ବିଲରେ ଭିଜୁଛି ସୁନାର ଫସଲ ମୁଣ୍ଡରେ ହାତ ଦେଇ ବସିଛି ଚାଷୀ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡ଼ା ଜିଲ୍ଲାର ୯ଟି ବ୍ଲକରେ ହୋଇଥିବା ସୁନାର ଫସଲ(ଧାନ ଚାଷ) ଏବେ ବିଲରେ ଭିଜୁଛି । କାରଣ ଲଘୁଚାପ ଜନିତ ବର୍ଷା ଗତ ୫ ଦିନ ଧରି ଲାଗି ରହିଛି । ଏହା ଫଳରେ ବିଲରେ ଅମଳ ହେବାକୁ ଥିବା ଧାନ ଏବେ ବର୍ଷାରେ ଭିଜୁଛି । ଅନେକ ସ୍ଥାନରେ ଧାନରେ ଗଜା ବାହାରିଲାଣି । ଏଭଳି ଅବସ୍ଥା ଦେଖି ଚାଷୀକୂଳ ମୁଣ୍ଡରେ ହାତ ଦେଇ ବସିଛନ୍ତି । ଚାଷୀମାନେ ବିଲରେ ୩୦ ଭାଗ ଧାନ କାଟି ରଖିଥିଲେ । କଟା ଧାନକୁ ଖଳାକୁ ଆଣିବା ସହ ବାକି ଧାନ କାଟିଥାନ୍ତେ । ହେଲେ ଲଘୁଚାପ ଜନିତ ଲଗାଣ ବର୍ଷା ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି । ଏବେ ଚାଷୀମାନେ କେବଳ ନିଜ ଭାଗ୍ୟକୁ ଆଦରି ପଡି ରହିଥିବା କହିଛନ୍ତି । କାରଣ ସରକାର ଯେଉଁ କ୍ଷତିପୂରଣ ପ୍ରଦାନ କରନ୍ତି ତାହା ୫୦ ଭାଗ ମଧ୍ୟ ନୁହେଁ । ଚାଷୀଟି ଯଦି ୧ ଲକ୍ଷ ଟଙ୍କାର ଧାନ ଅମଳ କରିବ ବୋଲି ଲକ୍ଷ ରଖିଥାଏ ଓ ବର୍ଷାରେ ଧାନ ନଷ୍ଟ ହୋଇଯାଏ ତେବେ ଚାଷୀକୁ ୨୦ ରୁ ୩୦ ହଜାର ଟଙ୍କା କ୍ଷତି ପୂରଣ ମିଳେ । ତାହା ପୁଣି ତହସିଲ କାର୍ଯ୍ୟାଳୟକୁ ଦୌଡି ଦୌଡି ନୟାନ୍ତ ହେବା ପରେ ସେମାନଙ୍କୁ ମିଳେ । ତେଣୁ ଚଳିତ ଲଘୁଚାପ ବର୍ଷା ଚାଷୀଙ୍କ ସୁନାର ଫସଲକୁ ନଷ୍ଟ କରି ଦେଇଥିବା କୃଷକ ଆଦିକନ୍ଦ ରାଉଳ କହିଛନ୍ତି । ସେ କହିଛନ୍ତି ସେ ୫ ଏକର ଧାନ ଫସଲ କରିଛନ୍ତି । ଏହାକୁ ବିକ୍ରି କରିଥିଲେ ଅଢେଇ ଲକ୍ଷ ଟଙ୍କା ପାଇଥାନ୍ତେ । ହେଲେ ବର୍ଷା ହୋଇଯିବା ପରେ ଯେଉଁ ଧାନ ଅମଳ ହେବ ତାହା ଏଫଏକ୍ୟୁ ମାନର ଧାନରେ ପରିଗଣିତ ହେବ ନାହିଁ । ତେଣୁ ଏହାକୁ ସମବାୟ ସମିତି କିଣିବ ନାହିଁ । ବାଧ୍ୟ ହୋଇ ଆମେ ବେପାରୀଙ୍କୁ ଅଧା ଦାମରେ ବିକ୍ରି କରିବୁ । କିନ୍ତୁ ଯଦି ବର୍ଷା ଲାଗି ରହେ ତାହା ହେଲେ ବିଲରେ ସବୁ ଧାନ ଗଜା ହାଇଯିବ । ଶେଷରେ ବିଲରେ ଗୋରୁ ଚରିବେ ଓ ଚାଷୀକୂଳ ହତାଶ ହୋଇଯିବେ ବୋଲି ସେ କହିଛନ୍ତି । କୃଷକ ନେତା ରମଣୀରଞ୍ଜନ ରାଉତରାୟ କହିଛନ୍ତି ବର୍ତ୍ତମାନ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି ଲଘୁଚାପ ଜନିତ ଲଗାଣ ବର୍ଷା । ଚାଷୀମାନେ ଯେଉଁ ଧାନ ଫସଲ କରିଥିଲେ ତାହା ସୁନାର ଫସଲ ଭଳି ଚାଷୀକୂଳ ମୁହଁରେ ହସ ଫୁଟାଇଥିଲା । ଚାଷୀମାନେ ଧାନ କାଟିବା ଆରମ୍ଭ କରି ଦେଇଥିଳେ । ହେଲେ ଲଘୁଚାପ ଜନିତ ଲଗାଣ ବର୍ଷା ସୁନାର ଫସଲକୁ ନଷ୍ଟ କରି ଦେଇଛି । ତେଣୁ ସରକାର କ୍ଷୟକ୍ଷିତର ଉପଯୁକ୍ତ ଆକଳନ କରି ଯଦି ଚାଷୀମାନଙ୍କୁ କ୍ଷତିପୂରଣ ପ୍ରଦାନ କରିବେ ତେବେ ଚାଷୀମାନେ ଅଣ୍ଟା ସଳଖି ଛିଡା ହୋଇ ପାରିବେ । ଏଭଳି ନ ହେଲେ ଚାଷୀମାନେ ଦେବାଳିଆ ହୋଇଯିବେ । କାରଣ କୃଷି ସମବାୟ ସମିତି ଓ ସାହୁକାରଙ୍କ ଠାରୁ ଋଣ ଆଣି ସେମାନେ ଫସଲ କରିଥିଲେ । ଫସଲ ବେଶ ଭଲ ହୋଇଥିଲା । ଧାନ ବିକ୍ରି କରି ଚାଷୀମାନେ ଋଣ ପରିଶୋଧ କରିବେ ବୋଲି ଯୋଜନା କରିଥିଲେ । ଏଥିସହ ପରିବାରର ଆର୍ଥିକ ମେରୁଦଣ୍ଡକୁ ସୁଦୃଢ କରିଥାନ୍ତେ । ହେଲେ ବର୍ଷା ଧାନ ଫସଲକୁ ନଷ୍ଟ କରି ଦେଇଛି ବୋଲି ସେ କହିଛନ୍ତି । ଫସଲ କ୍ଷୟକ୍ଷତି ସଂକ୍ରାନ୍ତରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ କଲ୍ୟାଣ କୁମାର ରାୟ କହିଛନ୍ତି ଚାଷୀମାନଙ୍କ ଯେତିକି ପରିମାଣର ଫସଲ ନଷ୍ଟ ହେବ ତାହାକୁ ଆକଳନ କରାଯାଇ ଚାଷୀମାନଙ୍କୁ କ୍ଷତିପୂରଣ ପ୍ରଦାନ କରାଯିବ । ସରକାର ଏ ନେଇ ତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ବର୍ଷା ଛାଡିବା ପରେ କୃଷି ବିଭାଗ ଓ ରାଜସ୍ୱ ବିଭାଗ ପକ୍ଷରୁ ମିଳିତ ଆକଳନ ହେବ । ଯେଉଁ ଚାଷୀର ଯେତିକି ଫସଲ ନଷ୍ଟ ହୋଇଥିବ ତାଙ୍କୁ ସେହି ପରିମାଣର କ୍ଷତିପୂରଣ ପ୍ରଦାନ କରାଯିିବ ।