ବିରଳା ଟାୟାର୍ସ-ବାଲେଶ୍ୱର ଆଲୋୟେଜ କାର୍ଯ୍ୟକ୍ଷମ ଦାବିରେ ଅନଶନ

ବାଲେଶ୍ୱର, (ସରୋଜ ପଣ୍ଡା):ଉତ୍ତର ଓଡ଼ିଶାର ବୃହତ ଦୁଇ ଶିଳ୍ପାନୁଷ୍ଠାନ ବାଲେଶ୍ୱରର ‘ବିରଳା ଟାୟାର୍ସ’ଓ ‘ଇସ୍ପାତ ଆଲୋୟେଜ’ପୁନଃ କାର୍ଯ୍ୟକ୍ଷମ ଦାବିରେ ବାଲେଶ୍ୱର ସଚେତନ ନାଗରିକ ମଞ୍ଚ ପକ୍ଷରୁ ଆରମ୍ଭ ହୋଇଛି ଆମରଣ ଅନଶନ । ଯୁବନେତା ବିକ୍ରମ ପଣ୍ଡାଙ୍କ ଆବାହକତ୍ୱରେ ଆୟୋଜିତ ଅନଶନ ଏବଂ ପ୍ରତିବାଦ କାର୍ଯ୍ୟକ୍ରମରେ ଜିଲାର ବିଭିନ୍ନ ବର୍ଗର ଲୋକେ ଯୋଗଦେଇ ଜିଲା ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ଶିଳ୍ପାୟନ ନୀତିକୁ ତୀବ୍ର ସମାଲୋଚନା କରିଥିଲେ । ବାଲେଶ୍ୱର ଜିଲାର ଆର୍ଥିକ ବିକାଶ ଏବଂ ବେକାରୀ ସମସ୍ୟା ଦୂରୀକରଣରେ ଏକଦା ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଏହି ଦୁଇ ଶିଳ୍ପାନୁଷ୍ଠାନ ବନ୍ଦ ହୋଇଯିବା ଫଳରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ୪୦ ହଜାରରୁ ଅଧିକ ପରିବାର ଜୀବିକା ହରାଇଛନ୍ତି । କେବଳ ଏହି ଦୁଇ ଶିଳ୍ପାନୁଷ୍ଠାନ ନୁହେଁ ବରଂ ଜିଲାର ଶତାଧିକ ମଧ୍ୟମ ଓ କ୍ଷୁଦ୍ର ଶିଳ୍ପାନୁଷ୍ଠାନ ଋଗଣ ଅବସ୍ଥାରେ ପହଞ୍ଚିଛି । ଏମିତି ସ୍ଥିତି ଲାଗି ରହିିଲେ ଆଗାମୀ ଦିନରେ ବାଲେଶ୍ୱର ଜିଲା ଶିଳ୍ପଶୂନ୍ୟ ହୋଇଯିବ ବୋଲି ବକ୍ତମାନେ ଆଶଙ୍କା ପ୍ରକାଶ କରିଥିଲେ । ଦୁଇ ଶିଳ୍ପାନୁଷ୍ଠାନ କାର୍ଯ୍ୟକ୍ଷମ ସମେତ ଅନ୍ୟାନ୍ୟ ଶିଳ୍ପାନୁଷ୍ଠାନର ପୁନରତ୍ଥାନ ଦିଗରେ କେନ୍ଦ୍ର କିମ୍ବା ରାଜ୍ୟ ସରକାରଙ୍କର ଟିକିଏ ହେଲେ ଆନ୍ତରିକତା ନାହିଁ । ସେହିଭଳି ଜିଲାର ଲୋକପ୍ରତିନିଧଙ୍କ ପକ୍ଷରୁ ଏ ବାବଦରେ କୌଣସି ଉଦ୍ୟମ ପରିଲକ୍ଷିତ ହେଉନଥିବା ବେଳେ ବୃହତ ସ୍ୱାର୍ଥକୁ ଦୃଷ୍ଟିରେ ରଖି ବାଲେଶ୍ୱର ଜିଲାର ପ୍ରତ୍ୟେକ ବର୍ଗ ଏହି ଅନଶନରେ ସାମିଲ ହେବାକୁ ଅନଶନରତ ନାଗରିକ ମଞ୍ଚର କର୍ମକର୍ତ୍ତା ଓ ବୁଦ୍ଧିଜୀବୀମାନେ ଆହ୍ୱାନ ଦେଇଥିଲେ । ଦାବି ପୂରଣ ନହେବା ପର୍ଯ୍ୟନ୍ତ ଏହିଭଳି ଅନଶନ ଜାରି ରହିବ ବୋଲି ସଂଗଠନ ପକ୍ଷରୁ କର୍ମକର୍ତ୍ତାମାନେ ଚେତାବନୀ ଦେଇଛନ୍ତି । ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ଓ ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ ଏହି ଅନଶନ କାର୍ଯ୍ୟକ୍ରମରେ ଯୋଗଦେଇ ବାଲେଶ୍ୱର ସ୍ୱାର୍ଥରକ୍ଷା ପାଇଁ ନାଗରିକ ମଞ୍ଚ ପକ୍ଷରୁ ଆରମ୍ଭ ହୋଇଥିବା ଅଭିଯାନକୁ ସମର୍ଥନ ଜଣାଇଥିଲେ । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ତୁରନ୍ତ ଶିଳ୍ପାନୁଷ୍ଠାନ କାର୍ଯ୍ୟକ୍ଷମ ଦିଗରେ ଉଚିତ ପଦକ୍ଷେପ ନେବାକୁ ସେମାନେ ପ୍ରସ୍ତାବ ଦେଇଥିଲେ । ନତୁବା ଆଗାମୀ ଦିନରେ ଏହି ଦାବି ବ୍ୟାପକ ହେବା ନେଇ ସେମାନେ ଚେତାବନୀ ଦେଇଥିଲେ । ଜିଲାର ବିଭିନ୍ନ ଅଞ୍ଚଳରୁ ବୁଦ୍ଧୀଜୀବୀ, ଶ୍ରମିକନେତା, ଆଇନଜୀବୀ, ଯୁବ, ଛାତ୍ରଙ୍କ ସମେତ ବିଭିନ୍ନ ସାମାଜିକ ସଂଗଠନରୁ ବହୁ ବ୍ୟକ୍ତି ଏହି ଅନଶନରେ ସାମିଲ ହୋଇଛନ୍ତି ।

 

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ