ବିଲରେ ପଡି ରହିଛି ଆଖୁ, ଚିନ୍ତାରେ ଚାଷୀ
ନାଉଗାଁ, (ୱାଇଏନ୍ଏସ୍): ଲକ ଡାଉନ ଯୋଗୁଁ ବିଲରେ ପଡି ରହିଛି ଆଖୁ । କାଟିବା ପାଇଁ ଆସୁନାହାନ୍ତି ଶ୍ରମିକ । କାଟିବା ପାଇଁ ଦାୟିତ୍ୱ ନେଇ ଏବେ ନିଜ କାନ୍ଧରୁ ଦାୟିତ୍ୱ ହଟାଇ ଦେଇଛି କମ୍ପାନୀର ଜୈନିକ କର୍ମଚାରୀ । କିନ୍ତୁ ଚାଷୀ ବ୍ୟାଙ୍କରୁ ରୁଣ କରି ଆଖୁ ଅମଳ ସମୟରେ ବିକ୍ରୟ ହୋଇପାରୁ ନଥିବାରୁ ଚାଷୀ ଏବେ ଚିନ୍ତାରେ । ଯାହାକୁ ଦେଖିବାକୁ ମିଳୁଛି ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଡାବର ପଂଚାୟତ ମହନାପାରୀ ଆଖୁ ଚାଷୀଙ୍କ କ୍ଷେତ୍ରରେ । ସୂଚନା ମୁତବାକ ଉକ୍ତ ଗ୍ରାମର ପ୍ରବୋଧ କୁମାର ଲେଙ୍କା ଓ ପ୍ରଶାନ୍ତ କୁମାର ଲେଙ୍କା ୫ ଏକରରୁ ଉର୍ଦ୍ଧ ଚାଷ ଜମିରେ ଆଖୁ ଚାଷ କରିଥିଲେ । ଏମାନେ ସ୍ଥାନୀୟ ବ୍ୟାଙ୍କରୁ ରୁଣ କରି ଚାଷ କାର୍ଯ୍ୟରେ ଲଗାଇଥିଲେ । ପ୍ରତିବର୍ଷ ଡିସେମ୍ବର ମାସରେ ବିଲରେ ଆଖୁ ଲଗାଯାଇ ବର୍ଷକ ପରେ ତଥା ଡିସେମ୍ବର ମାସରେ ଆଖୁ ଅମଳ କରାଯାଏ । ଆଖୁ ଅମଳ ପାଇଁ କମ୍ପାନୀ ପକ୍ଷରୁ ଶ୍ରମିକ ଯୋଗାଇ ଦିଆଯାଉଥିଲେ ମଧ୍ୟ ମଜୁରୀ ବାବଦକୁ ଟନ୍ ପିଛା ୫ ଶହରୁ ୭ ଶହ ଟଙ୍କା ଆଖୁ ଚାଷୀ ବହନ କରିଥାନ୍ତି । କିନ୍ତୁ ଚଳିତ ବର୍ଷ ଉକ୍ତ କମ୍ପାନୀ ପକ୍ଷରୁ ଠିକ ସମୟରେ ଆଖୁ ଅମଳ କରାଯାଇନଥିଲା । କରୋନା ପାଇଁ ସାରା ଦେଶରେ ଲକ ଡାଉନ ଲାଗୁ ହେବାକୁ ଯୋଗୁ ଏବେ ଆଖୁ କାଟିବାକୁ ପାଇଁ ଯଥେଷ୍ଠ ଶ୍ରମିକ ମିଳୁନାହାନ୍ତି । ସବୁବର୍ଷ ପରି ଚଳିତ ବର୍ଷ ଆଖୁ କାଟିବା ପାଇଁ ଶ୍ରମିକଙ୍କୁ ଆଣିବା ପାଇଁ ଗାଡି ଭଡା ବାବଦକୁ କିଛି ଟଙ୍କା ମଧ୍ୟ ଆଖୁ ନେବା ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ଚାଷୀଙ୍କ ପକ୍ଷରୁ ଯୋଗାଇ ଦିଆଯାଇଥିଲା । କିନ୍ତୁ ଲକ ଡାଉନ କଟକଣା ଯୋଗୁଁ ଆଖୁ କାଟିବାକୁ ଶ୍ରମିକ ଆସି ନପାରିବାରୁ ଚାଷୀଙ୍କୁ ନିଜେ ଶ୍ରମିକ ଠିକ୍ କରିବା ପାଇଁ ଉକ୍ତ ଅଧିକାରୀ ଜଣକ କହିଛନ୍ତି । ଅନ୍ୟପଟରେ ୨୫ ତାରିଖ ମଧ୍ୟରେ ଚାଷୀ ଆଖୁ ନ କାଟି ପାରିଲେ କମ୍ପାନୀ ପକ୍ଷରୁ ଆଉ ନିଆଯିବ ନାହିଁ ବୋଲି କୁହାଯାଇଛି । ଆଖୁ ଚାଷ ପାଇଁ ବ୍ୟାଙ୍କରୁ ରୁଣ ଆଣି ଆଖୁ ବିକ୍ରୟ ନହେଲେ କିପରି ରୁଣ ସୁଝିବେ ସେ ନେଇ ଏବେ ଚାଷୀ ଚିନ୍ତାରେ ପଡିଯାଇଛି । ସରକାର ସେମାନଙ୍କୁ ସହାୟତା ଯୋଗାଇ ଦେବାକୁ ସେମାନେ ଦାବି କରିଛନ୍ତି । ଏସଂର୍ପକରେ ଢେଙ୍କାନାଳସ୍ଥିତ ଶକ୍ତି ସୁଗାର କମ୍ପାନୀର କେନ୍ ଆସିଷ୍ଟାଂଟ ପବିତ୍ର କୁମାର ଜେନାଙ୍କୁ ପଚାରିବାରୁ ଲକ ଡାଉନ ପାଇଁ ଶ୍ରମିକମାନେ ସେପଟକୁ ଯିବାକୁ ଚାହୁଁ ନାହାନ୍ତି । ଚାଷୀମାନେ ଯଦି ୨୫ ତାରିଖ ଭିତରେ ସମସ୍ତ ଆଖୁ କାଟି ପାରିବେ ତେବେ କମ୍ପାନୀ ପକ୍ଷରୁ ଆଖୁ ଅଣାଯିବ । ନ ହେଲେ ଆସନ୍ତା ବର୍ଷ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିବ ବୋଲି କହିଥିଲେ ।


