମ ଜିଲ୍ଲା ଓ ଦୌରା ଜଜ୍ ଭାବେ କାର୍ଯ୍ୟ କରୁଛନ୍ତି । ସେ ୧୯୭୦ ଫେବ୍ରୁଆରି ୧ ରେ ଜନ୍ମ ଗ୍ରହଣ କରିଥିଲେ । ସେ ଓଡ଼ିଶା ହାଇକୋର୍ଟରେ ଆଇନଜୀବୀ ଭାବେ କାର୍ଯ୍ୟ କରିବା ପରେ ସିଧାସଳଖ ଜିଲ୍ଲା ଜଜ୍ କ୍ୟାଡରରେ ନିଯୁକ୍ତି ପାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ