ବିମାନରେ ଠାକୁର ମାନଙ୍କୁ ଆମ୍ବ କଷି ଲାଗି
ନିମାପଡ଼ା,(ସନ୍ତୋଷ କୁମାର ଦାଶ): ଗତ ଫଗୁ ଦଶମୀ ରବିବାର ଠାରୁ ଆରମ୍ଭ ହୋଇ ଯାଇଛି ପ୍ରସିଦ୍ଧ ଦୋଳ ଯାତ୍ରା। ପ୍ରାଚୀ ଉପତ୍ୟକା ର ପ୍ରସିଦ୍ଧ ମନ୍ଦିର ମାନଙ୍କର ଠାକୁର ମାନେ ଏବେ ମନ୍ଦିର ଛାଡ଼ି ଗାଁ ଗାଁ ବୁଲି ଦ୍ବାରୀ ଭୋଗ ଖାଉଛନ୍ତି। ଶ୍ରଦ୍ଧାଳୁ ଭକ୍ତ ମାନେ ନିଜ ଦ୍ଵାର ମୁହଁ ରେ ଠାକୁର ମାନଙ୍କୁ ପାଇ ଯେତିକି ଖୁସି ଭକ୍ତ ର ଦ୍ଵାର ମୁହଁ ଠାରେ, ଗାଁ ର ବିଭିନ୍ନ ସ୍ଥାନରେ ଛିଡ଼ା ହୋଇ, ଉପବେଶନ କରି ଦ୍ଵାରୀ ଭୋଗ ଖାଇ ସେତିକି ଖୁସି ଅଛନ୍ତି। ଭକ୍ତ ଆଉ ଭଗବାନ ଙ୍କ ମିଳନ ଘଟିଛି। ଠାକୁର ମାନଙ୍କ ଚଳନ୍ତି ପ୍ରତିମା କୁ ସୁ ସଜ୍ଜିତ ବିମାନ ରେ ବସାଇ ବେହେରା ଗୋପାଳ ସେବକ ମାନେ ନିଜ କାନ୍ଧ ରେ ଗାଁ ଗାଁ ବୁଲାଉଥିବାବେଳେ ସେବକ ମାନେ ଛତ୍ରି, ଚାମର ଧରି, ଘଣ୍ଟ ବଜାଇ ଠାକୁର ମାନଙ୍କ ସହିତ ଦିନ ରାତି ଗାଁ ଗାଁ ବୁଲୁଛନ୍ତି। ଭକ୍ତ ଓ ଶ୍ରଦ୍ଧାଳୁ ମାନେ ନିଜ ଗଛ ରେ ହୋଇଥିବା ନୂଆ ଆମ୍ବ କଷି କୁ ଠାକୁର ମାନଙ୍କ ନିକଟରେ ଲାଗି କରୁଛନ୍ତି। ଭଲ ଆମ୍ବ ଫସଲ ହେବାକୁ କାମନା କରି ଭକ୍ତ ଶ୍ରଦ୍ଧାଳୁ ମାନେ ବିମାନ ରେ ଉପବେଶନ କରିଥିବା ଠାକୁର ମାନଙ୍କୁ ଆମ୍ବ କଷି ଲାଗି କରୁଛନ୍ତି। ଗାଁ ଗାଁ ରେ ଗ୍ରାମ ବାସୀ ମାନେ ରଙ୍ଗୀନ ଆଲୋକ ଜଳାଇ , ଶୋଭାଯାତ୍ରାରେ ଠାକୁର ଙ୍କ ବିମାନ କୁ ନିଜ ନିଜ ଗାଁକୁ ପାଛୋଟିନେଉଛନ୍ତି।ଶ୍ରଦ୍ଧାଳୁ ଭକ୍ତ ପରିବାର ଙ୍କ ପକ୍ଷରୁ ଠାକୁର ମାନଙ୍କୁ ପଇଡ଼, ଲିଆ, ଉଖୁଡ଼ା, ହୁଡ଼ୁମ୍ବ, ଶାକର, ଚଣା , ଖଇ, କୋରା, କାକରା, କଦଳୀ ଓ ବିଭିନ୍ନ ଫଳମୂଳ ଭୋଗ ଲାଗି କରା ଯାଉଥିବା ବେଳେ ଗାଁ ଦାଣ୍ଡ ରେ ଠାକୁର ଙ୍କୁ ଫଗୁ (ଅବିର) ଲାଗି କରାଯାଉଛି। ଚାରିଛକ ନିକଟସ୍ଥ ଅମରେଶ୍ୱର ଶମ୍ଭୁ, ବନ୍ଦେଶ୍ୱର ଶମ୍ଭୁ,ପ୍ରଭୂ ମାଧବାନନ୍ଦ, ରାଧାକାନ୍ତ , ନୟାହାଟ ନରସିଂହପୁର ଗ୍ରାମ ର ମାଧବାନନ୍ଦ, ଯୋଗେଶ୍ୱର, ଗ୍ରାମେଶ୍ଵର, ରାମେଶ୍ଵର, ବରେଶ୍ଵର ଙ୍କ ସହିତ ବିଭିନ୍ନ ଗ୍ରାମରେ ପୂଜାପାଇ ଆସୁଥିବା ରାଧାକୃଷ୍ଣ ସବୁ ନିଜ ନିଜ ବିମାନ ରେ ଗାଁ ଗାଁ ବୁଲି ଦ୍ୱାରୀ ଭୋଗ ଖାଉଛନ୍ତି। ଠାକୁର ମାନେ ଗାଁ ରେ ଭୋଗ ଖାଇବା ସମୟ ରେ ହରିବୋଲ, ହୁଳହୁଳି, ସିଂଘା ଶଦ୍ଦ ରେ ଗାଁ ଦାଣ୍ଡ ପ୍ରକମ୍ପିତ ହୋଇ ଉଠୁଛି। ଦୋଳ ଯାତ୍ରା ପାଇଁ ଚାରିଛକ ଓ ନୟାହାଟ ଅଞ୍ଚଳ ର ଗାଁ ଗୁଡ଼ିକ ରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି।