ବିଲେଇ ମାଛକୁ ଝାମ୍ପିବା ଯୋଗୁ ସିସିଟିଭି ନଜରକୁ ଆସିଲା ଚୋର
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :-ଭଣ୍ଡାରିପୋଖରୀ ଥାନା ରହଣିଆ ପଞ୍ଚାୟତ ଆକୁଲିକଣା ଗାଁରେ ଏକ ରୋଚକ ପୂର୍ଣ୍ଣ ଚାଂଚଲ୍ୟକର ଘଟଣା ଘଟିଯାଇଛି। ଗାଁର ଧୀରେନ୍ଦ୍ର ସାମଲଙ୍କ ଫାର୍ମ ହାଉସ ପୋଖରୀରୁ କେହି ଚୋର ମାଛ ଚୋରି କରୁଥିବା ଘଟଣା ସିସିଟିଭିରେ କଏଦ ହେବାପରେ ଏହାକୁ ନେଇ ଅଂଚଳରେ ଚାଂଚଲ୍ୟ ଖେଳି ଯାଇଛି । ରୋଚକ ଘଟଣାକ୍ରମ ଅନୁଯାୟୀ ଗତ ଶନିବାର ରାତି ପ୍ରାୟ ୧୧.୪୦ମିନିଟ ସମୟରେ କେହି ଚୋର ପୋଖରୀରେ ଜାଲ ପକାଇ ମାଛ ଧରିଥିଲା। ଚୋର ମାଛକୁ ଧରି ପୋଖରୀ ଆଡ଼ି ଉପରେ ରଖିଥିଲା । ଏହି ସମୟରେ ଏକ ବିରାଡ଼ି ମାଛକୁ ଝାମ୍ପିବାକୁ ଆସିଥିବା ବେଳେ ଚୋର ଜଣକ ଏହାକୁ ଘଉଡାଇବାକୁ ଆସି ସିସିଟିଭି ନଜରକୁ ଆସିଥିଲେ। ଗ୍ରାମ୍ୟ ଚୋରଟି ମାଛ ଆଣିବା ସହିତ ଫାର୍ମ ହାଉସରେ ଥିବା କଦଳୀ ଓ ଅମୃତଭଣ୍ଡାକୁ ମଧ୍ୟ ଚୋରି କରି ଆଣିଥିଲା। ସିସିଟିଭି ଭିଡ଼ିଓ ଆଧାରରେ ପୋଖରୀ ମାଲିକ ଥାନାରେ ଲିଖିତ ଭାବେ ଜଣାଇଥିଲେ । ଉକ୍ତ ଘଟଣାରେ ଏକରୁ ଅଧିକ ଚୋର ସାମିଲ ଥାଇ ପାରନ୍ତି ବୋଲି ଅଭିଯୋଗରେ ଲେଖାଯାଇଛି । ପୁଲିସ ପକ୍ଷରୁ ସମସ୍ତ ଘଟଣାକୁ ଅନୁଧ୍ୟାନ କରାଯିବା ସହ ଭିଡ଼ିଓକୁ ଆଧାର କରି ଅଭିଯୋଗକାରୀଙ୍କ ସୂଚନା ଅନୁଯାୟୀ ଜନୈକ ଯୁବକଙ୍କୁ ପଚରା ଉଚୁରା କରିଥିବା ଜଣାପଡିଛି । ଘଟଣାକୁ ୫ଦିନ ବିତିଯାଇଥିଲେ ସୁଦ୍ଧା ସ୍ପଷ୍ଟ ସିସିଟିଭି ଫୁଟେଜ ଥାଇ ସୁଦ୍ଧା ଏଯାଏଁ ଚୋର ଚିହ୍ନଟ ହୋଇ ନପାରିବା ଘଟଣା ଆଲୋଚ୍ୟର ବିଷୟ ପାଲଟିଛି । ଏପଟେ ସରକାରୀ ଋଣ କରି କୃଷିଭିତ୍ତିକ ଫାର୍ମ ହାଉସ କରିଥିବା ବ୍ୟକ୍ତି ସିସିଟିଭିକୁ ଜଗୁଆଳ କରିଥିଲେ ସୁଦ୍ଧା ଏଯାଏଁ ନ୍ୟାୟ ପାଇବାରୁ ବଞ୍ଚିତ ହୋଇଛନ୍ତି ।


