ବିରୋଧୀଙ୍କୁ ମୁହଁତୋଡ଼ ଜବାବ ଦେଲେ ନବାଗତ ବିଷ୍ଣୁବ୍ରତ

ତିହିଡି (ଯୁଗାବ୍ଦନ୍ୟୁଜ): ବାପା ବିଜୟଶ୍ରୀ ରାଉତରାୟଙ୍କ ୬ ଥର ବିଜୟ ପରେ ସେ ଭୋଟ୍ ରାଜନୀତିରୁ ସନ୍ନ୍ୟାସ ନେଇଥିଲେ ଓ ନୂଆ କରି ଟିକେଟ ଦେଇଥିଲେ ପୁତ୍ର ନବାଗତ ବିଷ୍ଣୁବ୍ରତ ରାଉତରାୟ ଙ୍କୁ । ତେବେ ଏହି ଆସନରେ କ୍ରମାଗତ ଭାବେ ରାଉତରାୟ ପରିବାରଙ୍କ ଦବଦବାକୁ ବିରୋଧୀ ଗ୍ରହଣ କରିପାରୁ ନଥିଲେ । ରାଉତରାୟ ପରିବାର ତରଫରୁ ନୀଳମଣି ରାଉତରାୟଙ୍କ ପରେ ତାଙ୍କ ପୁତ୍ର ବିଜୟଶ୍ରୀ ରାଉତରାୟ ପରେ ତାଙ୍କ ପୁତ୍ର ବିଷ୍ଣୁବ୍ରତଙ୍କୁ ଟିକେଟ ଦିଆଯିବାରୁ ପରିବାର ବାଦ ରାଜନୀତି ବନ୍ଦ କରାଯିବା ନାରା ଦେଇଥିଲେ କଂଗ୍ରେସ ଓ ବିଜେପିର ପ୍ରାର୍ଥୀ । ଚାରିଆଡେ ଚର୍ଚ୍ଚା ହେଲା ଏଥର ରାଉତରାୟ ପରିବାରର ରାଜନୀତି ଧୂଳିସାତ ହେବ ଓ ଏଠାରୁ କଂଗ୍ରେସ ଜିତିବ । ଏପରିକି କେତେକ ଗଣମାଧ୍ୟମ ଭୋଟ ଗଣତିର ଦୁଇ ଦିନ ପୂର୍ବରୁ ଏହି ଆସନରେ କଂଗ୍ରେସ ପ୍ରାର୍ଥୀ ଅଶୋକ ଦାସ ବାଜିମାତ୍ କରିବେ ବୋଲି ପ୍ରକାଶ ମଧ୍ୟ କରିଦେଲେ । ଇଲୋକ୍ଟ୍ରୋନିକ୍ସ ଓ ପ୍ରିଣ୍ଟିଂ ମିଡିଆରେ କଂଗ୍ରେସ ପ୍ରାର୍ଥୀ ୧୦ ହଜାର ଭୋଟ୍ ବ୍ୟବଧାନରେ ଜିତିବେ ବୋଲି ଘୋଷଣା କଲେ । ଶେଷରେ ଆଜି ସବୁ ଅଙ୍କ ଭୁଲ ହୋଇଗଲା ବାସୁଦେବପୁର ଆସନରେ ସମ୍ପୂର୍ଣ୍ଣ ନୂଆ ପ୍ରାର୍ଥୀ ବିଷ୍ଣୁବ୍ରତ ରାଉତରାୟ ୧୦ ହଜାରରୁ ଅଧିକ ଭୋଟ୍ ବ୍ୟବଧାନରେ ବିଜୟ ଲାଭ କଲେ ।
ସୂଚନାଯୋଗ୍ୟ ଯେ ବାସୁଦେବପୁର ଆସନ ଦୁଇ ଦୁଇଟି ମୁଖ୍ୟମନ୍ତ୍ରୀଙ୍କୁ ଜନ୍ମ ଦେଇଛି । ଏହି ଆସନରେ ୧୯୬୧ ମସିହାଠାରୁ ନିର୍ବାଚନ ଆରମ୍ଭ ହେଲା ପ୍ରଥମେ ଜାତୀୟ କଂଗ୍ରେସରୁ ନୀଳମଣି ରାଉତରାୟ ବିଜୟ ଲାଭ କଲେ ପରେ ୧୯୬୭ ରେ ଓଡିଶା ଜନକଂଗ୍ରେସରୁ ହରେକୃଷ୍ଣ ମହତାବ ପୁଣି ୧୯୭୧ ରେ ନୀଳମଣି ରାଉତରାୟ ଉକ୍ରଳ କଂଗ୍ରେସରୁ । ୧୯୭୪ରେ ଜଗବନ୍ଧୁ ଦାସ ଜାତୀୟ କଂଗ୍ରେସରୁ ବିଜୟ ଲାଭ କରିଥିଲେ । ୧୯୭୭ ରେ ନୀଳମଣି ରାଉତରାୟ ଜନତା ପାର୍ଟିରୁ ବିଜୟ ଲାଭ କରି ମୁଖ୍ୟମନ୍ତ୍ରୀ ହେଲେ ମାତ୍ର ୩ ବର୍ଷ ପରେ ପୁଣି ୧୯୮୦ ରେ ନିର୍ବାଚନ ହେଲା । ଏହି ନିର୍ବାଚନରେ ଜଗବନ୍ଧୁ ଦାସ କଂଗ୍ରେସ (ଆଇ) ରୁ ନିର୍ବାଚିତ ହୋଇଥିବା ବେଳେ ୧୯୮୫ ରେ ଜାତୀୟ କଂଗ୍ରେସରୁ ମଧୁସୂଦନ ପାଣିଗ୍ରାହୀ ବିଜୟ ଲାଭ କରିଥିଲେ । ତେବେ କୌତୁହଳର କଥା – ୧୯୯୦ ରୁ ଲଗାତର ୨୦୧୪ ଯାଏଁ ବିଜୟଶ୍ରୀ ରାଉତରାୟ ଜନତା ଦଳ ଓ ବିଜୁଜନତା ଦଳରୁ ୬ ଥର କ୍ରମାଗତ ଜିତି ଆସୁଥିଲେ । ୨୦୧୯ ନିର୍ବାଚନ ବେଳକୁ ବିଜୟଶ୍ରୀ ରାଉତରାୟ ଭୋଟ୍ ରାଜନୀତିରୁ ସନ୍ନ୍ୟାସ ନେଇ ନିଜ ସାନ ପୁଅ ବିଷ୍ଣୁବ୍ରତ ଓରଫ ଜିତୁ ରାଉତରାୟ ଙ୍କୁ ଗାଦି ଛାଡିଥିଲେ । ନିଜ ପରିବାର ଓ ବାପାଙ୍କ ସମ୍ମାନ ରକ୍ଷା କରି ପୁଣି ବାସୁଦେବପୁର ଆସନରେ ନବାଗତ ବିଜେଡି ପ୍ରାର୍ଥୀ ବିଷ୍ଣୁବ୍ରତ ରାଉତରାୟ ୧୦ ହଜାର ରୁ ଅଧିକ ଭୋଟ୍ରେ ବିଜୟ ଲାଭ କରି ସମସ୍ତଙ୍କୁ ଚକିତ କରିଛନ୍ତି । କାରଣ ୨୯ ଅପ୍ରେଲ ଭୋଟ୍ ପରଠାରୁ ଏହି ଆସନକୁ କଂଗ୍ରେସ ଦଖଲ କରିବ ବୋଲି ·ରିଆଡେ ଚର୍ଚ୍ଚା ଜୋର ଧରିଥିଲା । ଏପରିକି ଆଜି ଭୋଟ୍ ଗଣତି ବେଳେ ୧୮ ରାଉଣ୍ଡ ପର୍ଯ୍ୟନ୍ତ କଂଗ୍ରେସ ଆଗୁଆ ଥିବାରୁ ସମସ୍ତେ ଆକଳନ କରିଥିଲେ ଏହି ଆସନରେ କଂଗ୍ରେସ ବିଜୟ ଲାଭ କରିବ । ତେବେ ସବୁ ଅଙ୍କକୁ ଭୁଲ୍ କରି ବିଜେଡି ପ୍ରାର୍ଥୀ ବିଷ୍ଣୁବ୍ରତ ରାଉତରାୟ ବାଜିମାତ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ